• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ତିନି ଦିନ ହୋଇଗଲା ବର୍ଷା ଥମିବାର ନାଁ ନେଉନି। ତୁହାକୁ ତୁହା ବର୍ଷି ଚାଲିଥିବାରୁ ରାସ୍ତାଘାଟ ବୁଡାଇଲାଣି, ଘରେ ବି ଭରି ରହିଛି ପାଣି। ଲଗାଣ ବର୍ଷାରେ ଚାରିଆଡେ ଜଳବନ୍ଦୀ ସ୍ଥିତି ଦେଖାଦେଇଛି। ଗାଁ ଗଣ୍ଡା ସହ କେନ୍ଦୁଝର ସହର ବି ରହିଛି ପାଣି ଘେରରେ। ଜିଲ୍ଲାର ଅରଡେଇ ନଦୀ ପୋଲ ଉପରେ ୩ ଫୁଟର ପାଣି ଚାଲିଛି। ଫଳରେ ଆଖପାଖର ୩ଟି ପଞ୍ଚାୟତ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପ୍ରବଳ ବର୍ଷାରେ ଫୁଲୁଛି ବୈତରଣୀ।

ରାସ୍ତାଘାଟ, ଘରଦ୍ୱାର, ହସ୍‌ପିଟାଲ ଚାରିଆଡେ ଖାଲି ପାଣି ଆଉ ପାଣି। କେଉଁଠି ଆଣ୍ଠୁଏ ତ ଆଉ କେଉଁଠି ଅଣ୍ଟାଏ ପାଣି। ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀରେ ଏହିଛନ୍ତି ସୁନ୍ଦରଗଡ ସହରବାସୀ। ସେହିପରି ବାଲେଶ୍ୱର ଜିଲ୍ଲାରେ ବି ସ୍ଥିତି ବେହାଲ। ଉଛୁଳା ନଦୀର ଜଳ ଗାଁଗଣ୍ଡାରେ ପଶିଛି। ବିପଦସଙ୍କେତ ଉପରେ ବୋହୁଛି ଜଳକା ନଦୀ।

ସେହିପରି ପ୍ରବଳ ବର୍ଷା ଯୋଗୁଁ ରାୟଗଡ଼ା ସିକରପାଇ ରେଳ ଷ୍ଟେସନ୍ ନିକଟ ୩୪ ନମ୍ବର ଟନେଲ୍‌ ପାଖରେ ମାଟି ଅତଡ଼ା ଧସି ରେଳ ଧାରଣାରେ ପଡ଼ିଛି। ପାହାଡରୁ ମାଟି ଅତଡା ସହ ଗଛ ମଧ୍ୟ ଟ୍ରାକ୍ ଉପରେ ପଡିଛି। ଫଳରେ କୋରାପୁଟ-ରାୟଗ଼ଡା ରୁଟ୍‌ରେ ଟ୍ରେନ୍ ଚଳାଚଳରେ ବାଧା ଉପୁଜିଛି। ଏନେଇ ସିକରପାଇ ଷ୍ଟେସନ୍‌ରେ ଦୀର୍ଘ ଘଣ୍ଟା ଧରି ଅଟକି ରହିଥିଲା ଜଗଦଲପୁର-କୋଲକାତା ସମଲେଶ୍ୱରୀ ଏକ୍ସପ୍ରେସ।

ସେହିପରି ରାୟଗଡା-କୋରାପୁଟ ରେଳପଥର ଭାଲୁମୁସ୍କା ଷ୍ଟେସନ୍‌ ଟନେଲ୍‌ ନିକଟରେ ବିରାଟ ପଥର ଖସି ପଡିଛ। ଫଳରେ ଫସି ରହିଛି ମାଲବାହୀ ଟ୍ରେନ। ଜିଲ୍ଲାର ୩୨୬ ନମ୍ବର ଜାତୀୟ ରାଜପଥ ପରଦିଗୁଡା ନିକଟରେ ରାସ୍ତା ଦବିଯିବାରୁ ଠପ୍ ହୋଇଯାଇଛି ଯାତାୟତ। ୫ ଘଣ୍ଟାରୁ ଅଧିକ ସମୟ ଧରି ଅଟକି ରହିଥିଲା ଶହ ଶହ ଯାନବାହନ।

