ଆହୁରି ୩ ଦିନ ବର୍ଷାରେ ଭିଜିବ ସାରା ଓଡ଼ିଶା,୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆହୁରି ୩ ଦିନ ବର୍ଷାରେ ଭିଜିବ ସାରା ଓଡ଼ିଶା । ଆଜି ପାଇଁ ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

Heavy Rainfall

ଆହୁରି ୩ ଦିନ ବର୍ଷାରେ ଭିଜିବ ସାରା ଓଡ଼ିଶା। ଝାଡ଼ଖଣ୍ଡ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ରହିଥିବା ଘୂର୍ଣ୍ଣିବଳୟ ସହ ମୌସୁମୀ ଟ୍ରାପ୍ ଲାଇନ୍ ସକ୍ରିୟ ରହିଥିବାରୁ ବର୍ଷାର ପରିମାଣ ବଢ଼ିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହା ଫଳରେ ରାଜ୍ୟରେ ବର୍ଷା ଲାଗି ରହିଛି।

ଆଜିଠୁ ବର୍ଷାର ମାତ୍ରା ବଢିବ। ଏହା ଅଗଷ୍ଟ ୩ ତାରିଖ ଯାଏଁ ଲାଗିରହିବ। ଆଜି ପାଇଁ କେନ୍ଦୁଝର, ଢେ଼ଙ୍କାନାଳ, ଅନୁଗୁଳ, ସମ୍ବଲପୁର ଓ ଦେବଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ୧୬ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହିସବୁ ଜିଲ୍ଲାଗୁଡ଼ିକ ହେଲା ମୟୁରଭଂଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, କଟକ, ସୁନ୍ଦରଗଡ, ଝାରସୁଗୁଡ଼ା, ସୋନପୁର, ବରଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ । ଆସନ୍ତାକାଲି ପାଇଁ ୧୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର।

ଅଧିକ ପଢନ୍ତୁ : ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍,ମୁଣ୍ଡଳୀ ଠାରେ କମୁଛି ମହାନଦୀର ଜଳସ୍ତର

ସେପଟେ ଗତକାଲି ରାତିରୁ ମୁଣ୍ଡଳୀ ଠାରେ ଜଳସ୍ତର କମିବାରେ ଲାଗିଛି। ଗତକାଲି ରାତି ୧୨ଟା ସମୟରେ ସର୍ବାଧିକ ୪ ଲକ୍ଷ ୮୫ ହଜାର ୪୩୦ କ୍ୟୁସେକ ଜଳ ମୁଣ୍ଡଳୀରେ ପ୍ରବାହିତ ହୋଇଥିଲା। ତେବେ ଗତକାଲି ମଧ୍ୟରାତ୍ରିରୁ ଜଳସ୍ତର ସ୍ଥିର ରହିଥିବା ବେଳେ ଆଜି ସକାଳ ୬ଟା ସମୟରେ ୪ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଏଣୁ ମୁଣ୍ଡଳୀରେ ଆଉ ଜଳସ୍ତର ବୃଦ୍ଧିର ସମ୍ଭାବନା କମ ରହିଛି। ବନ୍ୟା ସମ୍ଭାବନା ନାହିଁ। ଯାହା ଏକ ଆଶ୍ୱସ୍ତିକର ଖବର। ମୁଣ୍ଡଳୀରେ ଅପ୍ ଷ୍ଟ୍ରିମରେ ୮୭.୮୦ ଫୁଟ ଓ ଡାଉନ୍ ଷ୍ଟ୍ରିମରେ ୮୪.୯୦ ଫୁଟ ଜଳସ୍ତର ରହିଛି ।