• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୩୬ ବର୍ଷର ରେକର୍ଡ ଭଙ୍ଗା ବର୍ଷାପାଣିରେ ଉବୁଟୁବୁ ମାଲକାନଗିରି ଜିଲ୍ଲାର ମୋଟୁ ଇଲାକା । ଛତିଶଗଡ଼, ଆନ୍ଧ୍ର ଏବଂ ତେଲେଙ୍ଗାନା ସହ ଖାଲି ଯେ ବିଚ୍ଛିନ୍ନ ହୋଇଯାଇଛି ତାନୁହେଁ, ଚୁଲିଚାଳଠୁ ଆରମ୍ଭ କରି ବର୍ଷକର ଦାନାପାଣି ବର୍ବାଦ ହୋଇଯାଇଛି ସାରା ଅଞ୍ଚଳରେ । ପ୍ରବଳ ବର୍ଷା ଯୋଗୁଁ ଆନ୍ଧ୍ରପ୍ରଦେଶର ଗୋଦାବରୀ ଫୁଲିଥିବାରୁ ଏହି ନଦୀର ପଛୁଆ ପାଣି ମାଡ଼ଇାସି ଭୟଙ୍କର ରୂପଧାରଣ କରିଛି ମାଲକାନଗିରିର ସିଲେରୁ ଓ ସାବେରୀ ନଦୀ ।

ଫଳରେ ଜଳବନ୍ଦୀ ଗାଁଠୁ ସହର, ଜାତୀୟ ରାଜପଥରୁ ହାଟ ବଜାର । ମୋଟୁ ନିକଟ ଏନ୍ଏଚ୍ ଉପରେ ୧୦ ଫୁଟ୍ ଉଚ୍ଚରେ ପାଣି ଚାଲିଥିବାରୁ ଅଟକି ରହିଛି ଶହ ଶହ ଟ୍ରକ୍ । ତଳିଆ ଅଞ୍ଚଳ ଲୋକେ ଆତଙ୍କିତ ହୋଇଥିବାବେଳେ ନିର୍ମାଣାଧିନ ପୋଲାଭରମ ପ୍ରକଳ୍ପକୁ ନେଇ ପୁଣି ଚିନ୍ତା ବଢ଼ିଲାଣି ।

ମାଲକାନଗିରି ଜିଲ୍ଲା ମୋଟୁ ଇଲାକାର ଜଳବନ୍ଦୀ ଯନ୍ତ୍ରଣାର ଗାଥା । ଆଜିକୁ ୫ ଦିନ ହେଲା ଲଗାଣ ବର୍ଷା ବର୍ଷୁଛି ଏହି ଇଲାକାରେ । ଫଳରେ ଗୋଦାବରୀର ପଛୁଆ ପାଣି ଯୋଗୁଁ କେଉଁଠି ଘରଭିତରେ ପାଣି ପଶିଲାଣି ତ କେଉଁଠି ପାଣି ଭିତରେ ଘର ରହିଯାଇଛି ।

ଅନେକ ଲୋକଙ୍କ ଘର ଭିତରେ ପଶିଛି ୩ରୁ ୪ଫୁଟ ଲେଖାଏଁ ପାଣି । ଯେଉଁଥିପାଇଁ ମୋଟୁ ସହ ତଳିଆ ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । କିଏ ଦେଶୀ ଡଙ୍ଗା ସହାୟତାରେ ନିଜ ନିଜ ଆସବାବ ପତ୍ର ଧରି ସୁରକ୍ଷିତ ସ୍ଥାନକୁ ଚାଲି ଆସୁଛନ୍ତି, ଆଉ କାହା ଗୃହପାଳିତ ପଶୁପକ୍ଷୀ ଭାସିଯାଇଥିବା ଅଭିଯୋଗ ହୋଇଛି ।

ଜାତୀୟ ରାଜପଥ ୩୨୬ ଦେଇ ଆନ୍ଧ୍ର, ତେଲେଙ୍ଗାନା ଏବଂ ଛତିଶଗଡ଼କୁ ଯାଇଥାନ୍ତି ଲୋକେ । ହେଲେ ୧୦ ଫୁଟ ଉପରେ ପାଣିଚାଲୁଛି ଏଇଠି । ମାଇଲ ମାଇଲ୍ ଧରି ଅଟକି ଯାଇଛି ମାଲ ବୋଝେଇ ଟ୍ରକ, ବସ୍ । ଫଳରେ ଯାତ୍ରୀଙ୍କ ସମେତ ଦୂରଦୂରାନ୍ତରୁ ଆସିଥିବା ଟ୍ରକ ଡ୍ରାଇଭର ଏଇଠି ପଡ଼ିରହିଛନ୍ତି । ମାଲକାନଗିରି ଜିଲ୍ଲାରେ ଏଭଳି ସ୍ଥିତି ଗତ ୩୬ ବର୍ଷ ଭିତରେ ହୋଇନାହିଁ ।

ବନ୍ୟା ଦ୍ୱାରା ପଡ଼ିଇା ଏବଂ କାଲିମେଳା ବ୍ଲକର ୧୧ଟି ଗାଁ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ୮୦ଟି ପରିବାରର ପ୍ରାୟ ୫ ଶହରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରିତ କରାଯାଇଛି । ମୋଟ ୬ଟି ପଞ୍ଚାୟତ ପାଣିଘେରରେ ଥିବା କହିଛି ଜିଲ୍ଲା ପ୍ରଶାସନ । ତେବେ ସ୍ଥିତି ଉପରେ ନଜର ରଖାଯାଇଥିବା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ତେଲେଙ୍ଗାନା ଏବଂ ମହାରାଷ୍ଟ୍ରର ବନ୍ୟାପାଣି ଆସିବା ସହ ସିଲେରୁ ଏବଂ ସାବେରୀ ନଦୀପାଣି ଯୋଗୁଁ ଗୋଦାବରୀରେ ଜଳସ୍ତର ବଢ଼ିବାରେ ଲାଗିଛି । ଆଉ ଗୋଦାବରୀର ପଛୁଆ ପାଣି ମୋଟୁ ଅଞ୍ଚଳ ପାଇଁ କାଳ ସାଜିଛି । କୁହାଯାଉଛି ଆନ୍ଧ୍ରର ନିର୍ମାଣାଧିନ ପୋଲାଭରମ ପ୍ରକଳ୍ପ ହେଲେ ଆଗକୁ ଭୟଙ୍କର ସ୍ଥିତି ଉପୁଜିବ । କାରଣ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଗୋଦାବରୀର ପାଣି ନିଷ୍କାସନ ହୋଇନପାରି ସିଲେରୁ ସାବେରୀ ନଦୀ ଫୁଲିବା ସହ ଆଗାମୀ ଦିନରେ ଓଡ଼ିଶା ମାନଚିତ୍ରରୁ ହଜିଯିବ ମୋଟୁ ଇଲାକା । ତେଣୁ ବର୍ତ୍ତମାନଠୁ ସତର୍କ ଆଉ ସଜାଗ ହେବା ସହ ପ୍ରସ୍ତାବିତ ପୋଲାଭରମ ପ୍ରକଳ୍ପ ପାଇଁ ଏବଠୁ ଥଇଥାନ ଉପରେ ଗୁରୁତ୍ୱ ଦେବା ଉଚିତ ବୋଲି ମତ ଉଠିଛି ।