Advertisment

ପ୍ରବଳରୁ ଅତି ପ୍ରବଳ ବର୍ଷିବ, ୧୦ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

ତଳିଆ ଅଞ୍ଚଳରେ ପାଣି ଜମିବା ସହ ଫ୍ଲାସ୍ ଫ୍ଲଡ୍‌ ଆଶଙ୍କା ମଧ୍ୟ ରହିଛି

author-image
Prangyan Parimita
ଅଦ୍ୟତନ ହୋଇଛି
Odisha Rainfall Alert

Red alert in parts of Odisha

ରାଜ୍ୟରେ ଢ଼ାଳୁଛି ବର୍ଷା । ରାଜଧାନୀଠୁ ଆରମ୍ଭ କରି ଉପକୂଳ ପର୍ଯ୍ୟନ୍ତ ସବୁଠି ତୁହାକୁ ତୁହା ବର୍ଷା ହେଉଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ୧୦ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ସୋନପୁର,ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ବୌଦ୍ଧ ଆଦି ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକରେ ଅତ୍ୟନ୍ତ ବର୍ଷା ଅର୍ଥାତ ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ଅନ୍ୟପଟେ ତଳିଆ ଅଞ୍ଚଳରେ ପାଣି ଜମିବା ସହ ଫ୍ଲାସ୍ ଫ୍ଲଡ୍‌ ଆଶଙ୍କା ମଧ୍ୟ ରହିଛି ।

Advertisment

ବୌଦ୍ଧରେ ସର୍ବାଧିକ  ବର୍ଷା

ବୌଦ୍ଧରେ ସର୍ବାଧିକ ୩୯୦ ମିଲିମିଟର ବର୍ଷା । ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୩୯୦.୬ ମିମି ବର୍ଷା ରେକର୍ଡ କରାଯାଇଛି । ୨୦ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ୫୦ଟି ସ୍ଥାନରେ ଅତିପ୍ରବଳ, ୬୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ସୋନପୁରରେ ୨୧୩.୬, ଫୁଲବାଣୀରେ ୨୦୫.୬ ମିଲିମିଟର ବର୍ଷା ହୋଇଛି । ସେହିପରି ବଲାଙ୍ଗିରରେ ୧୭୩, କେନ୍ଦୁଝରରେ ୧୫୦.୨, ଅନୁଗୁଳରେ ୧୫୦ ମିଲିମିଟର, ତାଳଚେରରେ ୧୪୭, ଭବାନୀପାଟଣାରେ ୧୪୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ..

ବିପଦ ସଙ୍କେତ ଉପରେ ବୈତରଣୀ

କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଲଗାଣ ବର୍ଷାରେ ବୈତରଣୀରେ ବନ୍ୟାଜଳ ପ୍ରବାହିତ ହେବାପରେ ରାଜଘାଟ ଠାରେ ବିପଦ ସଂକେତ ପାର କରିଛି। ଦିନ ୧୧ ଟା ସୁଦ୍ଧା ୩୯.୧୪ରେ ବନ୍ୟାଜଳ ପ୍ରବାହିତ ହେଉଛି । ଉପର ମୁଣ୍ଡରେ ବର୍ଷା ଜାରି ରହିଥିବାରୁ ଆଗକୁ ବନ୍ୟା ଜଳ ବଢିବାର ଆଶଙ୍କା ରହିଛି। ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଆଶଙ୍କା ରହିଥିବାରୁ ଲୋକଙ୍କୁ ସ୍ଥାନାନ୍ତର ଲାଗି ଯୋଜନା କରିଛି ଜିଲ୍ଲା ପ୍ରଶାସନ ।

Advertisment

ସମ୍ବଲପୁର-ସୋନପୁର ରାଜପଥରେ ଯାତାୟାତ ଠପ୍

ପ୍ରବଳ ବର୍ଷା ଯୋଗୁଁ ସମ୍ବଲପୁର-ସୋନପୁର ରାଜ୍ୟ ରାଜପଥରେ ଯାତାୟାତ ଠପ୍ । ମାଳତିଯୋର ନିକଟ କଲଭର୍ଟ ଉପରେ ୨ ଫୁଟର ପାଣି ଚାଲୁଛି । ଫଳରେ ସେହି ରାସ୍ତା ଦେଇ ଯାତାୟାତ ଠପ୍ ହୋହୋଇଛାଇଛି । ମାନେଶ୍ୱର ବାଇପାସରେ ଗମନାଗମନ ଠପ୍ ହୋଇଯାଇଛି । ରାସ୍ତାରେ ପାଣି ଚାଲୁଥିବାରୁ ଉଭୟ ପାର୍ଶ୍ୱରେ ଅନେକ ଗାଡ଼ିମୋଟର ଅଟକି ରହିଛି ।

ଫସିଲା ଆମ୍ବୁଲାନ୍ସ

ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତି ଯୋଗୁ ଫସିଲା ଆମ୍ବୁଲାନ୍ସ । ତେଲକୋଇ ବ୍ଲକ ସମାକୋଈ ନଦୀ ପୋଲ ଉପରେ ୫ ଫୁଟର ପାଣି ପ୍ରବାହିତ ହେଉଥିବାରୁ ବ୍ଲକ ମୁଖ୍ୟାଳୟକୁ ଯୋଗାଯୋଗ ବିଛିନ୍ନ ହୋଇଛି । ସମାକୋଈ ନଦୀରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଆମ୍ବୁଲାନ୍ସ ଅଟକି ରହିଥିଲା । ବାଧ୍ୟ ହୋଇ ରୋଗୀଙ୍କୁ ସିରିଗିଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି । ପଡାଙ୍ଗ ପଞ୍ଚାୟତର ଜଣେ ଗୁରୁତର ରୋଗୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଣାଯାଇଥିଲା । କିନ୍ତୁ ସମାକୋଈ ନଦୀରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଆମ୍ବୁଲାନ୍ସ ଅଟକି ରହିଥିଲା ।   

Weather Update Rainfall Alert
Advertisment
Advertisment