• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଉତ୍ତର ଓଡ଼ିଶାରେ ପଶ୍ଚିମା ଝଡ଼ର ପ୍ରକୋପ । ଗତକାଲିର ଝଡ଼ବର୍ଷା ବେଳେ ଭଦ୍ରକ ଓ ବାଲେଶ୍ୱରରେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ମାଲକାନଗିରିରେ କାନ୍ଥ ପଡ଼ି ଜଣେ ଶିଶୁର ଜୀବନ ଯାଇଛି । କୋରାପୁଟ ଓ ମାଲକାନଗିରିରେ ଝଡ଼ ତୋଫାନ ବହୁ ଘର ଉପରୁ ଛାତ ଉଡାଇ ନେଇଥିବା ବେଳେ ବେଘର ହୋଇଛନ୍ତି ଅନେକ ।

ସେପଟେ ବର୍ଷା, ପବନ ଓ କୁଆପଥର ମାଡ଼ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉଜାଡ଼ି ଦେଇଛି ବହୁ ଚାଷୀଙ୍କ କ୍ଷେତ । ପୁରୀରେ ଧାନ, ନବରଙ୍ଗପୁରରେ ମକା ଆଉ କୋରାପୁଟରେ ପରିବା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତକାଲି ପଶ୍ଚିମା ଝଡ଼ ପ୍ରଭାବରେ ହୋଇଥିବା ଝଡ଼ ପବନ, ଲଗାଣ ବର୍ଷା ଓ କୁଆପଥର ମାଡ଼ରେ ବିଶେଷ କ୍ଷୟକ୍ଷତି ହୋଇଛି ।

ପୁରୀ ଜିଲ୍ଲାର ବ୍ରହ୍ମଗିରି ଅଞ୍ଚଳରେ ଗତକାଲି ହଠାତ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ କ୍ଷତି ହୋଇଛି ଧାନ ଫସଲ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ମଧ୍ୟ କାଲିର ବର୍ଷା ଓ ପବନ ପରେ କ୍ଷେତରେ ଶୋଇଯାଇଛି ଫୁଲ ଓ ଫଳ ଧରିଆସିଥିବା ମକା ଫସଲ ।

ଅଞ୍ଚଳରେ ଏକର ଏକର ଜମିରେ ସ୍ଥିତି ସଙ୍ଗୀନ ହୋଇଛି । ସେପଟେ କୋରାପୁଟ ଜିଲ୍ଲା ଲେନ୍ଦିରି ମାଳିଗୁଡ଼ା ଅଞ୍ଚଳରେ ବାଇଗଣ, ଭେଣ୍ଡି, କଲରା ଓ କାକୁଡ଼ି ଆଦି ବିଭିନ୍ନ କିସମର ପରିବା ଚାଷୀଙ୍କ ଉପରେ ଦାଉ ସାଧିଛି ଅଦିନିଆ ବର୍ଷା ।

ତିନି ଦିନ ଧରି କୋହଲା ପାଗ ସାଙ୍ଗକୁ କାଲିର କୁଆପଥର ବର୍ଷା ପରେ ପାଣିରେ ଲୋଟୁଛି ଏକର ଏକର ପରିବା କ୍ଷେତ । ସେହିଭଳି ବାଲେଶ୍ୱର ଓ ଜିଲ୍ଲାର ଜଳେଶ୍ୱର ଅଞ୍ଚଳରେ ମଧ୍ୟ ବ୍ୟାପକ ପିରମାଣରେ କଖାରୁ, ତରଭୁଜ ଓ ଜହ୍ନି ଭଳି ଲଟା ଫସଲକୁ କ୍ଷତି ପହଞ୍ଚାଇଛି କାଲିର ବର୍ଷା।

ଏପଟେ କାଳବୈଶାଖୀ ବର୍ଷା, ଝଡପବନ ଓ ଘଡ଼ଘଡ଼ି ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଧନଜୀବନକୁ ବି କ୍ଷତି ପହଞ୍ଚାଇଛି । ଭଦ୍ରକ ବାସୁଦେବପୁରରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସେହିପରି ବାଲେଶ୍ୱର ସିମୁଳିଆର ରାମକୃଷ୍ଣପୁର ଗାଁରେ ବଜ୍ରାଘାତରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀର ଅକାଳ ବିୟୋଗ ଖବର ଆସିଛି । ସେପଟେ ମାଲକାନଗିରି ପଡିଆ ବ୍ଲକ ମେଟାଗୁଡ଼ା ଗାଁରେ କାନ୍ଥ ଭୁଶୁଡ଼ି ପଡ଼ି ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ମାଆ-ବାପା ଗୁରୁତର ଆହତ ହୋଇଛନ୍ତି । ଜିଲ୍ଲାର ଅନେକ ସ୍ଥାନରେ ଚାଳ ଓ ଆଜବେଷ୍ଟ ଛପର ଉଡ଼ିଯିବାରୁ ଲୋକେ ବେସାହାରା ହୋଇଛନ୍ତି ।

ସେହିଭଳି କୋରାପୁଟ ଡିଲ୍ଲାର ଦଶରଥପୁର ଓ ପଟାଙ୍ଗି ବ୍ଲକର ବିଭିନ୍ନ ସ୍ଥାନରେ ଘରର ଆଜବେଷ୍ଟସ ଛପର ଉଡିବା ଗଛ ଉପୁଡ଼ି ଘର ଭାଙ୍ଗିଥିବା ଚିତ୍ର ବି ସାମ୍ନାକୁ ଆସିଛି ।