• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାତ୍ୟା ଆସିବ ନା ନାହିଁ ? ଯଦି ଆସିବ, କେବେ ଆସିବ ? ଆସିଲେ କୁଆଡ଼େ ଯିବ ? କେଉଁଠି ମାଡ଼ ହେବ, କେତେ ଜୋରରେ ମାଡ଼ ହେବ ? ସମ୍ଭାବ୍ୟ ବାତ୍ୟାକୁ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ବିଭିନ୍ନ ପାଣିପାଗ ପୂର୍ବାନୁମାନ ମଡେଲ୍ । ତେବେ ଏସବୁ ପ୍ରଶ୍ନର ସଠିକ୍ ଉତ୍ତର ଆସନ୍ତାକାଲି ମିଳିପାରେ । ୨୪ ଘଣ୍ଟା ଭିତରେ ବାତ୍ୟାର ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

ଓଟିଭିକୁ ଆଇଏମଡି ଡିଜି ଦେଇଥିବା ସୂଚନା ଅନୁସାରେ, ଆକଳନ ମୁତାବକ ଆଣ୍ଡାମାନ ସାଗରରେ ଗତକାଲି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି । ଆସନ୍ତାକାଲି ସୁଦ୍ଧା ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ ଏବଂ ୨ ଦିନ ପାଇଁ ଉତ୍ତର ପଶ୍ଚିମକୁ ଗତିକରି ଅବପାତର ରୂପ ନେବ । କାଲି ଲଘୁଚାପ କ୍ଷେତ୍ର ହେଲା ପରେ ହିଁ ବାତ୍ୟା ହେବ କି ନାହିଁ, ଏହାର ତୀବ୍ରତା ଏବଂ ଲ୍ୟାଣ୍ଡଫଲ ସ୍ଥାନ ନେଇ ସଠିକ ଆକଳନ କରିହେବ । ତେବେ ପ୍ରାକ୍ ମୌସୁମୀ ପରିବେଶ ବାତ୍ୟା ପାଇଁ ଅନୁକୂଳ ରହିଛି ବୋଲି ସେ କହିଛନ୍ତି ।

ତେବେ ପ୍ରତିଥର ବାତ୍ୟା କଥା ଶୁଣୁଶୁଣୁ, ଲୋକମାନେ ଆବଶ୍ୟକତାଠୁ ଅଧିକ ଜରୁରୀ ସାମଗ୍ରୀ କିଣି ଘରେ ଠୁଳ କରନ୍ତି ଏବଂ କୃତ୍ରିମ ଅଭାବ ସ୍ଥିତି ସୃଷ୍ଟି ହୋଇ ବଜାରରେ ଦର ବି ବଢ଼ିଯାଏ । ହେଲେ ଏଭଳି ନକରିବା ପାଇଁ ଟୁଇଟ୍ ଯୋଗେ ଲୋକଙ୍କୁ ଅପିଲ୍ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କଳାବଜାରୀ ଓ ଅସାଧୁ ବ୍ୟବସାୟୀଙ୍କ ଉପରେ ବିଭାଗ ତୀକ୍ଷ୍ଣ ନଜର ରଖିଥିବା ସେ ସୂଚନା ଦେଇଛନ୍ତି ।