Advertisment

ରଜ ଗଲା, ତଥାପି ନିଖୋଜ ମୌସୁମୀ; ଚାଷୀଙ୍କୁ ଘାରିଲା ଗଜା ମରୁଡ଼ି ଆଶଙ୍କା

ଅକ୍ଷି ତୃତୀୟାରୁ ବୁଣା ଯାଇଥିବା ଧାନ, ଖରାରେ ଜଳି ଗଜା ମରୁଡ଼ି ସ୍ଥିତି ହେଲାଣି। ପାଣିପାଗ ବିଭାଗ ବି ମାନିଛି, ଜୁନରେ ରାଜ୍ୟରେ ଏବେ ସୁଦ୍ଧା ୪୨ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି, ତେବେ ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ।

author-image
Manoranjan Behera
undefined

Odisha Weather

ଜୁନ୍ ଅଧା ହେଲାଣି, ହେଲେ ମୌସୁମୀ ଗାଏବ। ବର୍ଷା ନଥିବାରୁ ସାରା ରାଜ୍ୟରେ ବୈଶାଖ ଭଳି ତାତି ସାଙ୍ଗକୁ ପ୍ରଚଣ୍ଡ ଗୁଳୁଗୁଳି କଲବଲ କରୁଛି। ତେଣେ ଆକାଶକୁ ଚାହିଁ ଚାହିଁ ଚାଷୀ ଛାତିରେ ଛନକା ପଶିଲାଣି। ଅକ୍ଷି ତୃତୀୟାରୁ ବୁଣା ଯାଇଥିବା ଧାନ, ଖରାରେ ଜଳି ଗଜା ମରୁଡ଼ି ସ୍ଥିତି ହେଲାଣି। ପାଣିପାଗ ବିଭାଗ ବି ମାନିଛି, ଜୁନରେ ରାଜ୍ୟରେ ଏବେ ସୁଦ୍ଧା ୪୨ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି, ତେବେ ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ।

Advertisment

ରଜ ଗଲା..ତଥାପି ମୌସୁମୀର ଦେଖା ନାହିଁ। ଯେଉଁ ବେଳରେ ବର୍ଷା କାଚିବା କଥା ସେତେବେଳେ ମୁହଁରେ ମାଡ଼ ହେଉଛି ଲୁ ଭଳି ତତଲା ପବନ, କଲବଲ କରୁଛି ଗୁଳୁଗୁଳି। ଜୁନ୍ ୮ରୁ ମୌସୁମୀ ଓଡ଼ିଶା ଛୁଇଁଲାଣି, ହେଲେ ଆକାଶରେ ମେଘ ଖଣ୍ଡେ ଦିଶୁନି। ଏଣେ ସକାଳ ୮ ବେଳକୁ ଅନୁଭବ ହେଉଛି ପ୍ରଚଣ୍ଡ ଖରା।

ଗତକାଲି ନୂଆପଡ଼ାରେ ତାପମାତ୍ରା ୪୩ ଡିଗ୍ରୀ ବି ରେକର୍ଡ ହୋଇଇଛି। ଆଉ ଉପକୂଳ ଓଡ଼ିଶାରେ ତ ଘର ଭିତରେ ହେଉ କି ବାହାରେ, ଲୋକେ ଗରମରେ ଝାଳରେ ଗାଧାଇ ପଡୁଛନ୍ତି। ଏଠି ପ୍ରଶ୍ନ ଆଉ କେତେ ଦିନ ଲାଗି ରହିବ ଏଭଳି ବିଷମ ସ୍ଥିତି ? କେବେ ଭିଜେଇବ ମୌସୁମୀ ବର୍ଷା ? ପାଣିପାଗ ବିଭାଗର ସୂଚନା- ଉପକୂଳ ଓଡ଼ିଶାରେ ଆହୁରି ତିନିରୁ ୪ ଦିନ ଯାଏଁ ଦାଉ ସାଧିବ ଗୁଳୁଗୁଳି। ତେବେ ପଶ୍ଚିମ ଓଡିଶାରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ।

