/odishatv-khabar/media/post_attachments/uploadimage/library/16_9/16_9_0/Heat_Wave_1714904909.jpg)
Heat Wave
ଆକାଶରୁ ଅଗ୍ନିବର୍ଷା । ଭୀଷଣ ହେଉଛି ଗ୍ରୀଷ୍ମକୋପ। ରାଜ୍ୟରେ ଜାରି ରହିଛି ସିଭିୟର ହିଟୱେଭ୍ ସ୍ଥିତି । ତାତିରୁ ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ। ଖରା ସାଙ୍ଗକୁ ଗରମ ଓ ଝାଞ୍ଜି କଲବଲ କରୁଛି। ଆଜି ଅପରାହ୍ମ ସାଢ଼େ ଦୁଇଟି ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ର ୪୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।
ସେହିପରି କେନ୍ଦୁଝରରେ ୪୩ ଡିଗ୍ରୀ, ସମ୍ବଲପୁରରେ ୪୨.୨ ଡିଗ୍ରୀ, ରାଉରକେଲାରେ ୪୨.୨ ଡିଗ୍ରୀ, ହୀରାକୁଦରେ ୪୧.୮ ଡିଗ୍ରୀ, ଚାନ୍ଦବାଲିରେ ୪୦.୨ ଡିଗ୍ରୀ , ଭୁବନେଶ୍ୱରରେ ୩୯.୯ ଡିଗ୍ରୀ ଓ ବାଲେଶ୍ୱରରେ ୩୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ତାତିରୁ ମିଳିପାରେ ଆଶ୍ୱସ୍ତି। ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କାଳବୈଶାଖୀ ବର୍ଷା ଫଳରେ ଦିନରେ ଖରା ଯେଉଁ ତାଉ ଦେଖାଉଥିଲା ସେଥିରୁ କିଛିଟା ଆଶ୍ୱସ୍ତି ମିଳିପାରେ । ରାଜ୍ୟରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ଦିନ ତାପମାତ୍ରା। ଆସନ୍ତାକାଲିଠାରୁ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ନ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି।
ସେହିପରି ୭ ଏବଂ ୮ ତାରିଖରେ କାଳବୈଶାଖୀ ପ୍ରଭାବ ଅଧିକ ରହିବ। ଏଥିଲାଗି ୬ରୁ ୮ ତାରିଖ ମଧ୍ୟରେ ସମୁଦ୍ରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ୭ ତାରିଖରେ ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାରେ ଭାରୀ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପାଣିପାଗ ବିଭାଗ ରେକର୍ଡ କହୁଛି, ଗତ ୧୫ ବର୍ଷରେ ସର୍ବାଧିକ ଗ୍ରୀଷ୍ମପ୍ରବାହ ୨୦୧୦ରେ ଏପ୍ରିଲ ମାସରେ ୨୩ ଦିନ ଦୁଇଟି ଅବଧିରେ ଅନୁଭୂତ ହୋଇଥିଲା । କିନ୍ତୁ ୨୦୧୬ରେ ଲଗାତର ଭାବେ ୨୧ ଦିନ ଅର୍ଥାତ୍ ୧୦ ଏପ୍ରିଲରୁ ୩୦ ଏପ୍ରିଲ ଯାଏଁ ରହିଥିଲା ଗ୍ରୀଷ୍ମପ୍ରବାହ । ତେବେ କାହିଁକି ବଢୁଛି ଗ୍ରୀଷ୍ମପ୍ରବାହ ଦିନ ?
ଚଳିତ ବର୍ଷ ଓଡ଼ିଶାରେ ଏଭଳି ଗ୍ରୀଷ୍ମପ୍ରବାହକୁ ନେଇ ପରିବେଶବିତଙ୍କ ଭିନ୍ନ ମତ ରହିଛି । ଗ୍ରୀଷ୍ମଦିନରେ ଓଡ଼ିଶା ମଧ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଉତ୍ତପ୍ତ ବାୟୁ ପ୍ରବାହ, ସମୁଦ୍ର ମଧ୍ୟରୁ ସ୍ଥଳ ଭାଗକୁ ବାୟୁ ପ୍ରବାହିତ ନହେବା, ଆଣ୍ଟି ସାଇକ୍ଲୋନିକ ପ୍ରକ୍ରିୟା, ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁରୁ ବାହାରୁଥିବା ଉତ୍ତପ୍ତ ପବନ ହେଉଛି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଦିନ ବୃଦ୍ଧି ହେବାର ପ୍ରମୁଖ କାରଣ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)