Advertisment

କରୋନା ଖାଇଦେଲା କ୍ଷୁଦ୍ରଶିଳ୍ପ?

ଏବେ ସବୁଥିରେ ଲାଗିଗଲାଣି କଳଙ୍କି। ଏହାସହ ଶିଳ୍ପୋଦ୍ୟୋଗୀର ସ୍ୱପ୍ନରେ ବି ଲାଗିଛି କଳଙ୍କି। ନିଜ ଯୋଜନା ସବୁରେ ଲାଗିଥିବା ଏ କଳଙ୍କି ଯେ ଆଉ ଛାଡ଼ିବ, ସେ ଆଶା ଆଉ ନାହିଁ ଭୁବନେଶ୍ୱରର ଯୁବ ଉଦ୍ୟୋଗୀ ପରେଶ ସାହୁଙ୍କର

author-image
Sarbeswar
କରୋନା ଖାଇଦେଲା କ୍ଷୁଦ୍ରଶିଳ୍ପ?

msme-covid

ଭୁବନେଶ୍ୱର(କପିଳେନ୍ଦ୍ର ପ୍ରଧାନ): ଏବେ ସବୁଥିରେ ଲାଗିଗଲାଣି କଳଙ୍କି। ଏହାସହ ଶିଳ୍ପୋଦ୍ୟୋଗୀର ସ୍ୱପ୍ନରେ ବି ଲାଗିଛି କଳଙ୍କି। ନିଜ ଯୋଜନା ସବୁରେ ଲାଗିଥିବା ଏ କଳଙ୍କି ଯେ ଆଉ ଛାଡ଼ିବ, ସେ ଆଶା ଆଉ ନାହିଁ ଭୁବନେଶ୍ୱରର ଯୁବ ଉଦ୍ୟୋଗୀ ପରେଶ ସାହୁଙ୍କର। ୩ ବର୍ଷ ତଳେ ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଶ୍ରୀ ଫୁଡ୍ସ ନାମକ ଏମ୍ଏସ୍ଏମ୍ଇ ୟୁନିଟ୍ ଖୋଲି ଚିୟର୍ସ ବ୍ରାଣ୍ଡରେ ମୃଦୁପାନୀୟ ତିଆରି କରି ବଜାରକୁ ଛାଡ଼ୁଥିଲେ ପରେଶ। ଉତ୍ପାଦର ବଜାର ଡିମାଣ୍ଡ ଥିଲା, ବେପାର ବଢ଼ି ଆସୁଥିଲା।

Advertisment

୪୦ ପରିବାର ପାଇଁ ଦାନାପାଣି ଯୋଗାଉଥିଲା ପରେଶଙ୍କ ଏହି ୟୁନିଟ୍। ହେଲେ ଏତିକି ବେଳେ କାଳ ହୋଇ ଗ୍ରାସିଲା କରୋନା ମହାମାରୀ ଓ ତା ପରର ଲକଡାଉନ। ଆଉ ଯେତେବେଳେ କଟକଣା ହଟିଲା, କ୍ଷତି ଏତେ ହୋଇଥିଲା ଯେ ଘରଭଡ଼ା ଦେବାକୁ ବି ସମ୍ବଳ ନଥିବାରୁ ସବୁଦିନ ପାଇଁ ବନ୍ଦ ହୋଇଗଲା ପରେଶଙ୍କ ସେ ସ୍ୱପ୍ନର କ୍ଷୁଦ୍ରଶିଳ୍ପ। ଏବେ ପରେଶଙ୍କ ସବୁ ରୋଷ ସରକାରଙ୍କ ଉପରେ ରହିଛି।

