Temperature Drop: ଖସୁଛି ପାରଦ, ବଢୁଛି ଶୀତ! ୯ ଡିଗ୍ରୀକୁ ଖସିଲା ତାପମାତ୍ରା

ଅଧିକାଂଶ ସହରରେ ପାରଦ ୧୫ ଡିଗ୍ରୀ ସେଲସିୟସ୍ ତଳକୁ ଖସିବା ସମ୍ଭାବନା ରହିଛି । ଏଥିସହ ଆସନ୍ତା ୨ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରହିବ କୁହୁଡ଼ିର ପ୍ରଭାବ ।

Temperature Drop

ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା । ବିଳମ୍ବରେ ହେଲେ ବି ରାଜ୍ୟରେ ଶୀତ ପ୍ରକୋପ ଧୀରେ ଧୀରେ ବଢୁଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତା ସପ୍ତାହେ ଯାଏଁ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ମୁଖ୍ୟତଃ ପାଗ ଶୁଖିଲା ରହିବ । ତା’ସହ ବଢ଼ିବ ଶୀତ । ବିଶେଷ କରି ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ୯ ଡିଗ୍ରୀ ଯାଏଁ ପାରଦ ରହିପାରେ ।

ଅଧିକାଂଶ ସହରରେ ପାରଦ ୧୫ ଡିଗ୍ରୀ ସେଲସିୟସ୍ ତଳକୁ ଖସିବା ସମ୍ଭାବନା ରହିଛି । ଏଥିସହ ଆସନ୍ତା ୨ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରହିବ କୁହୁଡ଼ିର ପ୍ରଭାବ । ଆଜି ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଗତକାଲିଠୁ ପୂର୍ବାପେକ୍ଷା ଶୀତ ବଢିଛି । ଆଗାମୀ ଦିନରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରଭାବ ଅଧିକ ରହିବ । କିଛି ଜିଲ୍ଲାରେ ହାଲୁକା କୁହୁଡ଼ି ପଡ଼ିବା ନେଇ ବି ଆଲର୍ଟ ଜାରି କରିଯାଇଛି । ଏଥିପାଇଁ ଜଗତସିଂହପୁର ,କଟକ, ଝାରସୁଗୁଡା, କନ୍ଧମାଳ, କଳାହାଣ୍ଡି,ଖୋର୍ଦ୍ଧା ,କଟକ ଓ ସୁନ୍ଦରଗଡକୁ ସତର୍କ କରିଛି ପାଣିପାଗ ବିଭାଗ ।

ଅଧିକ ପଢନ୍ତୁ: ଡିସେମ୍ବର ଅଧା ହେଲାଣି, ରାଜ୍ୟରେ ଧିରେ ଧିରେ ବଢ଼ୁଛି ଶୀତ

ସେପଟେ ଗତ କେତେଦିନ ତଳେ ଟ୍ୱିନ୍‌ ସିଟିରେ କୋହଲା ପାଗ ଦେଖିବାକୁ ମିଳିଥିଲା । ଖୋର୍ଦ୍ଧା, କଟକ, ଢେଙ୍କାନାଳ, ପୁରୀ, ଯାଜପୁରରେ କୋହଲା ପାଗ ଦେଖିବାକୁ ମିଳିଥିଲା । ରାଜଧାନୀ ଭୁବନେଶ୍ୱର ସହ କଟକର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିଲା । ଏପଟେ ଠିକ୍ ଅମଳ ବେଳକୁ ଧୋକା ଦେଇଛି ଅଦିନିଆ ବର୍ଷା । ଜମିରେ ଧାନ କଟା ହୋଇ ପଡ଼ିଥିବା ବେଳେ ହଠାତ ଅଦିନିଆ ଲଗାଣ ବର୍ଷାରେ ଭିଜି ଯାଇଛି ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ଏକର ଏକର ଧାନ ଫସଲ ।

ଫଳରେ ବର୍ଷାରେ ବତୁରି ଯାଇଛି ଶହ ଶହ ଚାଷୀଙ୍କ ସ୍ୱପ୍ନ ଓ ବୃଥା ଯାଇଛି ପରିଶ୍ରମ । ଶହ ଶହ ହେକ୍ଟର ଜମିରେ ଧାନ ଏବେ ଓଦା ପଡ଼ିଥିବା ବେଳେ ଆଗକୁ ଭଲ ମାନର ଧାନ କେମିତି ଅମଳ ହେବ, ଏବଂ କିଭଳି ଉଚିତ ମୂଲ୍ୟ ମିଳିବ ତାକୁ ନେଇ ଚିନ୍ତାରେ ଚାଷୀ । ଦରକାର ବେଳେ ଦେଖାନଥିଲା, ଏବେ ଠିକ୍ ଅମଳ ସମୟରେ ଧୋକ୍କା ଦେଲା ।

ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ଏକର ଏକର ଉଜୁଡ଼ା ଖେତକୁ ଦେଖିବା ପରେ ଅଦିନିଆ ବର୍ଷା ଉପରେ ଚାଷୀଙ୍କ କୋହଭରା ଅଭିଯୋଗ । କିଏ ପାଚିଲା ଧାନ କାଟି କ୍ଷେତରେ ଶୁଖାଇଛି, ତ ଆଉ କିଏ ପାକଳ ଧାନକୁ କାଟିବା ଅପେକ୍ଷାରେ । କିନ୍ତୁ ଠିକ୍ ଏହି ସମୟରେ ଚାଷୀଙ୍କୁ ଧୋକ୍କା ଦେଇଛି ଅଦିନିଆ ବର୍ଷା । ଗଲା ୨ରୁ ୩ ଦିନ ଧରି ଝିପି ଝିପି ଲଗାଣ ବର୍ଷା ପରେ ଗଜା ହୋଇଛି ଅଧିକାଂଶ ଚାଷୀଙ୍କ ଅମଳ ଧାନ ।

ଅଧିକ ପଢନ୍ତୁ: ଟ୍ବିନ୍ ସିଟି ସହ ବିଭିନ୍ନ ଜିଲ୍ଲାରେ ଝିପିଝିପି ବର୍ଷା; ଚିନ୍ତାରେ ଚାଷୀ...