• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଅବପାତ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇ ଉପକୂଳ ଛୁଇଁବ । ଆଜି ସନ୍ଧ୍ୟାରେ ବାଲେଶ୍ୱର ଓ ସାଗର ଦ୍ୱୀପ ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ । ଏସମ୍ପର୍କରେ ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ଫଳରେ ୪ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ଏଥିପାଇଁ କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୪ ଜିଲ୍ଲାରେ ଅକସ୍ମାତ ବନ୍ୟା, ପାହାଡ଼ି ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ରହିଛି । ଆଉ ୧୨ଟି ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅରେଞ୍ଜ ୱାର୍ଣ୍ଣିଂ ଥିବା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ ,ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର, ଯାଜପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମୋଟାମୋଟି ଭାବେ ବର୍ଷାର ପ୍ରଭାବ ସାରା ରାଜ୍ୟରେ ରହିବ ।

ସେପଟେ ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ମାଲାଗୁଡା ଘାଟି ରାସ୍ତାରେ ଭୂସ୍ଖଳନ ଯୋଗୁ ୪ ପଂଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାଇକିଆରୁ କରଡ଼ା, ରଣବା, ଇନ୍ଦ୍ରଗଡ଼ ଓ ବଡ଼ବାରବା ପଞ୍ଚାୟତର ଲାଇଫ ଲାଇନ କୁହାଯାଉଥିବା ମାଲାଗୁଡା ଘାଟି ରାସ୍ତା ଧସି ଯାଇଛି । ତେଣୁ କୌଣସି ଗାଡ଼ି ମଟର ଯିବା ଆସିବା କରିପାରୁନି । ୪ ପଞ୍ଚାୟତର ୧୦ ହଜାରରୁ ଉର୍ଦ୍ଧ୍ୱ ଲୋକେ ରାଇକିଆ ଯାଇପାରୁନାହାଁନ୍ତି। ଅତି ବିପଦପୂର୍ଣ୍ଣ ଭାବେ ଲୋକେ ବାଇକରେ ସେହି ରାସ୍ତା ଦେଇ ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ଭୁସ୍ଖଳନ ଘାଟି ରାସ୍ତାରେ ବ୍ୟାରିକେଡ କରି ଦେଇ ଚୁପ ବସିଛି । ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ଅନ୍ୟପଟେ ପୁରୀ ମଙ୍ଗଳାଘାଟ ବାଇପାସ୍ ରାସ୍ତାର ମଙ୍ଗରାଜପୁରରୁ ଲୋକମାନଙ୍କୁ ଉଦ୍ଧାର କରାଯାଇଛି । ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଉଦ୍ଧାର କରିଛନ୍ତି । ଭାର୍ଗବୀ ନଦୀ ଓ ମଙ୍ଗଳା ନଈର ପାଣିରେ ଉବୁଟୁବୁ ହୋଇଛି ପୂରା ଅଞ୍ଚଳ । ଆଣ୍ଠୁଏ ଉଚ୍ଚର ପାଣିରେ ରହିଯାଇଥିବା ଲୋକମାନଙ୍କୁ ଅଗ୍ନିଶମ କର୍ମଚାରୀ ମାନେ ପାୱାର ବୋଟରେ ବାଇପାସ୍ ରୋଡକୁ ଆଣିଛନ୍ତି ।