• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜ୍ୟରେ ଉପରମୁହାଁ ପାରଦ । ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ପାଇଁ ତାତି ବଢିଛି । ଆଗକୁ ସ୍ୱାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ । ରାଜ୍ୟର କିଛି ସ୍ଥାନରେ ୩୭ ରୁ ୪୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଛୁଇଁପାରେ ।

ବିଶେଷ କରି ଟୁଇନ୍ ସିଟି କଟକ ଭୁବନେଶ୍ୱର ସମେତ କିଛି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଆସନ୍ତା ୧୪ ତାରିଖରୁ ପରବର୍ତ୍ତୀ ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ରହିଛି ।

ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଆଦିରେ ବିଜୁଳି ଘଡ଼ଘଡ଼ି ସହ ସ୍ୱଳ୍ପ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ଏପରି ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ପଶ୍ଚିମ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ଆହୁରି ବୃଦ୍ଧି ପାଇ ୪୦ ଡିଗ୍ରୀ ଟପିଯିବାର ସମ୍ଭାବନା ରହିଛି । ଆସନ୍ତା ୧୫ ରୁ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ । ଉପକୂଳ ଓ ଉତ୍ତର ଓଡ଼ିଶା ଜିଲ୍ଲାଗୁଡ଼ିକରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଗତକାଲି ରାଜଧାନୀ ତାପମାତ୍ରା ୩୫ ଉପରେ ରହିଥିଲା । ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ିଛି । ଦିନ ବେଳା ପ୍ରବଳ ଖରା ସାଙ୍ଗକୁ ତାତି ଅନୁଭୂତ ହେଉଛି । ମାର୍ଚ୍ଚ ମାସରୁ ଏପରି ଖରା ପରିବେଶବିତଙ୍କର ଚିନ୍ତା ବଢ଼ାଇ ଦେଇଛି । ଏବେଠୁ ତାତି ଜନଜୀବନକୁ କଲବଲ କଲାଣି । ଆଗକୁ ଅବସ୍ଥା ସାଙ୍ଘାତିକ ହେବ ବୋଲି ପାଣିପାଗ ବିଭାଗ ଆଶଙ୍କା ପ୍ରକାଶ କରିଛି ।