• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅସହ୍ୟ ଜାଡ଼ରେ ଥରୁଛି ଓଡ଼ିଶା । ପାରଦ ଖସୁଥିବା ବେଳେ ପ୍ରବଳ ଶୀତର ଥରହର ଲୋକେ । ୨ ଡିଗ୍ରୀ ସହ ସବୁଠୁ ଥଣ୍ଡା ସହର ହୋଇଛି ସେମିଳିଗୁଡ଼ା । ୨୧ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି । କିରେଇରେ ୪.୪, ଜି ଉଦୟଗିରି ୪.୬, ଫୁଲବାଣୀ ୫, ରାଉରକେଲା ୬.୪, ସୁନ୍ଦରଗଡ଼ ୬.୫, କୋରାପୁଟ ୬.୫, ଝାରସୁଗୁଡ଼ା ୬.୬ ଓ ଦାରିଙ୍ଗବାଡ଼ିରେ ୬.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି କେନ୍ଦୁଝରରେ ୭.୨, ଭବାନୀପାଟଣା ୭.୨, ଢେଙ୍କାନାଳ ୮ ଏବଂ ସୋନପୁରରେ ୮.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଅନୁଗୁଳ, ବାରିପଦା, ନବରଂଗପୁର ଏବଂ ସମ୍ବଲପୁରରେ ମଧ୍ୟ ୧୦ ଡିଗ୍ରୀ ତଳେ ରହିଛି ପାରଦ । ଭଦ୍ରକରେ ୯.୫, ହୀରାକୁଦରେ ୯.୬ ଏବଂ ବାଲେଶ୍ୱରରେ ୯.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

କୋଲ୍ଡ ୱେଭ୍ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ଆସନ୍ତାକାଲି ପାଇଁ ୫ ଜିଲ୍ଲା ଏବଂ ୧୦ ତାରିଖ ପାଇଁ ୩ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ପାଇଁ ଅନୁଗୁଳ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ୱାର୍ଣ୍ଣିଂ... ।

ସେପଟେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ତାପମାତ୍ରା ଖସିବା ସହ ଘାସ ଗାଲିଚାରେ ପଡ଼ିଥିବା କାକର ବରଫ ପାଲଟି ଯାଥିବା ଦେଖିବାକୁ ମିଳିଛି । ଦାରିଙ୍ଗବାଡ଼ି ସମେତ ଗ୍ରୀନବାଡ଼ି, କୁତୁବାଡି, କିଲାବାଡ଼ି, କଫି ବଗିଚା ଆଦି ଅଞ୍ଚଳରେ ସମାନ ସ୍ଥିତି ଦେଖିବାକୁ ମିଳିଛି । ଏସବୁ ଅଂଚଳରେ ଅସହ୍ୟ ଶୀତ ଅନୁଭୂତ ହେଉଛି । ହାଡ଼ ଭଙ୍ଗା ଶୀତରେ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇଛି । ଆଉ ହାଡ଼ଭଙ୍ଗା ଜାଡ଼ରେ ପର୍ଯ୍ୟଟକମାନେ ଏହାର ମଜା ନେଉଛନ୍ତି ।

ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ ମଧ୍ୟ ହାଡ଼ଭଂଗା ଶୀତ ଅନୁଭୂତ ହେଉଛି । ଆଜି ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧ ଦଶମିକ ୯ ଡିଗ୍ରୀକୁ ଖସି ଆସିଛି । ସଫଦରଜଙ୍ଗ ଅଂଚଳରେ ସବୁଠାରୁ କମ ତାପମାତ୍ରା ରେକର୍ଡ ହୋଇଛି ଆୟାନଗରରେ ମଧ୍ୟ ସର୍ବନିମ୍ନ ତାପମାତ୍ରା ୨. ୬ ଡିଗ୍ରୀ ରେକର୍ଡ ହୋଇଛି । ଏହି ସବୁ ଅଂଚଳ ସହ ଲୋଧି ରୋଡ, ପାଲମରେ ପ୍ରବଳ ଶୀତ ଅନୁଭୂତ ହେଉଛି । ସକାଳୁ ସକାଳୁ ସାରା ଦିଲ୍ଲୀରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା ।

ଘନ କୁହୁଡି ଯୋଗୁଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । କୁହୁଡିର ମାତ୍ରା ବୃଦ୍ଧି ପାଇଥିବାରୁ ଦିଲ୍ଲୀରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରାୟ ୨୦ଟି ବିମାନର ଉଡାଣ ବିଳମ୍ବ ହୋଇଥିଲା । ସେହିପରି ଗାଡି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ୪୮୦ରୁ ଅଧିକ ଟ୍ରେନର ଚଳାଚଳ ପ୍ରଭାବିତ ହୋଇଛି । ଆଗକୁ ଆହୁରି ୨ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି ।