• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆରମ୍ଭ ହେଲା ବାତ୍ୟା ଗୁଲାବ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ।

  • ଏହା ୩ ଘଣ୍ଟା ଧରି ଚାଲିବ ।

  • ରାତି ୯ଟାରୁ ୯ଟା ୩୦ ମଧ୍ୟରେ ସରିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ।

ଭୁବନେଶ୍ୱର: ଆରମ୍ଭ ହେଲା ବାତ୍ୟା ଗୁଲାବ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଏହା ୩ ଘଣ୍ଟା ଧରି ଚାଲିବ । ଏନେଇ SRC ପ୍ରଦୀପ ଜେନାଙ୍କ ସୂଚନା । ଆଜି ରାତି ୯ଟାରୁ ୯ଟା ୩୦ ମଧ୍ୟରେ ସରିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । କଳିଙ୍ଗପଟ୍ଟନମଠାରୁ ୨୫ କିମି ଦୂରରେ ଟେକାଲି ଓ ମୋରିଗୁଡ଼ା ମଝିରେ ଲ୍ୟାଣ୍ଡଫଲ୍ କରିବ ଗୁଲାବ ।ସଂଧ୍ୟା ପ୍ରାୟ ୬ଟା ବେଳୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ପାଖାପାଖି ୩ ଘଣ୍ଟା ଧରି ଚାଲିବ । IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ବାତ୍ୟା ଗୁଲାବ ଆନ୍ଧ୍ର ପ୍ରଦେଶର କଳିଙ୍ଗ ପଟ୍ଟନମ୍‌ର ଉତ୍ତରକୁ ୨୫ କିଲୋମିଟର ଦୂରରେ ଉପକୂଳ ଅତିକ୍ରମ କରିବ । ବାତ୍ୟା ଯେତିକି ଉପକୂଳ ନିକଟକୁ ଆସିବ, ପବନର ବେଗ ସେତିକି ବଢ଼ିବ ।

ଆଇଏମ୍‌ଡିର ଆକଳନ ଅନୁଯାୟୀ, ପବନର ବେଗ ସର୍ବାଧିକ ୭୫ରୁ ୮୫ କିଲୋମିଟର ପର୍ଯ୍ୟନ୍ତ ରହିବ । ଏହାର ପ୍ରଭାବ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅନୁଭୂତ ହେବ । ଅନ୍ୟପକ୍ଷରେ ବାତ୍ୟା ଗୁଲାବ ଯୋଗୁଁ ପ୍ରବଳ ବର୍ଷା ସମ୍ଭାବନା ଥିବା ୭ଟି ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସେ ସବୁ ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ଏହାବାଦ୍ ୧୦ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି ।

ଏହାର ପ୍ରଭାବରେ ଗଜପତି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେଉଛି । ଏହାସହ ୩୦/୪୦ କିମି ବେଗରେ ପବନ ବୋହୁଛି । ଅତି ବର୍ଷା କିମ୍ବା ପବନର ଏବେ ସୁଦ୍ଧା ସୂଚନା ନାହିଁ । ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡିରେ ମଦ୍ୟ ଅଧିକ ବର୍ଷା ଓ ପବନ ନାହିଁ । ସବୁ ଅଞ୍ଚଳରେ ସାମାନ୍ୟ ବର୍ଷା ଲାଗି ରହିଛି । ବର୍ଷା ଓ ପବନ ନଥିବାରୁ ଲୋକେ ସ୍ଥାନାନ୍ତର ପାଇଁ ଆଗ୍ରହ ମଧ୍ୟ ଦେଖାଉ ନାହାନ୍ତି ।

ବର୍ତ୍ତମାନ ସୁଦ୍ଧା ୧୬ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୬ ଶହ ଜଣ ଗର୍ଭବତୀ, ବୃଦ୍ଧ ଓ ଭିନ୍ନକ୍ଷମଙ୍କୁ ସ୍ଥାନାନ୍ତର କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ରହିଛି । କାଲି ପୂର୍ବାହ୍ନ ସୁଦ୍ଧା ବାତ୍ୟା ଗୁଲାବ ଓଡ଼ିଶା ଅତିକ୍ରମ କରିବ । ତେବେ କାଲି ମଧ୍ୟାହ୍ନ ଯାଏଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି SRC ।

