• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭିଜୁଛି ସାରା ଓଡ଼ିଶା । ବାଲେଶ୍ୱରରୁ ବ୍ରହ୍ମପୁର ସାରା ଉପକୂଳ ଓଡ଼ିଶାରେ ଲାଗି ରହିଛି ବର୍ଷା । ଗତକାଲିଠୁ ଆରମ୍ଭ ହୋଇଥିବା ବର୍ଷାର ପରିମାଣ ଆଜି ବଢ଼ିବାରେ ଲାଗିଛି । ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ଭଦ୍ରକରେ ଆଜି ସକାଳୁ ଲଗାଣ ବର୍ଷା ଜାରି ରହିଛି । 

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ଘନୀଭୂତ ହୋଇ ଦକ୍ଷିଣ ଓଡିଶା ଏବଂ ପାଶର୍ବବର୍ତ୍ତୀ ଅଞ୍ଚଳରେ ଅବପାତରେ ପରିଣତ ହୋଇଛି । ଏବେ ଏହା ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରୁ ଉତ୍ତର ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଏହା ଧିରେ ଧିରେ ପଶ୍ଚିମ, ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଏବଂ ଦକ୍ଷିଣ ଛତିଶଗଡ଼ ଉପରେ ଦୁର୍ବଳ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । 

ତେବେ ଅବପାତ ପ୍ରଭାବରେ ଉପକୂଳ ଆନ୍ଧ୍ର ଏବଂ ଓଡ଼ିଶାର ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟାରେ ଢେଙ୍କାନାଳ ଓ ବାଲେଶ୍ୱରରେ ସବୁଠୁ ଅଧିକ ବର୍ଷା ରେକର୍ଡ କରାଯାଇଛି । କେବଳ ଢେଙ୍କାନାଳରେ ୧୫୪ ମିଲିମିଟର, ବାଲେଶ୍ୱର ଜିଲ୍ଲା ଜୟପୁରରେ ୧୪୨.୮ ମିଲିମିଟର ଓ ଗୋବିନ୍ଦପୁରରେ ୧୨୫.୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ରେକର୍ଡ କରିଛି ।

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପକୁ ଦୃଷ୍ଟିରେ ରଖି ରାଜ୍ୟର ବନ୍ଦର ଓ ସମୁଦ୍ର କୂଳରେ ଗୁଡ଼ିକରେ ସତର୍କ ସୂଚନା ଜାରି ହୋଇଛି । ଗୋପାଳପୁର, ପୁରୀ, ଧାମରା ଏବଂ ଚାନ୍ଦବାଲିରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରିବା ସହ ସର୍ତକ ରହିବାକୁ ସୂଚନା ଦିଆଯାଇଛି ।