• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବଙ୍ଗୋପସାଗରରେ ବାତ୍ୟା ଅସାନି କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ହେଲେ ଏହାର ପ୍ରଭାବରେ ଆଜିଠୁ କଟକ ଭୁବନେଶ୍ୱର ସମେତ ରାଜ୍ୟର ଉପକୂଳବର୍ତ୍ତି ଅଞ୍ଚଳରେ ତୁହାକୁ ତୁହା ବର୍ଷା ଆରମ୍ଭ ହୋଇଯାଇଛି । ଆସନ୍ତା ୧୨ ତାରିଖ ସୁଦ୍ଧା ଏହିଭଳି ପାଗ ଲାଗି ରହିବା ସହ କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ପୂର୍ବାନୁମାନ ରହିଛି । ସେହିପରି ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ନିୟମ ଉଲ୍ଲଂଘନକାରୀ ମତ୍ସ୍ୟଜୀବୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଛି ।

କେଉଁଠି ଗଭୀର ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀଙ୍କୁ କୋଷ୍ଟଗାର୍ଡ ସହାୟତାରେ ଏୟାରଲିଫ୍ଟ କରି ଉଦ୍ଧାର, ତ କେଉଁଠି ଢେଉ ମାଡ଼ରେ ବୁଡ଼ିଯାଉଥିବା ଡଙ୍ଗା, ଆଉ ସେଥିରୁ ଭାଗ୍ୟ ବଳରେ ବର୍ତ୍ତୁଥିବା ମତ୍ସ୍ୟଜୀବୀ । ବାତ୍ୟା ଅସାନି ପ୍ରଭାବର ଏହି ଦୁଇଟିଯାକ ଛାତିଥରା ଚିତ୍ର ଘଟିଛି ଗଞ୍ଜାମ ଉପକୂଳରେ ।

ତେବେ ସୌଭାଗ୍ୟକୁ ବୁଡ଼ିଯାଉଥିବା ଏ ଡଙ୍ଗାରୁ ପହଁରି ପହଁରି ସବୁ ମତ୍ସ୍ୟଜୀବୀଙ୍କ ସହ ବାତ୍ୟା ମଧ୍ୟ ଆସୁଛି । ଅନ୍ୟ ୫ଟି ଡଙ୍ଗାରୁ ପାଖାପାଖି ୫୫ ଜଣ ମତ୍ସ୍ୟଜୀବୀ ଜୀବନ ଧରି କୂଳକୁ ଫେରି ଆସିଛନ୍ତି । ଆଉ ଆନ୍ଧ୍ର ଉପକୂଳ ପାଖାପାଖି ବାତ୍ୟା ଆସିବା ପରେ ବିଶାଖାପାଟନମ୍‌ରେ ମୂଷଳ ଧାରାରେ ବର୍ଷା ସାଙ୍ଗକୁ ପବନ ବହିବାରେ ଲାଗିଛି ।

ଏପଟେ ଅସାନି ଓଡ଼ିଶା ଉପକୂଳର ଯେତେ ଯେତେ ନିକଟବର୍ତ୍ତୀ ହେଉଛି, ଗୋପାଳପୁରଠୁ ନେଇ ପୁରୀ, ପାରାଦୀପ ସବୁଠି ଅଶାନ୍ତ ହେବାରେ ଲାଗିଛି । ସମୁଦ୍ର ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ପବନ ସେମିତି ନଥିଲେ ମଧ୍ୟ ଆଜି ସକାଳୁ ଉପକୂଳବର୍ତ୍ତି ଜିଲ୍ଲାରେ ତୁହାକୁ ତୁହା ବର୍ଷା ବି ଆରମ୍ଭ ହୋଇଯାଇଛି ।

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ସମୁଦ୍ରରେ ଭୀଷଣ ବାତ୍ୟା ଅସାନି ଏହା ଭିତରେ ତାର ସବୁଠୁ ତୀବ୍ର ସ୍ତର ଅତିକ୍ରମ କରି ସାରିଛି । ତେଣୁ ଏହାର ପ୍ରଭାବରେ ଉପକୂଳରେ ୪୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ଆଜିଠୁ ୧୨ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବର୍ଷା ଲାଗି ରହିବ ।

ତେବେ କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଓ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ବି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏପରିକି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲ୍‌କାନାଗିରି, କୋରାପୁଟ, ଗଞ୍ଜାମ ଓ ପୁରୀ ଜିଲ୍ଲାର କିଛି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷାର ପୂର୍ବାନୁମାନ କରାଯାଇଛି । ସେ ଦୃଷ୍ଟିରୁ ଚାଷୀଙ୍କୁ ସତର୍କ କରାଯିବା ସହ ଜିଲ୍ଲା କୃଷି ଅଧିକାରୀଙ୍କୁ କ୍ଷୟକ୍ଷତି ଉପରେ ନଜର ରଖିବାକୁ କୁହାଯାଇଛି ।

ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ପ୍ରବେଶ ବାରଣ କରାଯାଇଛି । ଏଥିପାଇଁ ଗୋପାଳପୁର ବନ୍ଦର ଲାଗି ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଥିଲା ବେଳେ ପୁରୀ, ଚାନ୍ଦବାଲି ଓ ପାରାଦୀପ ବନ୍ଦର ପାଇଁ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଏହା ସତ୍ତ୍ୱେ ନିର୍ଦ୍ଦେଶକୁ ନମାନି ଯଦି କେହି ସମୁଦ୍ର ଭିତରକୁ ଯାଆନ୍ତି, ତାହେଲେ ସେମାନଙ୍କ ବିରୋଧରେ ବିପର୍ଯ୍ୟୟ ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ଏସ୍ଆର୍‌ସି ।