/odishatv-khabar/media/post_attachments/uploadimage/library/16_9/16_9_0/Monsoon_1687443528.jpg)
Monsoon
ଅସହ୍ୟ ଗୁଳୁଗୁଳିରୁ ଆଶ୍ୱସ୍ତି.. ପ୍ରଚଣ୍ଡ ତାତିରୁ ତ୍ରାହି। ରାଜ୍ୟରେ ଅସମ୍ଭାଳ ହିଟ୍ ୱେଭକୁ ଥଣ୍ଡା କରିଦେଇଛି ବର୍ଷା । ରଜ ଓ ରଥ ପରେ ବହୁ ବିଳମ୍ବରେ, ଲୁଚକାଳି ଖେଳି ଶେଷରେ ଓଡ଼ିଶାକୁ ଛୁଇଁଛି ମୌସୁମୀ । ଆଜି ମାଲକାନଗିରି, କୋରାପୁଟ ଓ ଗଜପତିରେ ପହଁଚିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ବର୍ଷା। ତୁହାକୁ ତୁହା ବର୍ଷିଛି । ଫଳରେ ଡହ ଡହ ଖରାରେ ସନ୍ତୁଳି ହେଉଥିବା ରାଜ୍ୟବାସୀଙ୍କୁ ମିଳିଛି ଆଶ୍ୱସ୍ତି । ମୌସୁମୀ ବର୍ଷାରେ ଭିଜି ମଜା ଉଠାଇଛନ୍ତି ଅନେକ ।
ଏପଟେ ପ୍ରାକ୍ ମୌସୁମୀ ବର୍ଷାରେ ଭିଜିଛି ଟୁଇନ୍ ସିଟି । ପୂରା ସହରରେ ଝିପ୍ ଝିପ୍ ବର୍ଷା । ମୁଣ୍ଡ ଫଟା ଖରାରୁ ଆରାମ ମିଳିଛି । ହେଲେ ପଦାରେ ପଡିଛି ସ୍ମାର୍ଟ ସିଟିର ବିକଳ ଚିତ୍ର । ମୌସୁମୀ ପୂରା ନଛୁଉଁଣୁ ଉବୁଟୁବୁ ରାଜଧାନୀ । ମୁଖ୍ୟ ରାସ୍ତାରେ ଜମିଛି ପାଣି । ସାହି ଗଳିରେ ବି ଜଳବନ୍ଦୀ ସ୍ଥିତି । ଅସରାଏ ବର୍ଷା ଯେମିତି ଠପ୍ କରିଦେଇଛି ଜୀବନ ଯାତ୍ରାକୁ । ପୁରୁଣା ଭୁବନେଶ୍ୱର, ରଥ ରୋଡ୍ ଓ କମିଶନରେଟ୍ ପୋଲିସ ଅଫିସ ସାମ୍ନାରେ ଆଣ୍ଠୁଏ ଉଚ୍ଚର ପାଣି ଜମିଥିଲା । ଅସରାଏ ବର୍ଷାରେ ହିନସ୍ତା ହୋଇଛନ୍ତି ଟୁଇନ୍ ସିଟି ବାସିନ୍ଦା ।
ଆଗାମୀ ୨ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାରା ଓଡ଼ିଶାକୁ ଅଗ୍ରସର ହେବା ପାଇଁ ପାଗ ସଂପର୍ଣ୍ଣ ଅନୁକୂଳ ରହିଛି । ଏହାରି ଭିତରେ ରାଜ୍ୟରେ ଆଗାମୀ ୫ ଦିନ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୮ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତିରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ୧୬ ଜିଲ୍ଲାରେ ପ୍ରବଳ ବର୍ଷିବ। ଏପଟେ ଆଷାଢରେ ବର୍ଷାକୁ ଅନାଇ ବସିଥିବା ଚାଷୀ ମୌସୁମୀ ବର୍ଷାର ଆଗମନରେ ଖୁସି ହୋଇ ଚାଷ କାମ ପାଇଁ ଅଂଟା ଭିଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)