• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାତ୍ୟା ଅସାନି ସିନା ସ୍ଥଳଭାଗ ଆସିଲାନି । କିନ୍ତୁ ଅନୁଭୂତ ହେଉଛି ଓଡ଼ିଶା ଉପକୂଳରେ । ଦକ୍ଷିଣ ଓଡ଼ିଶାଠୁ ପୂର୍ବ ଓଡ଼ିଶା ଉପକୂଳ ଯାଏଁ ଅଶାନ୍ତ ହୋଇଛି ସମୁଦ୍ର । ପବନ ବହୁଛି ତୁହାକୁ ତୁହା, ଲାଗିରହିଛି ଝିପି ଝିପି ବର୍ଷା । ସୀମାନ୍ତ ଆନ୍ଧ୍ର କୋରାପୁଟରେ ପ୍ରବଳ ବର୍ଷା । ବାତ୍ୟା ଅସାନିର ପ୍ରଭାବରେ ଆଜି ସକାଳୁ ଲାଗିରହିଛି ବର୍ଷା ସାଙ୍ଗକୁ କୋହଲା ପାଗ ।

ଜିଲ୍ଲାର କୋରାପୁଟ ସମେତ, ପଟାଙ୍ଗି, ସେମିଳିଗୁଡ଼ା, ନନ୍ଦପୁର, ନାରାୟଣପାଟଣାରେ ଆଜି ଏଭଳି ନିର୍ଧୁୁମ ବର୍ଷା ଲାଗି ରହିଛି । ତେଣୁ ତଳି ଅଞ୍ଚଳ ଲୋକେ ପ୍ରଭାବିତ ହେବାର ଆଶଙ୍କା କରି ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍‌କୁ ମୁତୟନ କରାଯାଇଛି । ସେହିପରି ମାଲକାନଗିରି ଜିଲ୍ଲାରେ ମଧ୍ୟ ବର୍ଷା । ବାତ୍ୟା ଯେହେତୁ ସୀମାନ୍ତ ଆନ୍ଧ୍ର କାକିନାଡାକୁ ଛୁଉଁଛି, ତେଣୁ ମାଲକାନଗିରିରେ ମଧ୍ୟ ଏହାର ପ୍ରଭାବ ପଡ଼ିବାର ଆଶଙ୍କା କରି ଆଜି ଦିନକ ପାଇଁ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି କରାଯାଇଥିଲା । ତାସହ ଜିଲ୍ଲାରେ ୧୦ଟି ଅଗ୍ନିଶମ ଓ ୨ଟି ଓଡ୍ରାଫ ଟିମକୁ ନିୟୋଜିତ କରାଯାଇଛି । ସେହିପରି ଗଜପତି ଓ ରାୟଗଡ଼ା ଜିଲ୍ଲାରେ ମଧ୍ୟ କୋହଲା ପାଗ ସାଙ୍ଗକୁ ଲାଗିରହିଛି ଝିପିଝିପି ବର୍ଷା ।

ସେହିଭଳି ଗଂଜାମ ଗୋପାଳପୁର ସମୁଦ୍ରକୂଳ ବି ଅଶାନ୍ତ । ଲାଗିରହିଛି କୋହଲା ପାଗ । ସୁ ସୁ ଗର୍ଜନ କରି ମାଡ଼ି ଆସୁଛି ସାମୁଦ୍ରିକ ଢେଉ । ଜନଶୂନ୍ୟ ହୋଇଯାଇଛି ଇଲାକା । କାଳେ କୌଣସି ମତ୍ସ୍ୟଜୀବୀ ସମୁଦ୍ର ଭିତରେ ରହିଯାଇଥିବେ, ତାର ନୀରିକ୍ଷଣ କରୁଛି ଆର୍ଯ୍ୟପଲ୍ଲ ସାମୁଦ୍ରିକ ଥାନା ପୋଲିସ ।