ସେପଟେ ବର୍ଷା କାରଣରୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ଭାଙ୍ଗିଯାଇଛି ବିଜୁ ସେତୁ ଗାର୍ଡ ୱାଲ୍‌। ଫଳରେ ପାଡେନକେତା-ମାଣ୍ଟୁବାଡି ଆପ୍ରୋଚ୍ ରୋଡ୍ ଦବିଯାଇଥିବା ଦେଖାଦେଇଛି।

ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଥିବା ମଧ୍ୟ ଦେଖାଦେଇଛି। କେନ୍ଦୁଝରରେ ଏକ ଅଟୋ ଉପରେ ବିଶାଳ ଗଛ ଉପୁଡି ପଡିବାରୁ ୨ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକ ଓ ଅଗ୍ନିଶମବାହୀନୀ ଗଛକୁ କାଟି ଗୁରୁତରଙ୍କୁ ଉଦ୍ଧାର କରିଛନ୍ତି। ସେହିପରି ଜିଲ୍ଲାର ଟିକରଗୁମୁରା ଗାଁ ମୁଣ୍ଡାସାହିରେ ବର୍ଷା ଯୋଗୁଁ ଭୁଶୁଡି ପଡିଛି ଘର।

ସେପଟେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସେନାପତି କଲୋନୀରେ ପାଣିରେ ବୁଡ଼ି ପ୍ରାଣ ହରାଇଛି ଦେଢ଼ ମାସର ଶିଶୁ। ଲଗାଣ ବର୍ଷାରେ ଘର ଭିତରେ ଆଣ୍ଠୁଏ ପାଣି ପଶିଥିବା ବେଳେ ରାତିରେ ଛୁଆଟି ଖଟରୁ ଖସି ପାଣିରେ ବୁଡିଯାଇଥିଲା। ସେହିପରି ଢେଙ୍କାନାଳ କାମାକ୍ଷାନଗର ବ୍ଳକ୍ ଗୁନେଇବିଲ୍ଲି ଗାଁରେ କାନ୍ଥ ପଡି ମହିଳାଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ଶାନ୍ତିଲତା ଭୋଇ। ଲଗାଣ ବର୍ଷା ଯୋଗୁଁ ଗତକାଲି ଘରକାନ୍ଥ ଭୁଶୁଡ଼ି ପଡ଼ିଥିଲା। ତା’ ଭିତରେ ଚାପି ହୋଇଯାଇଥିଲେ ଶାନ୍ତିଲତା।

ତୁହାକୁ ତୁହା ବର୍ଷାରେ ବେହାଲ ହୋଇପଡିଥିବା ପାଟଣାଗଡରେ ମଧ୍ୟ ଅନେକ ଘର ଭୁଶୁଡି ପଡିଛି। ପାଟଣାଗଡ ବ୍ରହ୍ମପୁରା ଏବଂ ଭାଟିଶାଲ ପଡାରେ ଦୁଇଟି ଘର ଭୁଶୁଡି ପଡିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଥିଲେ ପୁରା ପରିବାର। ମୋହନାରେ ଲଗାଣ ବର୍ଷାର ପାଣି ସୁଅରେ ବୁଡି ରହିଛି ରାସ୍ତାଘାଟ। ଶ୍ମଶାନ ଘାଟକୁ ନେବାକୁ ରାସ୍ତା ନ ଥିବାରୁ ଶବକୁ କାନ୍ଧେଇ ନଦୀ ପାରି କରିଛନ୍ତି ଗାଁ ଲୋକେ।

ପ୍ରବଳ ବର୍ଷା ଯୋଗୁଁ ଶିମିଳିପାଳ ଅଭୟାରଣ୍ୟରୁ ବାହାରିଥିବା ନଦୀଗୁଡିକର ଜଳସସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଦେଓ, ସାଳନ୍ଦୀ, ଖଇରୀଭଣ୍ଡନ ନଦୀରେ ଜଳସ୍ତର ବଢିବାରୁ ତଳିଆ ଅଞ୍ଚ ଳରେ ବନ୍ୟା ଆଶଙ୍କା ରହିଛି। ଦେଓ ମଧ୍ୟମ ଜଳସେଚନ ପ୍ରକଳ୍ପରୁ ପ୍ରଥମଥର ପାଇଁ ୩ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି।