Advertisment

ପ୍ରକୃତିର କୋପରେ ନୂଆଗଡ଼; ଭାସୁଛି ଗାଁ

ମାଟି ଅତଡା ଖାଇଛି। ମାଟିରେ ମିଶିଛି ବାସସ୍ଥଳ। ଜୀବନ ବିକଳରେ ଘର ଛାଡି ପଳାଇଛନ୍ତି ଗାଁ ଲୋକେ। ଲଗାଣ ବର୍ଷା ଫଳରେ ଉପରମୁଣ୍ଡରେ ଥିବା ପାହାଡରୁ ମାଟି ଧସି ବର୍ଷା ପାଣି ସହ ଗାଁ ଭିତରେ ପଶିଛି।

author-image
Pramod Behera
Landslide due to heavy rain

Landslide due to heavy rain

ଲଗାଣ ବର୍ଷା ଯୋଗୁଁ ଧସିଛି ପାହାଡ଼, ମାଟି ଅତଡାରେ ମାଟିରେ ମିଶିଛି ବାସସ୍ଥଳ। ଜୀବନ ବିକଳରେ ଘରଦ୍ୱାର ଛାଡି ପଳାଇଛନ୍ତି ଗାଁ ଲୋକେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନୂଆଗଡ଼ର ନୂଆପଲ୍ଲୀ ଗାଁରେ।

Advertisment

ଲଗାଣ ବର୍ଷା ଫଳରେ ଉପରମୁଣ୍ଡରେ ଥିବା ପାହାଡରୁ ମାଟି ଧସି ବର୍ଷା ପାଣି ସହ ଗାଁ ଭିତରେ ପଶିଛି, ଯେଉଁଥିରେ ୪ରୁ ୫ଟି ଘର ସମ୍ପୂର୍ଣ୍ଣ ମାଟିରେ ମିଶିଥିବାବେଳେ ୧୦ ପାଖାପାଖି ଘର କ୍ଷତିଗ୍ରସ୍ତ ହୋଇଛି। ଘର ଭିତରୁ ଆସବାବପତ୍ର ବାହାରି ପଙ୍କ କାଦୁଅରେ ଲୋଟୁଛି।

ସେପଟେ ଅବିଶ୍ରାନ୍ତ ବର୍ଷାରେ ବେହାଲ ହୋଇପଡିଛି ମାଲକାନଗିରି ଜିଲ୍ଲା। ଗତ ୨ଦିନ ହେଲା ପ୍ରବଳ ବର୍ଷା ଲାଗି ରହିଛି। ଏଥିଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇ ଚାଲିଛି। ମୋଟୁ ସୀମାନ୍ତ ନିଲିପାକା ନିକଟରେ ରାସ୍ତା ଉପରେ ପାଣି ଚାଲୁଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ମାଲକାନଗିରିରୁ ଛତିଶଗଡ଼ ଓ ଆନ୍ଧ୍ରକୁ ଯୋଗାଯୋଗ ସଂପୂର୍ଣ୍ଣ ବିଛିନ୍ନ ହୋଇଛି।

Advertisment

ପ୍ରବଳ ବର୍ଷା କାରଣରୁ କଳାହାଣ୍ଡି ଲାଞ୍ଜିଗଡ଼ ଅଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଧର୍ମଗଡ଼-ଜୁନାଗଡ଼ ରାସ୍ତାରେ ଥିବା ଅସ୍ଥାୟୀ ପୋଲ କ୍ଷତିଗ୍ରସ୍ତ ହେବା କାରଣରୁ ଧର୍ମଗଡ଼-ଭବାନୀପାଟଣା ମଧ୍ୟରେ ଯାତାୟତ ବନ୍ଦ ହୋଇଯାଇଛି। ଗଞ୍ଜାମ ଜିଲ୍ଲାରେ ବି ଲଗାଣ ବର୍ଷା ଜାରି ରହିଛି। ଫଳରେ ଭଞ୍ଜନଗର ଅଞ୍ଚଳର ବହୁ ଚାଷ ଜମି ପାଣିରେ ବୁଡ଼ି ରହିଛି।

ସେପଟେ ଆଗାମୀ ୨୪ ଘଣ୍ଟାରେ ୯ ଜିଲ୍ଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା। ଦକ୍ଷିଣ ଓଡ଼ିଶାର ୯ ଜିଲ୍ଲାରେ ଅତି ପ୍ରବଳ ବର୍ଷାର ଆଶଙ୍କା କରିଛି ପାଣିପାଗ ବିଭାଗ। କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ମାଲକାନଗିରି, ବଲାଙ୍ଗୀର, ଗଂଜାମ, ନୂଆପଡା, କନ୍ଧମାଳ, ନୟାଗଡ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏପରିକି ପାହାଡ଼ ଧସିବାର ସମ୍ଭାବନା ମଧ୍ୟ ରହିଛି।

ତଳିଆ ଅଞ୍ଚଳର ଲୋକ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଦକ୍ଷିଣ ଓଡିଶା ଉପକୂଳ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି। ଘୁର୍ଣ୍ଣିବଳୟ ବାୟୁମଣ୍ଡଳର ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି। ଢେଙ୍କାନାଳ, ବୌଦ୍ଧ, ରାୟଗଡା, ମାଲକାନଗିରି ଜିଲ୍ଲାରେ ଆବଶ୍ୟକତା ଠାରୁ ଅଧିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।

ସେପଟେ ମହାରାଷ୍ଟ୍ର, ଗୁଜରାଟ ଓ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଛି। ଗୁଜପାଟରେ ଗଲା ୨୪ ଘଣ୍ଟାରେ ବର୍ଷାଜନିତ କାରଣରୁ ଆଉ ୭ ଜଣଙ୍କ ଜୀବନ ଯାଇଛି। ଫଳରେ ମୃତ୍ୟୁସଂଖ୍ୟା ୬୩କୁ ବୃଦ୍ଧି ପାଇଛି। ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ମୁମ୍ବାଇ ସମେତ ମହାରାଷ୍ଟ୍ରରେ ବି ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି। ଫଳରେ ମହାନଗରୀର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି।

କୋହ୍ଲାପୁର, ପାଲଘର, ପୁନେ, ରତ୍ନଗିରି ଓ ନାସିକ୍ ଜିଲ୍ଲାରେ ରେଡ୍ ଆଲର୍ଟ ଓ ମୁମ୍ବାଇ ପାଇଁ ଅରେଞ୍ଜ୍ ଆଲର୍ଟ ଜାରି ହୋଇଛି। ବର୍ଷା କାରଣକୁ ନେଇ ଗଲା ଜୁନ୍ ମାସରୁ ଏଯାଏଁ ରାଜ୍ୟରେ ୮୩ ଜଣଙ୍କ ଜୀବନ ଗଲାଣି। ମଧ୍ୟପ୍ରଦେଶରେ ବି ମୌସୁମୀ ବର୍ଷା ବଢିବାରେ ଲାଗିଛି।

ତେଣେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଆଜି ଭଲ ବର୍ଷା ହୋଇଛି। ଆଗକୁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଟ୍ରାଫିକ୍ ଜାମ୍ ଏଡେଇବା ଲାଗି ତତ୍ପର ହୋଇଛି ପୋଲିସ। ଆବଶ୍ୟକ ନଥିଲେ ରାସ୍ତାକୁ ନଆସିବା ଲାଗି ଦିଲ୍ଲୀ ପୋଲିସ ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଛି।

Heavy Rainfall Landslides
Advertisment
Advertisment