ହେଲେ ପୁରୀ ସମୁଦ୍ର କୂଳରେ କିନ୍ତୁ ଲୋକେ ଅମାନିଆ । ଯୁଆଡ଼େ ଚାହିଁବେ ପର୍ଯ୍ୟଟକଙ୍କ ଭିଡ଼ । ଅଶାନ୍ତ ସମୁଦ୍ରର ଢେଉରେ ସମୁଦ୍ର ଗାଧୁଆ ଭିତରେ ସମସ୍ତେ ଯେମିତି ଭୁଲିଯାଇଛନ୍ତି ବାତ୍ୟା କଥା । ଅବଶ୍ୟ ଢେଉ ବଢ଼ିବା ପରେ କମିଛି ପର୍ଯ୍ୟଟକଙ୍କ ସଂଖ୍ୟା ।

କେବଳ ପୁରୀ କାହିଁକି, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ପେଣ୍ଠ ବେଳାଭୂମିର ବି ପର୍ଯ୍ୟଟକଙ୍କ ଭିଡ଼ । ଅବଶ୍ୟ ଏଇଠି ବାତ୍ୟା ଅସାନିର ସେତେଟା ପ୍ରଭାବ ପଡ଼ିନି । ତେବେ ବାତ୍ୟା ଅସାନି ଯେତିକି ସ୍ଥଳଭାଗ ମୁହାଁ ହେଉଛି, ସେତିକି ଅଶାନ୍ତ ହେଉଛି ବାଲେଶ୍ୱର ଜିଲ୍ଲାର ବଳରାମଗଡ଼ି ଉପକୂଳ । ପୂର୍ବ ଅପେକ୍ଷା ଏଇଠି ସାମୁଦ୍ରିକ ଜୁଆରର ଉଚ୍ଚତା ବଢ଼ିବାରେ ଲାଗିଛି । କୋହଲା ପାଗ ସାଙ୍ଗକୁ ବର୍ଷା ଆରମ୍ଭ ହୋଇଛି ।

ବାତ୍ୟା ଅସାନି ଏବେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି । ଆଜି ରାତିରେ ଆହୁରି ଦୁର୍ବଳ ହୋଇ ଡିପ୍ ଡିପ୍ରେସନ ଓ କାଲି ସକାଳ ସୁଦ୍ଧା ଡିପ୍ରେସନର ରୂପ ନେବ ବୋଲି କହିଛି IMD । ଏହାର ପ୍ରଭାବରେ କାଲି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ଉପକୂଳ ଅଞ୍ଚଳରେ ୪୦ରୁ ୫୦ କିମି ରହିପାରେ । ସେପଟେ ଗଞ୍ଜାମ, ଗଜପତି, ରାୟଗଡ଼ା, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି କରିଛନ୍ତି ଏସ୍‌ଆରସି ା ବାତ୍ୟା ମୁକାବିଲା ପାଇଁ ୫ ଜିଲ୍ଲାରେ ମୁତୟନ ହୋଇଛନ୍ତି ଅଗ୍ନିଶମ ବିଭାଗର ୧୨ଟି ଟିମ୍ ।

ବାତ୍ୟା ଭିତରେ କିଛି ଅମାନିଆଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ସୋରଣ ଅଞ୍ଚଳର କିଛି ମତ୍ସ୍ୟଜୀବୀ ପ୍ରଶାସନର କଡ଼ା ତାଗିଦ୍ ସତ୍ତ୍ୱେ ଚିଲିକା ଭିତରକୁ ମାଛ ମାରିବାକୁ ଯାଇଥିବାବେଳେ ଟାଙ୍ଗୀ ପୋଲିସ ଓ ମତ୍ସ୍ୟ ବିଭାଗ ଅଧିକାରୀ ଏମାନଙ୍କୁ ଧରି ଆଣି କୁହୁଡି ଫାଣ୍ଡିରେ ରଖିଛନ୍ତି ।