• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଇତିହାସରେ ପ୍ରଥମ ଥର ଏପରି ଘଟଣା ଘଟିଛି । କୌଣସି ଏକ ମରୁଭୂମିରେ ତୁଷାରପାତ ଦେଖିବାକୁ ମିଳିଛି । ଜଳବାୟୁ ପରିବର୍ତ୍ତନର ଭୟଙ୍କର ଚିତ୍ର ଦେଖିବାକୁ ମିଳିଛି । ବର୍ତ୍ତମାନର ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ମଣିଷ ପାଇଁ ଏକ ବିରାଟ ସମସ୍ୟା ରୂପେ ଉଭା ହୋଇଛି । କିଛିଦିନ ତଳେ ସାହାରା ମରୁଭୂମିରେ ବନ୍ୟା ହୋଇଥିବା ବେଳେ ଗତକାଲି ସାଉଦି ଆରବର ମରୁଭୂମିରେ ତୁଷାରପାତ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି ।

ଶୀତ ଆସିବା ପୂର୍ବରୁ ଏପରି ଘଟଣା ପାଣିପାଗ ବିଶେଷଜ୍ଞଙ୍କର ନିଦ ହଜାଇ ଦେଇଛି । ସାଧାରଣତଃ ଆରବ ମରୁଭୂମି ଶୁଷ୍କ ଜଳବାୟୁ ପାଇଁ ପରିଚିତ । ତଥାପି ଏହି ଅଞ୍ଚଳ 'ୱିଣ୍ଟର ୱଣ୍ତରଲ୍ୟାଣ୍ତ'ରେ ରୂପାନ୍ତରିତ ହେବା ସଚେତନ ନାଗରିକଙ୍କୁ ବ୍ୟଥିତ କରିଛି । ଗତ କିଛିଦିନ ଧରି ସାଉଦିଆରବରେ ଅସ୍ୱାଭାବିକ ପାଣିପାଗର ସ୍ଥିତି ରହିଛି । ଗତ ସପ୍ତାହରେ ମଧ୍ୟ ସେଠାରେ ପ୍ରବଳ ବର୍ଷା ହୋଇଥିବା ଜଣାପଡ଼ିଥିଲା ।

ବର୍ତ୍ତମାନ ଏପରି ତୁଷାରପାତ ହୋଇଛି ଯେ, ପୂରା ଇଲାକା ଧଳା ଦିଶୁଛି । ସତେ ଯେମିତି ଏହା କୌଣସି ମରୂ ଉପତ୍ୟକା ନୁହେଁ, ବରଫାବୃତ କୌଣସି ଏକ ଅଞ୍ଚଳ । ବର୍ଷ ତମାମ୍ ଶୁଷ୍କ ଜଳବାୟୁ ଭୋଗୁଥିବା ଅଲ୍-ଜାଫର୍‌ର ଏହି ପରିବର୍ତ୍ତିତ ରୂପ କେବଳ ଜଳବାୟୁ ବିଶେଷଜ୍ଞ ନୁହେଁ ବରଂ ପୂରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ।

ଗତ ବୁଧବାର ପ୍ରବଳ ବର୍ଷା ସହ କୁଆପଥର ବୃଷ୍ଟି ପରେ ଅଲ୍-ଜାଫର୍‌ର କେତେକ ଅଞ୍ଚଳ ସହ ରିୟାଦ୍, ମକ୍କାରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା । ଫଳସ୍ୱରୂପ ଆସିର୍, ତାବୁକ, ଅଲ୍‌ବାହା ଆଦି ଅଞ୍ଚଳ ପ୍ରଭାବିତ ହୋଇଛି । ଅଲ୍-ଜାଫର୍‌ରେ ଲଗାତାର ବର୍ଷା ଓ କୁଆ ପଥର ବୃଷ୍ଟି ପରେ ତୁଷାରପାତ ମଧ୍ୟ ହୋଇଥିଲା । ଏହା ହିଁ ଆଗକୁ ଘଟିବାକୁ ଯାଉଥିବା ଗମ୍ଭୀର ପରିସ୍ଥିତି ବିଷୟରେ ସମଗ୍ର ବିଶ୍ୱକୁ ଚେତାବନୀ ଦେଇଛି ।

