Advertisment

ବନ୍ୟାରେ ବତୁରି ଯାଇଛି ଭବିଷ୍ୟତ, ବଢ଼ି ପାଣି ଘେରରେ ସଢୁଛନ୍ତି ବିପନ୍ନ

ଘରେ ପଶିଛି ପାଣି, ବୁଡିଛି ଚୁଲି-ଚାଳ । ଛାତ ଉପରୁ ପ୍ରଶାସନର ସହାୟତାକୁ ଅପେକ୍ଷା ।

author-image
Prangyan Parimita
undefined

Odisha floods

ବର୍ଷା କମିଛି, ନଦୀର ଜଳସ୍ତର ବି ଧିରେ ଧିରେ କମିବାରେ ଲାଗିଛି। ହେଲେ ବଢିଛି ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା। ଲକ୍ଷାଧିକ ଲୋକ ଏବେବି ପାଣି ଘେରରେ ରହିଛନ୍ତି। ଗାଁ ଗାଁ ଜଳବନ୍ଦୀ। ରାସ୍ତା ଉପରେ ବନ୍ୟା ପାଣି ଚାଲୁଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଚୁଲିରେ ପାଣି ପଶିଥିବାରୁ ଅଖିଆ ଅପିଆ ଲୋକେ ଘର ଛାତ ଉପରେ ଆଶ୍ରୟ ନେଇଛନ୍ତି। ଭୋକ ଉପାସରେ ଅନାଇ ବସିଛନ୍ତି ପ୍ରଶାସନର ସାହାଯ୍ୟକୁ।...

Advertisment

ଭଦ୍ରକ ବାସୁଦେବପୁର ବ୍ଳକ୍ ରତାଙ୍ଗରେ ରାତିରେ ହଠାତ୍ ପାଣି ମାଡିଆସିଲା। ପ୍ରାଣ ବିକଳରେ ଲୋକେ ଗାଈ ଗୋରୁଙ୍କୁ ଧରି ଉଚ୍ଚା ସ୍ଥାନକୁ ପଳେଇଲେ। ରାତି ପାହିଲା ବେଳକୁ ଘରେ ପାଣି ଭର୍ତ୍ତି। ଦି ଦିନ ହେଲା ଚୁଲି ଜଳିନି।.. ବ୍ଳକର ସୁଦର୍ଶନପୁର ଓ ଜଗନ୍ନାଥପୁର ପଞ୍ଚାୟତର ସାରଙ୍ଗପୁର ବି ବୁଡିଛି ବନ୍ୟା ଜଳରେ। କଂଶବାଂଶ ଓ ଗମେଇ ନଦୀ ଫୁଲୁଥିବାରୁ ଭୟରେ ନଈ କୂଳିଆ ବାସୀ।

ସେପଟେ ଧାମନଗର, ଭଣ୍ଡାରୀପୋଖରୀ, ତିହିଡି ଓ ଚାନ୍ଦବାଲି ବ୍ଳକର ଗାଁ ଗାଁ ଜଳବନ୍ଦୀ। ସାଳନ୍ଦୀର ଶାଖା ନଦୀ ନାଳିଆରେ ବନ୍ୟା ଜଳ ଆସି ବୁଡିଛି ତଳଗୋପବିନ୍ଧା ପଂଚାୟତ। ତିନି ଦିନ ହେଲା ଲୋକେ ପାଣି ଘେରରେ। ଖାଦ୍ୟ ସାମଗ୍ରୀ ଆଣିବାକୁ ବାଧ୍ୟ ହୋଇ ଅଣ୍ଟେ ପାଣିରେ ଯାଉଛନ୍ତି। ସାଳନ୍ଦୀ ନଦୀର ୩ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ତଳଗୋପବିନ୍ଧାପଂଚାୟତର ପଦା ସାହି, ଦୋମଣୀ ମାହାରା ଓ ମାଙ୍କଡକୋଲ ନିକଟରେ ଘାଇ ସୃଷ୍ଟି ହୋଇଥିବା ବେଳେ ଜଳସେଚନ ବିଭାଗ ପକ୍ଷରୁ ସେହି ସ୍ଥାନରେ ବାଉଁଶ ବହ୍ଲା, ନଡିଆ ଗଛ ଦଣ୍ଡା ଓ ବାଲି ବସ୍ତା
ପକାଇ ପ୍ୟାକିଂ କରାଯାଉଛି।