ବାତ୍ୟା ଲ୍ୟାଣ୍ଡଫଲ୍ ନକରୁଣୁ ଗଜପତି ଜିଲ୍ଲାରେ ଅଘଟଣ । ଗଜପତି ଜିଲ୍ଲା ଗୁମ୍ମା ବ୍ଳକରେ ମାଟି ଅତଡ଼ା ଧସି ରାସ୍ତା ଅବରୋଧ । ଯାତାୟତ ଠପ୍‌ । ନାମନଗଡରୁ ଅଜୟଗଡ଼ ମଧ୍ୟରେ ରାସ୍ତାରୁ ମାଟି ଅତଡ଼ା ଧସିବାରୁ ଯାତାୟତ ସମ୍ପୂର୍ଣ୍ଣ ଠପ୍‌ ହୋଇଛି । ଜିଲ୍ଲା ପ୍ରଶାସନ ଓ ରେସ୍‌କ୍ୟୁ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ରାଇପାଙ୍କା ଅଂଚଳର ପାହାଡ଼ ତଳେ ବସବାସ କରୁଥିବା ଗ୍ରାମବାସୀଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି । କୌଣସି ଅଘଟଣକୁ ଏଡ଼ାଇବା ପାଇଁ ପ୍ରଶାସନର ନିର୍ଦ୍ଦେଶକ୍ରମେ ରାଇପାଙ୍କା ପଞ୍ଚାୟତର ରାଇପଙ୍କା ଗାଁ ସମେତ କଡ଼କଡ଼ମା, ମାନ୍ଦ୍ରାବାଜୁ ଗାଁର ପ୍ରାୟ ୫୦ ପରିବାରକୁ ସ୍ଥାନାନ୍ତର କରାଯାଉଛି । ସେମାନଙ୍କୁ ଆଶ୍ରୟ ସ୍ଥଳୀରେ ରଖାଯାଉଛି । 

ସେହିଭଳି ବାତ୍ୟା ଗୁଲାବକୁ ନେଇ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ କନିଷି ଠାରୁ ଗୋପାଳପୁର ମଧ୍ୟରେ ଥିବା ଦୁର୍ବଳ ଗଛ ଗୁଡିକ ଡାଳ କାଟି ସଫା କରାଯାଉଛି । ଯେଉଁ ଗଛର ଡାଳ ବିଦ୍ୟୁତ ତାର ନିକଟରେ ରହିଛି କିମ୍ବା ଡାଳ ଭାଂଗି ରାସ୍ତା ଅବରୋଧ ସମ୍ଭାବନା ରହିଛି ସେଗୁଡିକୁ କାଟି ସଫା କରାଯାଉଛି ।

ଏପଟେ ବାତ୍ୟା ପାଇଁ ସଜାଗ ପୁରୀ ଜିଲ୍ଲା ପ୍ରଶାସନ । ମୁଖ୍ୟତଃ କୃଷ୍ଣପ୍ରସାଦ, ବ୍ରହ୍ମଗିରି ସହ ତତସଂଲଗ୍ନ ଅଞ୍ଚଳରେ ଅଧିକ ଫୋକସ କରାଯାଇଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । କୌଣସି ଅଘଟଣ କିମ୍ବା ବିଦ୍ୟୁତ ଭିତ୍ତିଭୂମିକୁ କିଭଳି ଶୀଘ୍ର ପୁନଃଉଦ୍ଧାର କରାଯାଇପାରିବ ସେନେଇ ଆଲୋଚନା ହୋଇଛି ।  ତଳିଆ ଅଞ୍ଚଳ ଉପରେ ନଜର ରଖିବାକୁ କୁହାଯାଇଥିବା କହିଛନ୍ତି ଜିଲ୍ଲାପାଳ ।