Advertisment

ଆକାଶରୁ ଖସୁଛି ନିଆଁ ଝୁଲ; ୪୬ ଡିଗ୍ରୀ ଉପରେ ରାଜ୍ୟର ୪ ସହର

ଛାଇ ଟିକେ ଖୋଜି ଥକା ମେଣ୍ଟାଉଛି ବାଘ। ଆଉ କିଏ ପଶିଛି ପାଣି କୁଣ୍ଡରେ। ଏପଟେ ହଂସମାନେ ଡରୁଛନ୍ତି ତତଲା ପାଣିରେ ପାଦ ରଖିବାକୁ। ଆଉ ହାତୀକୁ ଦରକାର ପଡ଼ୁଛି ଲଗାତର ୱାଟର ସ୍ପ୍ରେ। ଦିଲ୍ଲୀ ଚିଡ଼ିଆଖାନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
undefined

Heat wave

Advertisment

ଦେଶର ଉତ୍ତର, ଉତ୍ତର ପଶ୍ଚିମ ଏବଂ ଓଡ଼ିଶାକୁ ମିଶାଇ ପୂର୍ବ। ସବୁଠି ଆକାଶରୁ ଖସୁଛି ନିଆଁ ଝୁଲ। ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ହିଟ୍ ୱେଭ୍। ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ୪୭ ଡିଗ୍ରୀ ତାତିରେ ଜଳିଲା ଝାରସୁଗୁଡ଼ା। ରାଜ୍ୟର ୪ ସହରର ତାପମାତ୍ରା ୪୬ ଡିଗ୍ରୀ ଉପରେ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଏବଂ ଉପକୂଳରେ ଗରମ ଓ ଗୁଳୁଗୁଳି ଜାରି ରହିବାକୁ ଥିବା ବେଳେ, ସେପଟେ ଦୁଇଦିନ ଆଗରୁ କେରଳକୁ ଭିଜାଇଛି ମୌସୁମୀ ବର୍ଷା।

Advertisment

ଛାଇ ଟିକେ ଖୋଜି ଥକା ମେଣ୍ଟାଉଛି ବାଘ। ଆଉ କିଏ ପଶିଛି ପାଣି କୁଣ୍ଡରେ। ଏପଟେ ହଂସମାନେ ଡରୁଛନ୍ତି ତତଲା ପାଣିରେ ପାଦ ରଖିବାକୁ। ଆଉ ହାତୀକୁ ଦରକାର ପଡ଼ୁଛି ଲଗାତର ୱାଟର ସ୍ପ୍ରେ। ଦିଲ୍ଲୀ ଚିଡ଼ିଆଖାନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସେହିପରି ଜାମ୍ମୁ-କାଶ୍ମୀର ସାମ୍ବା ସେକ୍ଟରରେ ପ୍ରବଳ ଗ୍ରୀଷ୍ମ ଲହରି ସତ୍ତ୍ୱେ ୟୁନିଫର୍ମ ଓ ହେଲେମଟ ପିନ୍ଧି ଦେଶର ସୀମା ଜଗିଛନ୍ତି BSFର ସଶସ୍ତ୍ର ସୀମା ଭବାନୀ। ଗୋଳାବାରୁଦକୁ ଯାହାଙ୍କର ଖାତିର ନାହିଁ, ସେମାନଙ୍କୁ ଆକାଶର ନିଆଁଝୁଲ ବା ଡରାଇବ କେମିତି।