ଆଗାମୀ ଦିନମାନଙ୍କରେ ମଧ୍ୟ ଏପରି ସ୍ଥିତି ଲାଗିରହିପାରେ ବୋଲି ପାଣିପାଗ ବିଶେଷଜ୍ଞ ଆଶଙ୍କା କରିଛନ୍ତି । ଏପରି ହେଲେ ସ୍ଥାନୀୟ ଅଞ୍ଚଳର ପାଣିପାଗ ବିଗିଡ଼ି ଯିବାର ମଧ୍ୟ ଭୟ ରହିଛି । ଫଳରେ ସେଠାକାର ବାସିନ୍ଦାଙ୍କ ପାଇଁ ଏହା ନିହାତି ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ । ଅନ୍ୟପଟେ ପବନ ସହ ଝଡ଼ ହେବାର ସମ୍ଭାବନା ମଧ୍ୟ ଦେଖାଦେଇଛି ।

ଗତ କିଛିଦିନ ହେବ ବିଶ୍ୱ ତାପନ ବୃଦ୍ଧି ପାଣିପାଗ ବିଶେଷଜ୍ଞଙ୍କ ନିଜ ହଜାଇ ଦେଇଛି । ଆଣ୍ଟାର୍କଟିକାରୁ ବରଫ ତରଳିବାରେ ଲାଗିଛି । ବର୍ତ୍ତମାନ ମରୁଭୂମିରେ ମଧ୍ୟ ହେଲାଣି । ଆଗକୁ ଯେ ପରିସ୍ଥିତି ଭୟଙ୍କର ହେବାକୁ ଯାଉଛି ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ତେବେ ସାଉଦି ଆରବ ଯେ ଜଳବାୟୁ ପରିବର୍ତ୍ତନର ସମ୍ମୁଖୀନ ହେଉଛି ତାହା ନୁହେଁ, UAE ମଧ୍ୟ ଏହା ଦ୍ୱାରା ଭୀଷଣ ଭାବେ ପ୍ରଭାବିତ ହୋଇଛି । ଗତ କିଛିଦିନ ତଳେ ସେଠାରେ ଭୀଷଣ ବନ୍ୟା ହୋଇଥିଲା । ଉଚ୍ଚ ଉଚ୍ଚ ଅଟ୍ଟାଳିକାରେ ମଧ୍ୟ ପାଣି ପଶିଯାଇଥିଲା ।

ଏହିପରି ଭାବେ ବିଶ୍ୱର ସର୍ବବୃହତ୍ ମରୁଭୂମି ସାହାରାରେ ମଧ୍ୟ ସବୁଜିମା ଦେଖିବାକୁ ମିଳିଥିଲା । ଧଳା ଭୂମିରୁ ସବୁଜ ପାଲଟୁଛି ଆଣ୍ଟାର୍କଟିକା । ଏଭଳି ହେବା ପଛରେ ବିଶ୍ୱ ତାପମାନ ବୃଦ୍ଧି ସହ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରାଯାଇଛି । ଆଣ୍ଟାର୍କଟିକା ମହାଦେଶର ପୂର୍ବରୁ ବରଫରେ ଆଚ୍ଛାଦିତ ହୋଇ ଧଳା ରଙ୍ଗ ଦେଖାଯାଉଥିବା କିଛି ଅଞ୍ଚଳ ଏବେ ସବୁଜ ରଙ୍ଗକୁ ପରିବର୍ତ୍ତନ ହୋଇଛି ।

ଏକ୍ସେଟର ଏବଂ ହର୍ଟଫୋର୍ଡଶାୟରର ବୈଜ୍ଞାନିକ ସାଟେଲାଇଟ ଇମେଜ ଅନୁଧ୍ୟାନ ସହ ଅନୁସନ୍ଧାନରୁ ଏଭଳି ଜାଣିପାରିଛନ୍ତି । ଗତ ୪୦ ବର୍ଷ ମଧ୍ୟରେ ୧୦ଗୁଣା ଅଧିକ ଭୂମି ଧଳାରୁ ସବୁଜ ରଙ୍ଗକୁ ପରିବର୍ତ୍ତନ ହୋଇଛି । ଯାହା ବିଶ୍ୱତାପନ ବୃଦ୍ଧିକୁ ସୂଚାଉଛି । ନେଚର ଜିଓସାଇନସ ନାମକ ପତ୍ରିକାରେ ଏନେଇ ପ୍ରକାଶ ପାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now