• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ସାଂଘାତିକ ଭାବେ ବଦଳୁଛି ଜଳବାୟୁ । ପରିବର୍ତ୍ତିତ ଜଳବାୟୁ ପୃଥିବୀକୁ ଯେମିତି  ଏକ ବଡ ବିପଦ ଆଡକୁ ଠେଲି ଦେଉଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ଗ୍ଲାସିୟର ହ୍ରଦ ଦ୍ରୁତ ଗତିରେ ତରଳିବାରେ ଲାଗିଛି । ଯାହା ପୃଥିବୀ ପାଇଁ ଏକ ବିନାଶକାରୀ ଜଳପ୍ରଳୟକୁ ଆମନ୍ତ୍ରିତ କରୁଛି।

ଏବେ ପୃଥିବୀ ପାଇଁ ଏକ ବଡ ବିପଦ ସାଜିଛି  ଗ୍ଲାସିକାଲ ଲେକ ଆଉଟବର୍ଷ୍ଟ ଫ୍ଲଡ ବା GLOF। ଯେତେବେଳେ ଗ୍ଲାସିୟର ହ୍ରଦ ହଠାତ ଏହାର ପାଣି ବନ୍ୟାଜଳ ପରି ଛାଡେ ସେତେବେଳେ ଏହାକୁ ଗ୍ଲଫ କୁହାଯାଇଥାଏ ।  ପୂର୍ବ ଗ୍ରୀନଲାଣ୍ଡରେ ଏପରି ଏକ ହିମହ୍ରଦ ବା ଗ୍ଲାସିୟର ତରଳି ଭୟଙ୍କର ବନ୍ୟା ପରିସ୍ଥିତି ସଷ୍ଟି କରିଛି । ଯାହା ବିଶ୍ୱର ଭୟଙ୍କର ବନ୍ୟା ମଧ୍ୟରୁ ଗୋଟିଏ ବୋଲି କୁହାଯାଇ ପାରିବ।

ଅଧିକ ପଢ଼ନ୍ତୁ: ଜଳବାୟୁ ପରିବର୍ତ୍ତନର ଭୟାବହ ପରିଣତି, ଧଳାରୁ ସବୁଜ ପାଲଟୁଛି ଆଣ୍ଟାର୍କଟିକା !

ପୂର୍ବ ଗ୍ରୀନଲାଣ୍ଡର ଏହି ଗ୍ଲାସିୟର ହ୍ରଦ ୩ ହଜାର ବିଲିୟନ ଲିଟର ମେଲ୍ଟ ୱାଟର ଛାଡିଛି  । ଏତେ ମାତ୍ରାରେ ବରଫ ହ୍ରଦ ତରଳିବାର ଆଗରୁ କେବେ ଦେଖା ଯାଇ ନ ଥିଲା । ୟୁନିଭର୍ସିଟି ଅଫ କୋପେନହାଗେନ୍ସର  ନିଲ୍ସ ବୋହର ସଂସ୍ଥା ପକ୍ଷରୁ ଗବେଷକମାନେ ଏହି ଘଟଣାକୁ ଅନୁଧ୍ୟାନ କରୁଥିଲେ । ଗବେଷକଙ୍କ କହିବା ଅନୁଯାୟୀ, ଏହି ଘଟଣା ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୧୧ ମଧ୍ୟରେ ଘଟିଥିଲା । ଆଉ  ଏହାର କାରଣ ଥିଲା କ୍ୟାଟେଲିନା ହ୍ରଦ ହଠାତ ସ୍କୋର୍ସବୀ ସାଉଣ୍ଡ ଫଜାର୍ଡକୁ ପାଣି ଛାଡିବା । କୁହାଯାଉଛି, ଦୁଇ ଦଶକରୁ ଅଧିକ ସମୟ ଧରି ଏଡୱର୍ଡ ବେଲିଗ୍ଲାସିୟର ଦ୍ୱାରା ଅବରୁଦ୍ଧ ହୋଇଥିବା କ୍ୟାଟଲିନା ହ୍ରଦର ପାଣି ତରଳିବା ଯୋଗୁ ଏହି ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁସାରେ, ଏହି କ୍ୟାଟେଲିନା ହ୍ରଦ ତରଳିବା ଫଳରେ ବରଫ ତଳେ ୨୫ କିଲୋମିଟର ବ୍ୟାପି ଏକ ସୁଡଙ୍ଗ ସୃଷ୍ଟି ହୋଇଥିଲା । ଏହାଫଳରେ ହ୍ରଦର ଜଳସ୍ତର ନାଟକୀୟ ଭାବେ ୧୫୪ ମିଟର ତଳକୁ ଖସି ଆସିଥିଲା । ଡେନମାର୍କରେ ବର୍ଷକୁ ଯେତିକି ପାଣି ଖର୍ଚ୍ଚ ହୁଏ କ୍ୟାଟେଲିନା ହ୍ରଦ ଏହି ବନ୍ୟାରେ ତାର ତିନିଗୁଣା ପାଣି ଛାଡିଥିଲା ।