ଅଧିକ ପଢ଼ନ୍ତୁ: ମୁଣ୍ତ ନେଉଛି ହିଟୱେଭ୍‌ ! ଦିନକରେ ଗଲାଣି ୧୪ ଜୀବନ

ଉତ୍ତର ଭାରତରେ ସବୁ ରେକର୍ଡ ଭାଙ୍ଗୁଛି ହିଟୱେଭ୍। ରାଜସ୍ଥାନ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ। ପ୍ରାୟ ୫୦ ଡିଗ୍ରୀ ଉତ୍ତାପ ସହ ଏହିସବୁ ରାଜ୍ୟ କିଛି ଦିନ ହେଲା ଅସହ୍ୟ ତାତିରେ ଜଳୁଛି। ଏବେ ମଧ୍ୟପ୍ରଦେଶ ଓ ବିହାରର କିଛି ଅଂଶକୁ ବି କବଳିତ କଲାଣି ଭୟଙ୍କର ଗ୍ରୀଷ୍ମ ପ୍ରବାହ। ଗତ ୨୪ ଘଣ୍ଟାରେ ବୁନ୍ଦେଲଖଣ୍ଡ ଅଞ୍ଚଳର ମହୋବା ଜିଲ୍ଲାରେ ୭ ଜଣଙ୍କ ଜୀବନ ନେଇଛି ହିଟ୍ ଷ୍ଟ୍ରୋକ୍। ଦିଲ୍ଲୀରେ ବି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କ୍ୟାପିଟାଲ ସିଟିର ଚାଣକ୍ୟପୁରୀ ସମେତ ବିଭିନ୍ନ ସ୍ଥାନରେ ପିଇବା ପାଣି ପାଇଁ ଲୋକେ ଡହଳବିକଳ ହେଉଥିବା ବେଳେ, ଟ୍ୟାଙ୍କର ଦ୍ୱାରା ଶୋଷ ମେଣ୍ଟାଇବାକୁ ଚେଷ୍ଟା ଚାଲିଛି। ତେବେ ଉତ୍ତର ଭାରତର କିଛି ସ୍ଥାନରେ ବର୍ଷା ହେବା ପରେ, ଉତ୍ତର ପଶ୍ଚିମକୁ ରେଡ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।

Advertisment

ଏପଟେ ଓଡ଼ିଶାରେ ବି ଅଗ୍ନିବର୍ଷାର ପ୍ରକୋପ। ଆଜି ବି ପଶ୍ଚିମ ଓଡ଼ିଶାର ବହୁ ଜିଲ୍ଲାରେ ତାପମାତ୍ରା ପ୍ରାୟ ୪୫ ଡିଗ୍ରୀ ରହିଥିବା ବେଳେ, ଝାରସୁଗୁଡ଼ାରେ ସର୍ବାଧିକ ୪୭ ଡିଗ୍ରୀ ଛୁଇଁଛି। ଖାଲି ଦିନ ନୁହେଁ, ରାତିରେ ବି ତାପମାତ୍ରା ଅଧିକ ରହୁଥିବାରୁ, ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି। ଉପକୂଳ ଓଡ଼ିଶାରେ ଆର୍ଦ୍ରତା ପ୍ରାୟ ୭୦ରୁ ୮୦ ପ୍ରତିଶତ ରହୁଥିବାରୁ ଗୁଳୁଗୁଳି ଯୋଗୁଁ ନା ଘରେ ରହିହେଉଛି, ନା ବାହାରେ। ରାଉରକେଲା ସରକାରୀ ଡାକ୍ତରଖାନାରେ ଆଜି ଗୋଟିଏ ଦିନରେ ୯ ଜଣ ଅଂଶୁଘାତ ପୀଡ଼ିତ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଆହୁରି ୩ ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ଏବଂ ଉପକୂଳରେ ଗରମ ଓ ଗୁଳୁଗୁଳି ୫ ଦିନ ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି।

ଅଧିକ ପଢ଼ନ୍ତୁ: କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ସେପଟେ ଦକ୍ଷିଣ ଭାରତରେ ଆଗୁଆ ଆଶ୍ୱସ୍ତି ଆଣିଛି ମୌସୁମୀ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଅର୍ଥାତ୍ ସ୍ୱାଭାବିକଠୁ ୨ ଦିନ ଆଗରୁ କେରଳ ଛୁଇଁଛି। ସେପଟେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟକୁ ବି ସ୍ପର୍ଶ କରିଛି ମୌସୁମୀ। ସାଧାରଣତଃ ମୌସୁମୀ ବାୟୁ ଜୁନ ୧ରେ କେରଳ ଓ ଜୁନ ୫ରେ ନର୍ଥଇଷ୍ଟକୁ ଛୁଉଁଥିବା ବେଳେ, ଏବର୍ଷ ଏକା ସାଙ୍ଗରେ ଦୁଇଟି ସ୍ଥାନକୁ ସ୍ପର୍ଶ କରିବା ଏକ ବିରଳ ଘଟଣା। ଚଳିତବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ଠାରୁ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ତେବେ ମୌସୁମୀ ଓଡ଼ିଶାରେ କେବେ ପହଞ୍ଚିବ, ତାହା ଏବେ ସୁଦ୍ଧା ଆକଳନ କରାଯାଇନି।

Advertisment
Heat Wave Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