/odishatv-khabar/media/post_attachments/uploadimage/library/16_9/16_9_0/airport5_1626690756.jpg)
airport5
ଭୁବନେଶ୍ୱର : ଭୁବନେଶ୍ୱର ଏୟାରପୋର୍ଟରେ ନିର୍ମାଣାଧୀନ ଛାତ ଭୁଶୁଡ଼ିବା ଘଟଣାରେ ୪ ଜଣ ଗିରଫ । ଠିକା ସଂସ୍ଥା ଦିଲୀପ କନଷ୍ଟ୍ରକସନ ମୁଖ୍ୟ ଠିକାଦାର ଦିଲୀପ ଖଟେଇଙ୍କ ସହ ୪ ଜଣ ଗିରଫ ହୋଇଛନ୍ତି ।
ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଜଣେ ଏଜିଏମ୍ଙ୍କୁ ମଧ୍ୟ ଗିରଫ କରାଯାଇଛି। ତାଙ୍କ ନାଁ ଆଶିଷ ସରକାର , ନିର୍ମାଣ କାମରେ ନିୟୋଜିତ ଦୁଇ ଜଣ ଇଂଜିନିୟର ମଧ୍ୟ ଗିରଫ ହୋଇଛନ୍ତି। ସେମାନେ ହେଲେ ଗୌତମ ରାୟ ଓ ଅଭିଳାଷ ସରକାର।
ସୂଚନା ଅନୁଯାୟୀ, ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗତକାଲି ରାତିରେ ଏକ ବଡ଼ ଧରଣର ଅଘଟଣ ଘଟିଥିଲା। ବିମାନବନ୍ଦର ପରିସରରେ ଏକ ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିବା ଯୋଗୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟି ଥିବାବେଳେ ଆଉ ଜଣେ ଆହତ ହୋଇଛନ୍ତି।
ମୃତ ଶ୍ରମିକ ଜଣଙ୍କ ହେଲେ କଟକ ଜିଲ୍ଲା ବଡ଼ମ୍ବା-ନରସିଂହପୁରର ଅନ୍ତର୍ଯ୍ୟାମୀ ଗୁରୁ। ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଏକ ଗାଡ଼ିର ହେଲପର୍ ଭାବେ ସେ କାମ କରୁଥିଲେ। କଂକ୍ରିଟ୍ ଅତଡ଼ା ଭିତରୁ ଗୁରୁତର ଅବସ୍ଥାରେ ଅନ୍ତର୍ଯ୍ୟାମୀଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆହତ ଵ୍ୟକ୍ତି ଜଣଙ୍କ ହେଲେ ନବ କିଶୋର ସ୍ୱାଇଁ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏହି ଅଘଟଣ ଘଟିଥିଲା। ବିମାନବନ୍ଦରର ଟର୍ମିନାଲ୍-୧ ସହ ଟର୍ମିନାଲ୍-୨କୁ ସଂଯୋଗ କରୁଥିବା ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିଥିଲା। ପ୍ରାୟ ୧୦ ହଜାର ବର୍ଗ ଫୁଟ୍ର ଛାତ ଭୁଶୁଡ଼ି ପଡ଼ିଛି। ଆହତ ହୋଇଥିବା ବ୍ୟକ୍ତିଙ୍କ କହିବା ଅନୁସାରେ, ଗତକାଲି ରାତିରେ ବିଲ୍ଡିଂ କାମ ଚାଲିଥିଲା। ଛାତ ଢଳେଇ ପରେ ୧୦ରୁ ୧୨ ଜଣ ଶ୍ରମିକ ବିଲ୍ଡିଂ କାମରେ ନିୟୋଜିତ ଥିଲେ। ଏହି ସମୟରେ ହଠାତ୍ ଛାତଟି ଭୁଶୁଡ଼ି ପଡ଼ିଥିଲା।
ଖବରପାଇ ଘଟଣାସ୍ଥଳରେ NDRF, CISF, ODRAF ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ପ୍ରାୟ ୩ରୁ ୪ ଘଣ୍ଟା ଯାଏ ଉଦ୍ଧାର କାର୍ଯ୍ୟ ଚାଲିଥିଲା। କଂକ୍ରିଟ୍ ଅତଡ଼ାକୁ ତନ୍ନତନ୍ନ କରି ଯାଞ୍ଚ କରାଯିବା ସହ ଡଗ୍ ସ୍କ୍ୱାଡ୍ ଦ୍ୱାର ସର୍ଚ୍ଚ ଅପରେସନ୍ କରାଯାଇଥିଲା।
ଦିଲ୍ଲୀପ କନ୍ଷ୍ଟ୍ରକ୍ସନ ନାମକ ଏକ ସଂସ୍ଥା ଏହି ନିର୍ମାଣ କାର୍ଯ୍ୟ କରୁଥିଲା। ହେଲେ ଏ ଅଘଟଣ ନେଇ ସଂସ୍ଥା ପକ୍ଷରୁ ଭାରି ଖାମଖିଆଲ ଢଙ୍ଗରେ ପ୍ରତିକ୍ରିୟା ଦିଆଯାଇଛି। ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଏ ଅଘଟଣ ପାଇଁ ଶ୍ରମିକମାନଙ୍କୁ ଦାୟୀ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)