Advertisment

ଆଗାମୀ ୫ ଦିନ ଯାଏଁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି। ୧୯ ଓ ୨୦ ତାରିଖରେ ବର୍ଷା ପରିମାଣ ବଢ଼ିବ। ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ବି ଅନୁମାନ କରିଛି ପାଣିପାଗ ବିଭାଗ। ମୌସୁମୀ ଆଉ ୪ଦିନ ଭିତରେ ଓଡ଼ିଶାର ଅନ୍ୟ ଜିଲ୍ଲାମାନଙ୍କୁ ଅଗ୍ରସର ହେବ ବୋଲି ଆଶ୍ୱାସନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଶୁଖିଲା ଜୁନ୍ ଚାଷୀ କୂଳକୁ ସବୁଠୁ ଅଧିକ ହତାଶ କରିଛି। ଯେଉଁ ଚାଷୀମାନେ ଅକ୍ଷି ତୃତୀୟାରୁ ଧାନ ଅନୁକୂଳ କରିଥିଲେ, ରଜବେଳେ ବର୍ଷାକୁ ଅନେଇଥିଲେ। ହେଲେ ମୌସୁମୀ ଲୁଚକାଳି ଖେଳିବାରୁ ଜମିରେ ଗଜା ମରୁଡ଼ି ସ୍ଥିତି ଉପୁଜିଲାଣି। ବୌଦ୍ଦ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଆଦି ଜିଲ୍ଲାରୁ ଆସିବାରେ ଲାଗିଛି ଶୁଖିଲା କ୍ଷେତର ବିକଳ ଚିତ୍ର। ବୌଦ୍ଦ ଜିଲ୍ଲାରେ ମାତ୍ର ୩୨ ପ୍ରତିଶତ ବର୍ଷା ହୋଇଥିବାବେଳେ ୬୮ ପ୍ରତିଶତ କମ୍ ବର୍ଷାର ସମ୍ମୁଖୀନ ହୋଇଛି ମୟୂରଭଞ୍ଜ।

ପାଣିପାଗ ବିଭାଗ ବି ମାନିଲାଣି, ଜୁନ୍ ପହିଲାରୁ ଆଜି ଯାଏଁ ରାଜ୍ୟରେ ୪୨ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ସମ୍ବଲପୁର, ଦେବଗଡ଼, କନ୍ଧମାଳ, ମାଲକାନଗିରି ଓ ଜଗତସିଂପୁର ଜିଲ୍ଲାକୁ ଛାଡ଼ିଲେ ବାକି ସବୁଠି ବର୍ଷାର ଘୋର ଅଭାବ। କଳାହାଣ୍ଡି, ବୌଦ୍ଧ, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ୬୫ ପ୍ରତିଶତ ବର୍ଷା ଅଭାବ। ମୌସୁମୀ ଓଡ଼ିଶା ଛୁଇଁବାର ଗୋଟିଏ ସପ୍ତାହ ବିତିଥିଲେ ବି ସ୍ଥିତି ବଦଳୁନଥିବାରୁ ଚିନ୍ତା ବଢ଼ିଛି। ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ-ମାଲକାନଗିରି ଓ କୋରାପୁଟ ଜିଲ୍ଲାର କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ରହିଛି। ସମ୍ପୂର୍ଣ ଓଡ଼ିଶାକୁ ଛୁଇଁବାକୁ ଆଉ କିଛି ଦିନ ଲାଗିବ।

ବର୍ଷା ଅଭାବରୁ ତାତି କମୁନି କି କ୍ଷେତରେ ତଳି ପଡ଼ିନି। କେବେ ସରିବ ମୌସୁମୀର ଲୁଚକାଳି ଖେଳ, ଏବେ ତାକୁ ସମସ୍ତଙ୍କ ଅପେକ୍ଷା।

Monsoon Drought Situation Heat Wave Weather News Odisha Weather Temperature
Advertisment
Advertisment