• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଥର ସ୍ୱାଭାବିକ୍ ହେବ ବର୍ଷା । ବିଭିନ୍ନ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ରିପୋର୍ଟ ଅନୁଯାୟୀ ଏଥର ମୌସୁମୀ ଯଥା ସମୟରେ ଆସିବା ସହ ସ୍ୱାଭାବିକ୍ ବର୍ଷା ହେବ । ତେବେ ଗତ ଥର ଅପେକ୍ଷା ଏଥର ବର୍ଷାର ପରିମାଣ ଭଲ ରହିବ ବୋଲି ମଧ୍ୟ କୁହାଯାଇଛି । ଯାହାଦ୍ୱାରା ଚାଷୀ ମାନଙ୍କୁ ଆଶ୍ୱସ୍ତି ମିଳିବ । ବର୍ଷା କାରଣରୁ ଭଲ ଫସଲ ହେବ । ସ୍କାଏମେଟ୍‌ ପକ୍ଷରୁ ଆକଳନ କରାଯାଇଛି ଯେ, ଏଥର ଭାରତରେ ୬୫ ପ୍ରତିଶତ ବର୍ଷା ହେବ । ନୂଆ ଦିଲ୍ଲୀରେ ସାଧାରଣ ଭାବେ ବର୍ଷା ହେବ । ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀର ପ୍ରଭାବ ଜାରି ରହିବ ।

ଏହାରି ଭିତରେ କିଛି ରାଜ୍ୟରେ ସ୍ୱାଭାବିକ୍‌ଠାରୁ କମ୍‌ ବର୍ଷା ହେବ ବୋଲି ମଧ୍ୟ ଆକଳନ କରାଯାଇଛି । ରାଜସ୍ଥାନ, ଗୁଜୁରାଟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ସ୍ୱାଭାବିକ୍‌ଠାରୁ କମ୍‌ ବର୍ଷା ହେବାର ସମ୍ଭାବନା ରହିଥିବା ସ୍କାଏମେଟ୍‌ ଆକଳନ କରିଛି । ଏହାସହ କେରଳ ଓ କର୍ଣ୍ଣାଟକର କିଛି ଅଞ୍ଚଳରେ ସ୍ୱାଭାବିକ୍‌ଠାରୁ କମ୍‌ ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ ଏବେ ସାରା ଦେଶରେ ତଥା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଦିନକୁ ଦିନ ରାଜ୍ୟରେ ବଢୁଛି ରୌଦ୍ର ତାପ । ଅସହ୍ୟ ଗରମରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ଗତକାଲି ରାଜ୍ୟର ୧୨ଟି ସହରରେ ପାରଦ ୪୦ ପାର୍ କରିଥିଲା । ୪୨ ଦଶମିକ ୬ ଡିଗ୍ରୀ ସହ ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ତାପଛକୁ ବଲାଙ୍ଗିର, ଝାରସୁଗୁଡ଼ା, ସୋନପୁର ଆଦି ସହର ଥିଲା ।

ଏପଟେ ପ୍ରଚଣ୍ଡ ରୌଦ୍ରତାପର ସଠିକ ମୁକାବିଲା ପାଇଁ କଟକ ଜିଲାର ସମସ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ରହିଛି । ଆୟୋଜିତ ଏକ ବୈଠକରେ ଏନେଇ ତାଗିଦ କରିଛନ୍ତି କଟକ ଜିଲ୍ଲାପାଳ । ଯେପରି ଅଂଶୁଘାତରେ କାହାର ପ୍ରାଣହାନୀ ନହେବ, ତାହା ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରିଛନ୍ତି ଜିଲ୍ଲାପାଳ । ବିଶେଷକରି ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ସହ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକରୁ ଅଧିକ ସଜାଗ ରହିବା ପାଇଁ ଜିଲ୍ଲାପାଳ କହିଛନ୍ତି ।

ଦିନ ୧୦ ଟା ହେଲେ ଆକାଶରୁ ଯେପରି ନିଆଁ ଝରୁଛି । ଲୋକେ ଅତି ଜରୁରୀ କାମ ନହେଲେ ଘରୁ ବାହାରୁ ନଥିବା ଦେଖିବାକୁ ମିଳିଛି। ଅଂଶୁଘାତରୁ ରକ୍ଷା ପାଇବା ପାଇଁ ମୁଣ୍ଡରେ ଓଦା ଲୁଗା କିମ୍ବା ଛତା ବ୍ୟବହାର କରୁଛନ୍ତି ଲୋକେ । ଦିନକୁ ଦିନ ତାତି ବଢୁଥିବା ବେଳେ ଟିଟିଲାଗଡ଼ ସହରରେ ପାନୀୟ ଜଳର ଅଭାବ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି ।