• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉବୁଟୁବୁ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକ୍‌ର ଶହ ଶହ ଗାଁ । ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜ୍‌ର ୧୬ ଗେଟ୍ ଖୋଲିବା ପରେ କୋପ ଦେଖାଇଛି ସୁବର୍ଣ୍ଣରେଖା । ବାଲେଶ୍ୱର ଜିଲ୍ଲାର ୪ ପ୍ରମୁଖ ବ୍ଲକ୍ ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତାର ଶହ ଶହ ଗାଁରେ ପଶିଛି ବନ୍ୟା ଜଳ । ଫଳରେ ଗତକାଲି ରାତିରୁ ସବୁଠି କଲବଲ ବିପନ୍ନ । ୬ଟି ବ୍ଲକ୍‌ର ପ୍ରାୟ ୪୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲାପାଳ କହିଛନ୍ତି । ବନ୍ୟାରେ ଜଣେ ନାବାଳକ ଭାସିଯାଇ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି ।

ଭୋଗରାଇ ବ୍ଲକ୍‌ର ମନୁନଗର ଗାଁ ମଝିରେ ଛାତିିଏ ପାଣି । ଏନଡିଆରଏଫ୍ ଡଙ୍ଗା ବୁଲୁଛି, କଦଳୀ ଭେଳାରେ ବି ଯାଆସ ଚାଲିଛି । ଘର, ମନ୍ଦିର, ସ୍କୁଲ ସବୁ ବୁଡ଼ିଛି । ଯୁଆଡ଼େ ଚାହିଁଲେ ପାଣି ଆଉ ପାଣି । ପାଣି ଆହୁରି ବଢିବା ଜାଣି, ବଡ଼ କଷ୍ଟରେ ନିଜସ୍ୱ ଉଦ୍ୟମରେ ଦେଶୀ ଡଙ୍ଗାରେ ମେଡିକାଲ ଯାଇଛନ୍ତି ଜଣେ ଗର୍ଭବତୀ ।

ଭୋଗରାଇ ବ୍ଲକ୍‌ର ୪୫ ଗାଁକୁ ଜଳମଗ୍ନ କରିଛି ଆକସ୍ମିକ ବନ୍ୟା । ବାତ୍ୟା ଆଶ୍ରୟସ୍ଥଳରେ ଅଛନ୍ତି ଶହ ଶହ ଲୋକ । ବଡ଼ ଲୋକମାନେ ଯାହା ଯେମିତି ଦୁଇମୁଠା ଖାଦ୍ୟରେ ପେଟ ତ ପୂରାଇ ଦେଉଛନ୍ତି, ହେଲେ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ଛୋଟ ଛୋଟ ଶିଶୁ । ବନ୍ୟା ଆସିୁଥିବା ଶୁଣି ଛାନିଆରେ ଘର ଲୋକ । ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସିନା ନେଇ ଆସିଲେ, ହେଲେ ଛାଡ଼ି ଆସିଲେ ଖାଦ୍ୟ ପେୟ । କିଛି ବିସ୍କୁଟ୍ ଓ କଞ୍ଚା ଚୂଡ଼ାରେ କେମିତି ପିଲାଙ୍କୁ ଖାଇବାକୁ ଦେବେ, ମାଆମାନଙ୍କୁ ଘାରିଛି ଚିନ୍ତା ।

ବାଲିଆପାଳ ବ୍ଲକ୍‌ର ବନ୍ୟାସ୍ଥିତି ଆହୁରି ସଂଗୀନ । ସୁବର୍ଣ୍ଣରେଖା କୋପରେ ଏଠି ବି ୪୫ରୁ ୫୦ ଗାଁର ଲୋକ ଜଳ ଯନ୍ତ୍ରଣା ଭିତରକୁ ଠେଲି ହୋଇ ଯାଇଛନ୍ତି । ପାଣିରେ ଚାଷଜମି ଓ ଗାଁଦାଣ୍ଡ ସବୁ ଏକାକାର । କେଉଁଠି ଗାଁ ରାସ୍ତାରେ ୭ ଫୁଟ ପାଣି ତ ଗାଁ ଭିତରେ ୮ଫୁଟ୍ ପାଣି ଚାଲୁଛି । ଉଦ୍ଧାରକାରୀ ଦଳ ଡଙ୍ଗା ଧରି ପଇଁତରା ମାରୁଛନ୍ତି । କଚ୍ଚା ଘର ଓ ଜଳବନ୍ଦୀସ୍ଥିତିରେ ଥିବା ଲୋକଙ୍କୁ ଖୋଜି ଖୋଜି ଉଦ୍ଧାର କରୁଛନ୍ତି । ଚଡ଼ବସ୍ତ ଓ ଚୌଧୁରୀକୁଦ ଗାଁ ସର୍ବାଧିକ ଦୁଃସ୍ଥିତିରେ ରହିଛନ୍ତି । ଲୋମାନେ ପିଇବା ପାଣି ମୁନ୍ଦେ ପାଇଁ କଲବଲ ହେଉଛନ୍ତି ।