Advertisment

ପାରାଦୀପରେ ମଧ୍ୟ ସମାନ ଦୃଶ୍ୟ ଦେଖିବା ପାଇଁ ମିଳିଛି । ବନ୍ୟାରେ ବତୁରି ଯାଇଛି ଭବିଷ୍ୟତ। ଘରେ ଆଣ୍ଠୁଏ ପାଣି। ଆଉ ତାଭିତରେ ବୁଡିଛି ବହି ଖାତା। ପାଣି ଭିତରୁ ଓଦା ବହିକୁ ଛାଣି ଶୁଖିବାକୁ ଅପେକ୍ଷା କରିଛି ଜଗତସିଂହପୁର କୁଜଙ୍ଗ ବ୍ଳକ୍ ତେରମାଣପୁର ଗାଁର ଅଷ୍ଟମ ଶ୍ରେଣୀ ଛାତ୍ରୀ ଯାଜ୍ଞସେନୀ। କେତେବେଳେ ବହି ଖାତା ଶୁଖିବ, ତାପରେ ପାଠ ପଢା ହେବ, କାରଣ ରାତି ପାହିଲେ ପରୀକ୍ଷା। ବନ୍ୟାରେ ଘରେ ପାଣି ପଶିଥିବାରୁ ପଡୋଶୀ ଘରେ ଆଶ୍ରୟ ନେଇଛନ୍ତି ପୁରା ପରିବାର।

ସେପଟେ କେନ୍ଦ୍ରାପଡାର ଖରସ୍ରୋତା ଓ କାଣୀ ନଦୀରେ ଚଳିତ ବର୍ଷ ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି। ଫଳରେ ଜଳମଗ୍ନ ହୋଇଛି ଆଳି ବ୍ଳକର ତଳି ଅଞ୍ଚଳ। ମାନପୁର-ଗୋବିନ୍ଦପୁର ରାସ୍ତା ଉପରେ ୪ ଫୁଟର ପାଣି ଚାଲିଛି। ଆଳି ଧୋୟା ଅଞ୍ଚଳର ପେତପଡ଼ା,ଏରଡଙ୍ଗ, ସଂସିଧା, ଡ଼ିମିରିପାଳ ଏବଂ ପାଳିମି ଭଳି ୧୦ଟି ପଞ୍ଚାୟତ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି।ଲୋକଙ୍କ ପାଇଁ ଡଙ୍ଗା ସାଜିଛି ଭରସା। 

ବୌଦ୍ଧରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଛି ସତ ହେଲେ ବିପତ୍ତି ବଢାଇଛି ବନ୍ୟା ପରର ସ୍ଥିତି। କେଉଁଠି ଧାନ ବିଲରେ ପାଣି ଜମିଛି ତ କେଉଁଠି ବାଲି ମାଡିଯାଇଛି ହଜାର ହଜାର ହେକ୍ଟର ଚାଷଜମିରେ। ହରଭଙ୍ଗା ବ୍ଲକ୍ ର ବୀରନରସିଂହପୁର, ମଥୁରା, ସାମ୍ପୋଚ, ରାଧାନଗର, ବାମଣ୍ଡା ଭଳି ପଞ୍ଚାୟତରେ ଚାଷୀକୂଳର ଦୁଃଖ କହିଲେ ନସରେ। ଧାର କରଜ କରି ବିଲରେ ପାଣି ମଡାଇ ଧାନ ରୁଆ ହୋଇଥିଲା, ଏବେ ରୁଆ ବିଲରେ ବାଲି ମାଡିଯାଇଛି। 

ଏପଟେ ସୁବର୍ଣ୍ଣପୁରରେ ବନ୍ୟା ଛାଡିଯାଇଛି ଦୁଃଖ ଦୁର୍ଦ୍ଦଶା। ଲଗାଣ ବର୍ଷା ଓ ହରିହରଯୋର ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ପରେ ପାଣି ଗାଁ ଗାଁରେ ପଶିଥିଲା। ଆଉ ଏହେଉଛି ତାପରର ସ୍ଥିତି। ସ୍କୁଲରେ ପାଣି, ନଷ୍ଟ ହୋଇଯାଇଛି ପିଲାଙ୍କ ୨ କୁଇଣ୍ଟାଲରୁ ଅଧିକ ମଧ୍ୟାହ୍ନ ଭୋଜନ ଚାଉଳ। ଉପରମୁଣ୍ଡରେ ବନ୍ୟାର ତାଉ ଧିରେ ଧିରେ କମୁଛି ହେଲେ ତଳିଆ ଅଂଚଳରେ ବଢିଛି ଦୁର୍ଦ୍ଦଶା। ଘରଦ୍ୱାର ଓ ଜିନିଷ ପତ୍ର ହରାଇ ଏବେ ପ୍ରଶାସନର ରିଲିଫ୍ ଅପେକ୍ଷାରେ ବନ୍ୟା ବିପନ୍ନ।.

Flood Situation
Advertisment
Advertisment