• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁରୀ ଜିଲ୍ଲା ଗୋପ ଅଞ୍ଚଳର ଚାରିଆଡ଼େ ପାଣି, ଆଉ ଡଙ୍ଗାରେ ଆସୁଛନ୍ତି ଗାଁର ଝିଅ-ବୋହୂ, ବୃଦ୍ଧବୃଦ୍ଧା ଓ ଛୋଟଛୋଟ ପିଲାମାନେ । ବନ୍ୟାଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଯାହା ଆଖିକୁ ନିହାତି ସାଧାରଣ ଲାଗୁଥାଇପାରେ । ହେଲେ ବାସ୍ତବରେ ଇଏ ଏକ ଅକୁହା ବେଦନାର ଚିତ୍ର । ଘରଦ୍ୱାର ସହ ପାଇଖାନା ବି ବଢ଼ିପାଣିରେ ବୁଡ଼ିଯାଇଥିବାରୁ, ଉଚ୍ଚା ଜାଗାକୁ ମଳତ୍ୟାଗ ଓ ଶୌଚକର୍ମ ପାଇଁ ଆସୁଛନ୍ତି ମହିଳାମାନେ ।

ଗୋପ ବ୍ଲକ୍‌ର ଗଣେଶ୍ୱରପୁର, ଶିଶୋ, ଗୋଲାସାହି, ଦାମୋଦରପୁର ଓ ସାନଡିହି ଆଦି ଗାଁ ପାଣି ଘେରରେ ଥିବା ବେଳେ, ଏଠି ଦିନକୁ ୨ଥର ଲେଖାଏଁ ୨-୩ଟି ଡଙ୍ଗା ଚାଲୁଛି । ଥରେ ସକାଳେ, ଥରେ ସଞ୍ଜରେ । ଏଣେ ଲଜ୍ଜା, ତେଣେ ବିପଦ ହେଲେ ଶରୀରର ଧର୍ମକୁ ରୋକିବେ ବା କେମିତି ?

ଖାଲି ପୁରୀ ଜିଲ୍ଲା ଗୋପ କାହିଁକି ? ଅଧିକାଂଶ ବନ୍ୟାଞ୍ଚଳରେ ହୁଏତ କେହି ବାହାରକୁ ପ୍ରକାଶ କରୁନଥିବେ, କିନ୍ତୁ ନିଇତି ଭୋଗୁଥିବେ ଏକା ଯାତନା । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ର କୁସୁଡ଼ା ଓ ଗବଗାଁରେ ବି ଅଧା ବୁଡ଼ି ରହିଛି ସ୍ୱଚ୍ଛ ଭାରତ ପାଇଖାନା । କେବେ ପାଣି ଛାଡ଼ିବ କହିହେଉନି । ଏଠି ଲୋକମାନେ ସ୍କୁଲକୁ ରନ୍ଧାଖାଦ୍ୟ ଖାଇବା ପାଇଁ ଡଙ୍ଗାରେ ଯାଉଛନ୍ତି, ଆଉ ଶୌଚ ପାଇଁ ବି ସେଇ ଡଙ୍ଗା ଭରସା । ତାଛଡ଼ା, ଏଠି ଚାରିଆଡ଼େ ପାଣି ଭରି ରହିଥିଲେ ବି, ପିଇବା ଯୋଗ୍ୟ ମୁନ୍ଦାଏ ନାହିଁ । ଅନେକେ ଗୋଳିଆ ବଢ଼ିପାଣିକୁ ହିଁ ରୋଷେଇରେ ବ୍ୟବହାର କରୁଥିବା କହିଛନ୍ତି । ଏଭଳି ବିଷମ ସ୍ଥିତି ବନ୍ୟାଞ୍ଚଳକୁ ଯେ, କେବେ ରୋଗପ୍ରବଣ ଅଞ୍ଚଳ କରିନଦେବ, ସେକଥା କିଏ କହିବ ?

ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକ୍‌ ଓ ଭୋଗରାଇରେ ବି ସୁଧୁରିନି ସ୍ଥିତି । ବାଲିଆପାଳ ବିଷ୍ଣୁପୁର ପଞ୍ଚାୟତରେ ପାଣି ଭିତରେ ପଶି ଡାକ୍ତରଖାନା ଯାଉଛନ୍ତି ପ୍ରସବ ବେଦନାରେ ଛଟପଟ ଗର୍ଭବତୀ । ଏଣେ ଭୋଗରାଇ ବ୍ଲକ୍ କୋହ୍ଲା ଗାଁରେ ବନ୍ୟା ବିପନ୍ନମାନେ ବନ୍ଧ ଉପରେ ପାଲ ତମ୍ବୁ କରି ରହୁଥିବା ବେଳେ, ତାଭିତରେ ଏକ ଛୋଟ ପିଲାମାନେ ପାଠପଢ଼ୁଛନ୍ତି । ତମ୍ବୁ ତଳେ ଛୋଟ ଛୁଆର ପାଠ ପଢ଼ା ଦେଖି ଆମକୁ ମର୍ମେ ମର୍ମେ ଅନୁଭବ କରାଇଥିଲା, ବନ୍ୟା ବିପର୍ଯ୍ୟୟ କେମିତି ପ୍ରଭାବିତ କରିଛି ନଈକୂଳିଆ ଗାଁର ଆବାଳ ବୃଦ୍ଧ ବନିତାଙ୍କୁ ।