କୋପେନେହଗନ ବିଶ୍ୱବିଦ୍ୟାଳୟର ଜଳବାୟୁ ଗବେଷକ ଡା.ଅସଲାକ ଗ୍ରୀନଷ୍ଟେଡ phys.org କୁ ସୂଚନା ଦେଇ କହିଛନ୍ତି, ଜୟବାୟୁ ପରିବର୍ତ୍ତନ ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି ଏବଂ ଏହା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି ଗବେଷକମାନେ ପୂର୍ବରୁ ମଧ୍ୟ ଏପରି ଘଟଣାମାନ ଠାବ କରିଥିଲେ । କିନ୍ତୁ ଦୀର୍ଘସମୟ ଧରି ଅନ୍ଧକାର ରହିବା ତଥା ବାଦଲ ଯୋଗୁ ସାଟେଲାଇଟ ପରୀକ୍ଷଣରେ ଏହା ଜଣାପଡୁ ନଥିଲା । ତେବେ ପ୍ରଥମ ଥର ପାଇଁ ଗ୍ରୀନଲାଣ୍ଡର ଏହି ଘଟଣା ଠିକ ସମୟରେ ଜଣାପଡିଥିଲା ଏବଂ କେତେ ପାଣି ମାଡି ଆସିଥିଲା ତାହାର ଆକଳନ ଗବେଷକମାନେ କରିପାରିଥିଲେ ।

ଗବେଷକଙ୍କ କହିବା ଅନୁଯାୟୀ, ଏପରି ବନ୍ୟା ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ବିପତ୍ତି  ଡାକି ଆଣୁଛି । ବିଶେଷକରି ହିମାଳୟ ପରି ଅଧିକ ଜନବହୁଳ ଅଞ୍ଚଳ ପାଇଁ ଏହା ଭୟଙ୍କର ସ୍ଥିତି ସୃ୍ଷ୍ଟି କରିବାର ଆଶଙ୍କା ରହିଛି । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାଯାଇଛି,  ୧୫ ମିଲିୟନରୁ ଅଧିକ ଲୋକ ଏହି ସମ୍ବେଦନଶୀଳ ଅଞ୍ଚଳରେ ରୁହନ୍ତି ଯେଉଁଠି ବରଫବନ୍ୟା ପ୍ରଳୟ ରଚିବାର ଆଶଙ୍କା ରହିଛି । ଅବଶ୍ୟ ଜନସଂଖ୍ୟା କମ କାରଣରୁ ଗ୍ରୀନଲାଣ୍ଡରେ ହୋଇଥିବା ଏହି ଭୟଙ୍କର ବନ୍ୟା ବିଶେଷ କିଛି କ୍ଷତି କରି ନ ଥିଲା । ହେଲେ ବୈଜ୍ଞାନିକମାନେ ଏହି ଘଟଣାକୁ ଗୁରୁତ୍ୱର ସହ ନେଉଛନ୍ତି କାରଣ ପୃଥିବୀରେ ଥିବା ବରଫ  କ୍ରମାଗତ ଭାବେ ତରଳିବାରେ ଲାଗିଛି ।

ଡ.ଗ୍ରୀନଷ୍ଟେଡଙ୍କ କହିବା ଅନୁଯାୟୀ, ଏହି ବରଫ ବନ୍ୟା ଖୁବ ଶକ୍ତିଶାଳୀ । ଏହାକୁ ହେୟଜ୍ଞାନ କରିବା ଉଚିତ ନୁହେଁ । ଏହି ବରଫ ବନ୍ୟାରୁ ଉତ୍ପାଦିତ ଶକ୍ତି ସବୁଠାରୁ ବଡ ନିଉକ୍ଲିୟର ପାୱାର ପ୍ଲାଣ୍ଟ ପୂର୍ଣ୍ଣ କ୍ଷମତାରେ ୨୨ଦିନ କାମ କରି ଉତ୍ପାଦନ କରୁଥିବା ଶକ୍ତି ସହ ସମାନ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି, ଏହି ଶକ୍ତିକୁ ଅନ୍ୟ ଶକ୍ତିରେ ପରିବର୍ତ୍ତନ କରି ଅନେକ ସମସ୍ୟାର ସମାଧାନ କରାଯାଇ ପାରିବ  । କିନ୍ତୁ ଗ୍ରୀନଲାଣ୍ଡ ପରି ପଛୁଆ ଅଞ୍ଚଳରେ ଏହାର ଉପଯୋଗ କରିବା ଏକ ବଡ ଚାଲେଞ୍ଜ ସୃଷ୍ଟି କରିବ ବୋଲି ସେ କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now