• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଓ ବନ୍ୟା ବିତ୍ପାତ । ମହାରାଷ୍ଟ୍ର, ଗୁଜୁରାଟଠୁ ନେଇ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଓ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ବହୁ ରାଜ୍ୟରେ ବିପର୍ଯ୍ୟୟ ଆଣିଛି ବର୍ଷା । ମୂଷଳ ଧାରାରେ ବର୍ଷା ଯୋଗୁଁ ବଡ଼ ନଦୀରେ ବନ୍ୟା ଆସି ଗୁଜୁରାଟର ଅନେକ ଜିଲ୍ଲାରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷାରୁ ଅହମ୍ମଦାବାଦ ଓ ଭଲସାଡ଼ ସହର ଜଳାର୍ଣ୍ଣବ ହୋଇପଡ଼ିଛି ।

କେଉଁଠି ଘର ଦ୍ୱାର ବୁଡ଼ିଛି ତ କେଉଁଠି ମନ୍ଦିର, ରାସ୍ତା ଘାଟ । ବିଶେଷ କରି ଦକ୍ଷିଣ ଓ ମଧ୍ୟ ଗୁଜୁରାଟରେ ବନ୍ୟାରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା ସହ ବହୁ କ୍ଷୟକ୍ଷତିର ଖବର ଆସୁଛି । ବହୁ ଜାତୀୟ ରାଜପଥ ସହ ପାଖାପାଖି ୩୮୮ଟି ସଡ଼କ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ବହୁ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି ।

ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ ସହାୟତାରେ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରାଯାଉଛି । ହେଲିକପ୍ଟର ଯୋଗେ ରେସ୍କ୍ୟୁ ଅପରେସନକୁ ଜୋରଦାର କରାଯାଇଛି । ଏଥିପାଇଁ ରାଜ୍ୟରେ ସମସ୍ତ ସ୍କୁଲ, କଲେଜକୁ ବନ୍ଦ ରଖାଯାଇଛି ।

ସେହିପରି ଗତ କିଛି ଦିନ ଧରି ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ମହାରାଷ୍ଟ୍ରରେ ନାହିଁ ନଥିବା ସ୍ଥିତି ସୃଷ୍ଟି ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ବନ୍ୟା ଜନିତ କାରଣରୁ ୯ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଗତ ଜୁନରୁ ଏପଯର୍ୟନ୍ତ ବର୍ଷା ଓ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୭୬କୁ ପହଞ୍ଚିଛି ।

ବନ୍ୟା ଯୋଗୁଁ ଗଡ଼ଚିରୋଲି ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଦିଆଯାଇ ଥିବାରୁ ସ୍ଥିତି ଆହୁରି ବିଗିଡ଼ିବା ଆଶଙ୍କା କରାଯାଉଛି । ମୁମ୍ବାଇରେ ମଧ୍ୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ । ଅପରପକ୍ଷେ ଆନ୍ଧ୍ରପ୍ରଦେଶର ବିଜଓ୍ୱାଡ଼ା ସହର ମଧ୍ୟ ଜଳାର୍ଣ୍ଣବ ହୋଇପଡ଼ିଛି ।