Advertisment

୧୮ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ: ବର୍ଷା ଅଭାବରୁ ଚାଷ କାର୍ଯ୍ୟରେ ଗୁରୁତର ବାଧା

ରାୟଗଡ଼ା, ମାଲକାନଗିରି ଓ ଗଜପତିରେ ଉଣା ଅଧିକେ ସବୁଠି ସମାନ ସ୍ଥିତି। କୋଉଠି ହାଲୁକା ବର୍ଷା ପରେ ଏବେ ଏବେ ଜମି ହଳ ହେଉଛି ତ କେଉଁଠି ଖରାରେ ତଳି ଶୁଖି ଜଳିଗଲାଣି। ଆଗକୁ ଭଲ ବର୍ଷା ନହେଲେ, ଚାଷକୁ ଆଉ ଚାଷୀର ଭରସା ପାଉନି।

author-image
Chandan Shishu
Odisha Farmers stare at uncertainty over scanty rainfall

Odisha Farmers stare at uncertainty over scanty rainfall

ଏ ବର୍ଷ ରାଜ୍ୟରେ ସ୍ୱାଭାବିକ ବର୍ଷାର ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ହେଲେ ବର୍ଷା ଅଭାବରୁ ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ଏବେ ବିଗିଡ଼ିବାରେ ଲାଗିଛି ଚାଷର ଅବସ୍ଥା, ଚିନ୍ତାରେ ଚାଷୀ। ପାଣିପାଗ ବିଭାଗର ତଥ୍ୟ କହୁଛି ଏପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଠାରୁ 28 ପ୍ରତିଶତ କମ୍ ବୃଷ୍ଟିପାତ ହୋଇଥିଲା ବେଳେ ୧୮ ଜିଲ୍ଲା ନିଅଣ୍ଟିଆ ବୃଷ୍ଟିପାତ ସ୍ଥିତିକୁ ସାମ୍ନା କରୁଛି। ସେଭିତରୁ 60 ପ୍ରତିଶତରୁ କମ୍ ବୃଷ୍ଟିପାତ ରେକର୍ଡ କରାଯାଇଥିବା ଦୁଇଟି ଜିଲ୍ଲା କଳାହାଣ୍ଡି ଓ କନ୍ଧମାଳରେ ସାଂଘାତିକ ସ୍ଥିତି। 

Advertisment

ଚାଷୀ ମୁହଁରେ ଏଭଳି ହତାଶାର ଭାଷାଠୁ ଆହୁରି ସଂଗୀନ ଚାଷ ଜମିର ଅବସ୍ଥା। ଯେଉଁ ସମୟରେ ଧାନ ତଳିରେ କ୍ଷେତ ହସନ୍ତାଣି, ସେ ସମୟରେ କେଉଁଠି ଜମିକୁ ହଳ ପଶିନି ତ କେଉଁଠି ହଳ ହୋଇ ଜମି ପ୍ରସ୍ତୁତ ଥିଲେ ବି ବର୍ଷା ଅଭାବରୁ ବିହନ ପଡ଼ିପାରିନି। ବାଲେଶ୍ବର ରେମୁଣା ବ୍ଲକ ପଦାବଡ଼ ଗାଁର। ଯୁଆଡ଼େ ଚାହିଁବ ପଡିଆ ବିଲ। ବିଳମ୍ବରେ ମୌସୁମୀ ଆସିବା ପରେ ଚାଷୀର ଆଶା ଥିଲା ବର୍ଷା ସ୍ୱାଭାବିକ ହେବ। ହେଲେ ବର୍ଷାର ତ ଦେଖାନାହିଁ, ଓଲଟି ଶ୍ରାବଣ ମାସରେ ଏ ନିଦାଘ ଖରାକୁ ଦେଖି ଏସନ ଚାଷରୁ ଆଶା ଛାଡ଼ି ଦେଲାଣି ଚାଷୀ।