ସେପଟେ ପରେଶ କହିଛନ୍ତି ଯେ, ଆମକୁ ଲାଗୁନାହିଁ ସରକାର ଛୋଟ ଛୋଟ ଉଦ୍ୟୋଗ ଲାଗି ଚିନ୍ତିତ ଅଛନ୍ତି। କେବଳ ବଡ଼ ୟୁନିଟ୍‌ କେମିତି ଚାଲିବ ତାହ ଉପରେ ନଜର ଦେଉଛନ୍ତି ସରକାର। ସେମାନଙ୍କୁ ପ୍ରୋତ୍ସାହନ ସହ ଜମି ସବୁ ଦିଆଯାଉଛି ହେଲେ ଛୋଟ ବ୍ୟବସାୟୀଙ୍କ ପାଇଁ କିଛି ନଥିବା ସେ କହିଛନ୍ତି।

Advertisment

ଏ କ୍ଷୋଭ କେବଳ ପରେଶଙ୍କର ନୁହେଁ କି ଏ ସମସ୍ୟା ତାଙ୍କ କ୍ଷୁଦ୍ର ଶିଳ୍ପ ଶ୍ରୀ ଫୁଡ୍ସର ନୁହେଁ। ବିଧାନସଭାରେ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ରଖିଥିବା ତଥ୍ୟ କହୁଛି, ଗତ ବର୍ଷକ ଭିତରେ କରୋନା କାରଣରୁ ବନ୍ଦ ହୋଇଯାଇଛି ରାଜ୍ୟର ୩ ହଜାର ୨୦୭ଟି ଶିଳ୍ପ ସଂସ୍ଥା। ଏମିତିକି ଅଣ-କୋଭିଡ୍ କାରଣରୁ ୮ ହଜାରରୁ ଅଧିକ ୟୁନିଟରେ ବି ତାଲା ଝୁଲୁଛି। ହେଲେ ଶିଳ୍ପ ସଂଘର କହିବା କଥା, ରାଜ୍ୟରେ ବାସ୍ତବ ପକ୍ଷେ କେତେ କ୍ଷୁଦ୍ର ଶିଳ୍ପ ରହିଛି? ସେ ସମ୍ପର୍କରେ ସରକାରଙ୍କ ପାଖରେ ତଥ୍ୟ ନାହିଁ।

ଅନେକ କ୍ଷୁଦ୍ରଶିଳ୍ପ ସରକାରଙ୍କ ନିକଟରେ ପଞ୍ଜୀକୃତ ହୋଇ ନଥିବାରୁ ବନ୍ଦ ହୋଇଥିବା ଏମ୍ଏସ୍ଏମ୍ଇ ୟୁନିଟ୍ ସରକାରଙ୍କ ତଥ୍ୟଠୁ ଢେର୍ ଅଧିକ। ଏପଟେ ଶିଳ୍ପ ବିଶେଷଜ୍ଞଙ୍କ ମତରେ ଶିଳ୍ପ ସଂସ୍ଥା ବନ୍ଦ ହେବାର ବାସ୍ତବ କାରଣ ଖୋଜିବାକୁ ସରକାର ଟେକ୍ନିକାଲ ଟିମ୍ ଗଢ଼ନ୍ତୁ। ଯେଉଁ ଶିଳ୍ପକୁ ଯେମିତି ଆବଶ୍ୟକ, ସେମିତି ସହାୟତା ଯୋଗାଇ ଦିଅନ୍ତୁ।

ରାଜ୍ୟରେ ମେଗା ଶିଳ୍ପ ପ୍ରତିଷ୍ଠା ପାଇଁ ଏମ୍ଓୟୁ ପରେ ଏମ୍ଓୟୁ ହେଉଛି। ଜମି,ପାଣି ଓ ବିଜୁଳି ସବୁ ଯୋଗାଉଛନ୍ତି ସରକାର। ହେଲେ କରୋନା ଯୋଗୁଁ ଅତ୍ୟନ୍ତ ଋଗ୍ଣ ଅବସ୍ଥାରେ ଥିବା ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଟ୍ରାକକୁ ଫେରାଇ ଆଣିବାକୁ ସରକାର କି ପଦକ୍ଷେପ ନେଉଛନ୍ତି, ତାକୁ ହିଁ ଅପେକ୍ଷା ରହିଛି।

Advertisment
Advertisment