ବନ୍ୟାପାଣିର ସୁଅ ଏତେ ପ୍ରଖର ଯେ, ବସ୍ତା ବ୍ଲକ୍ ରାମଚନ୍ଦ୍ରପୁର ଗାଁ ଭିତରକୁ ଯାଇ ବିପନ୍ନଙ୍କୁ ଭେଟିବା ଅସମ୍ଭବ ଥିଲା । ତେବେ ଗାଁ ଭିତରୁ କିନ୍ତୁ କିଛି ଛୋଟ ଛୋଟ ପିଲାଙ୍କୁ କାଖେଇ ଓ କାନ୍ଧରେ ବସେଇ ଲୋକମାନେ ଆସୁଥିଲେ । ବନ୍ୟାସୁଅକୁ ଖାତିର ନକରି କାହିଁକି ଏମିତି ବିପଦପୂର୍ଣ୍ଣ ଭାବେ ଆସୁଛନ୍ତି ବୋଲି ପଚାରିବାରୁ, କହିଥିଲେ ପିଲମାନେ ଜ୍ୱର-ଥଣ୍ଡାରେ ଆକ୍ରାନ୍ତ । ମେଡିକାଲରେ ପହଞ୍ଚିବାକୁ ପଡ଼ିବ । ଡଙ୍ଗା, ସ୍ୱାସ୍ଥ୍ୟକର୍ମୀ କି ପ୍ରଶାସନ କାହାରି ତ ଦେଖାନାହିଁ । ସେପଟେ ବନ୍ୟାରେ ପାଳସିଆ ଗାଁର ଜଣେ ୧୦ବର୍ଷର ପିଲା ଭାସି ଯାଇଥିବା ଅଭିଯୋଗ ହୋଇଛି ।

ଜଳେଶ୍ୱର ବ୍ଲକ୍‌ରେ ବି ସୁବର୍ଣ୍ଣରେଖା ବନ୍ୟାର ସମାନ ସ୍ଥିତି । ପ୍ରାୟ ୩୦ରୁ ଅଧିକ ଗାଁରେ ମାଡ଼ିଛି ପାଣି । ଯଦିଓ ମଧ୍ୟାହ୍ନ ପରେ ସୁବର୍ଣ୍ଣରେଖାରେ ପାଣି କମିଛି, ହେଲେ ତଥାପି ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି । ରାଜଘାଟଠାରେ ସୁବର୍ଣ୍ଣରେଖାର ଡେଞ୍ଜର ଲେବଲ୍ ୧୦.୩୬ ମିଟର ଥିବାବେଳେ ୧୧ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି ।

ବାଲେଶ୍ୱର ଜିଲ୍ଲାପାଳ କହିଛନ୍ତି ପାଣି କମୁଥିବାରୁ ଖୁବଶୀଘ୍ର ବନ୍ୟାସ୍ଥିତିରେ ସୁଧାର ଆସିବ । ତେବେ ଜିଲ୍ଲାରେ ୬ଟି ବ୍ଲକ୍‌ର ପ୍ରାୟ ୮୩ ପଞ୍ଚାୟତର ୧୫୬ ଗାଁ ପ୍ରଭାବିତ ହୋଇଛି । ସେ କହିଛନ୍ତି ଗତକାଲି ମଧ୍ୟାହ୍ନରୁ ଆଜି ଭିତରେ ୪୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ୨୨୭ ଆଶ୍ରୟ ସ୍ଥଳୀରେ ସେମାନଙ୍କୁ ରଖାଯାଇଛି ଓ ୧୮୭ ସ୍ଥାନରେ ମାଗଣା ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ବନ୍ୟା ଛାଡ଼ିଲେ କ୍ଷୟକ୍ଷତି ଆକଳନ ହେବ ।