ଆଉ ରାୟଗଡ଼ା, ମାଲକାନଗିରି ଓ ଗଜପତିରେ ଉଣା ଅଧିକେ ସବୁଠି ସମାନ ସ୍ଥିତି। କୋଉଠି ହାଲୁକା ବର୍ଷା ପରେ ଏବେ ଏବେ ଜମି ହଳ ହେଉଛି ତ କେଉଁଠି ଖରାରେ ତଳି ଶୁଖି ଜଳିଗଲାଣି। ଆଗକୁ ଭଲ ବର୍ଷା ନହେଲେ, ଚାଷକୁ ଆଉ ଚାଷୀର ଭରସା ପାଉନି।

Advertisment

ସ୍ବଳ୍ପ ବୃଷ୍ଟିରୁ ରାଜ୍ୟର ପାଖାପାଖି ଅଧା ଜିଲ୍ଲାରେ ଗୁରୁତର ପ୍ରଭାବିତ ହୋଇଛି ଚାଷ କାମ। ତଥ୍ୟ କହୁଛି, ଜୁନ୍ ପହିଲାରୁ ଏପର୍ଯ୍ୟନ୍ତ ସାରା ରାଜ୍ୟରେ ସ୍ୱାଭାବିକଠାରୁ ୨୮ ପ୍ରତିଶତ କମ ବୃଷ୍ଟିପାତ ହୋଇଛି। 258 ମିଲିମିଟର ବୃଷ୍ଟିପାତ ସ୍ଥାନରେ ହୋଇଛି ମାତ୍ର 191.1 ମିଲିମିଟର ବର୍ଷା। 18 ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିଲା ବେଳେ ଦୁଇ ଜିଲ୍ଲା କଳାହାଣ୍ଡି ଓ କନ୍ଧମାଳରେ ସ୍ଥିତି ସବୁଠୁ ବେଶି ସଂଗୀନ। କାରଣ ଏ ଦୁଇ ଜିଲ୍ଲାରେ ସ୍ୱାଭାବିକଠାରୁ 66 ପ୍ରତିଶତରୁ କମ୍ ବୃଷ୍ଟିପାତ ହୋଇଛି।

ସେହିପରି ୯ଟି ଜିଲ୍ଲା ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, କେନ୍ଦ୍ରାପଡ଼ା, ବାଲେଶ୍ୱର, ବଲାଙ୍ଗୀର, ସୋନପୁର ଓ ପୁରୀ ଜିଲ୍ଲାରେ ୪୦ ପ୍ରତିଶତରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଛି। ତେବେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ମୌସୁମୀ ପ୍ରବାହ ଏବେ ସ୍ୱାଭାବିକ ସ୍ଥିତିକୁ ଆସିଥିବାରୁ ଖୁବଶୀଘ୍ର ବର୍ଷା ନିଅଣ୍ଟ ସ୍ଥିତିର ଭରଣା ହେବାର ସମ୍ଭାବନା ରହିଛି। ବିଶେଷ କରି ଆସନ୍ତା ୯ ତାରିଖରେ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗକୁ ବର୍ଷାର ପରିମାଣ ବଢ଼ିବ ବୋଲି ସୂଚନା ଦିଆଯାଇଛି।

ଏବର୍ଷ ରାଜ୍ୟରେ ସ୍ବାଭାବିକ ବର୍ଷାର ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ହେଲେ ବିଳମ୍ବ ମୌସୁମୀ ଓ ସ୍ବଳ୍ପ ବୃଷ୍ଟିପାତ ପାଇଁ ପାଖାପାଖି ମାସଟିଏ ଚାଷ କାମ ପଛେଇ ଯାଇଥିବାରୁ, ଆଗକୁ ବର୍ଷା ସ୍ୱାଭାବିକ ହେଲେ ବି ତାହା ଚାଷକୁ କେତେ ସାହାଯ୍ୟ କରିବ, ଚାଷୀକୁ ଏବେ ସେଇ ଚିନ୍ତା ଘାରିଛି।

Rainfall In Odisha
Advertisment
Advertisment