• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ରୂପେଲି କାକର । ସଫେଦ୍ ତୁଷାର । ମର୍ଣ୍ଣିଂ ଓ୍ୱାକ୍ ଆଉ କସରତ୍ । ଗରମାଗରମ୍ ଚାହାକପ୍ । କୋହଲା ପବନ ଓ ଉଷୁମ ଉଷୁମ ଖରା ମିଶା ଶୀତ । ଦିନସାରା ମଜା ଦେଉଥିବା ବେଳେ ସଞ୍ଜ ନଇଁଲେ କିନ୍ତୁ, କିଛି ବାସହରା, ଦୀନଦରିଦ୍ର, ରାସ୍ତାକଡ଼ର ଅସହାୟ ମଣିଷଙ୍କ ପାଇଁ ଏହା ସଜା ପାଲଟେ ।

ବଲାଙ୍ଗିରରୁ ବାଲେଶ୍ୱର । ବାରିପଦାରୁ ବ୍ରହ୍ମପୁର । ରାଉରକେଲା, କଟକ, ଆଉ ରାଜଧାନୀ ଭୁବନେଶ୍ୱର । ଶୀତୁଆ ରାତିରେ ସବୁଠି ପ୍ରାୟ ଏକା ଦୃଶ୍ୟ, ଏକା ଦୁର୍ଦ୍ଦଶା । କେଉଁଠି ଛିଣ୍ଡା କମ୍ବଳ, ଖଣ୍ଡିଏ ଚାଦର, ନହେଲେ ଜରିପାଲ ଭିତରେ ନିଜକୁ ପାଦଠୁ ମୁଣ୍ଡଯାଏଁ ଲୁଚେଇ ଦେଇଥିବା ମଣିଷ, ତ ଆଉ କେଉଁଠି ପରସ୍ପର ସହ ଜାକିଜୁକି ହୋଇ ଘୁମୋଉଥିବା ମଣିଷ ଓ କୁକୁର । 

ରାତି ଯେତେ ବଢ଼ିବଢ଼ି ଚାଲିଥିଲା, ଶୀତ ସେତେ ଅଧିକ ହେଉଥିଲା । ରିକ୍ସାବାଲା, ଅଟୋବାଲା, କୁଲି, ମଜୁରିଆ, ଭିକ୍ଷୁକ, ଏମାନଙ୍କ ପାଇଁ ଏଭଳି ଗୋଟିଏ ଗୋଟିଏ ଶୀତୁଆ ରାତି, ଗୋଟିଏ ଗୋଟିଏ ଯୁଗ ଭଳି । ହାଡ଼ଭଙ୍ଗା ଶୀତ ନିଦ ଭାଙ୍ଗିବାକୁ ବା କେତେ । ଅନେକେ ନିଦ ଆସୁନଥିବାରୁ ରାତିସାରା ନିଆଁ ପୋଉଁଛନ୍ତି । 

ଭୁବନେଶ୍ୱର, କଟକ ଓ ରାଉରକେଲା ଭଳି ବିଭିନ୍ନ ସହରରେ ନିରାଶ୍ରୟଙ୍କ ପାଇଁ ରାତ୍ରୀ ଆଶ୍ରୟସ୍ଥଳୀ ରହିଛି । କିନ୍ତୁ ହାଡ଼ଭଙ୍ଗା ଶୀତରେ ସେଠାକୁ ନଯାଇ ଏମାନେ ରାସ୍ତାକଡ଼ରେ ପଡ଼ିଛନ୍ତି କାହିଁକି ? ତାହାର ଉତ୍ତର କିଏ ଦେବ ?

ଖାଲି ନିରାଶ୍ରୟ ନୁହଁନ୍ତି, ବସ୍‌ଷ୍ଟାଣ୍ଡ ଓ ରେଳଷ୍ଟେସନରେ ଅପେକ୍ଷାରତ ଯାତ୍ରୀ ବି ଭୋଗୁଛନ୍ତି ନାହିଁ ନଥିବା ସମସ୍ୟା । ଭୋରରୁ ଗାଡ଼ି ଥିବାରୁ ରାତିକ ଯେନତେନ କାଟି ଦେଉଛନ୍ତି ବସ୍‌ଷ୍ଟାଣ୍ଡ ଓ ପ୍ଲାଟ୍‌ଫର୍ମ ଚଟାଣରେ । ଉପାୟ ନଥିଲେ ଖୋଲା ଆକାଶ ତଳେ । କଟକ ଏସ୍‌ସିବି ଓ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ଆସିଥିବା ରୋଗୀଙ୍କ ସଂପର୍କୀୟ ବି ବାହାରେ ଶୀତରେ ଶୋଇଥିଲେ । ଏମିତିକି କିଛି ଲୋକ ଛୋଟଛୋଟ ପିଲାଙ୍କୁ ନେଇ ଶୀତରେ ଥରୁଥିବା ଦେଖିବାକୁ ମିଳିଥିଲା । 

ରାଜ୍ୟର ୧୭ଟି ସ୍ଥାନରେ ତାପମାତ୍ରା ଏବେ ୧୦ ଡିଗ୍ରୀ ତଳେ ଥିବା ବେଳେ ଫୁଲବାଣୀରେ ଏଥର ଶୀତର ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ରେକର୍ଡ ହୋଇଛି । ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ରହିଛି ୪.୫ ଡିଗ୍ରୀ । ୨୪ ତାରିଖ ଯାଏଁ ୧୯ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।