• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାଲକାନଗିରିରେ ବର୍ଷା ବିତ୍ପାତ । ଜିଲ୍ଲାରେ ଗତ ୩ ଦିନ ହେବ ଲାଗି ରହିଛି ବର୍ଷା । ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଗୋଦାବରୀ ନଦୀ ଫୁଲିବା ଯୋଗୁଁ ସିଲେରୁ ଓ ସାବେରି ନଦୀରୁ ଜଳ ନିଷ୍କାସନ ହୋଇପାରୁନାହିଁ । ଲଗାଣ ବର୍ଷା ଯୋଗୁଁ ୩୨୬ ନମ୍ବର ଜାତୀୟ ରାଜପଥ ମୋଟୁ ନିକଟରେ ରାସ୍ତା ଉପରେ ୫ ଫୁଟର ପାଣି ଚାଲୁଛି ।

ଫଳରେ ମାଲକାନଗିରିରୁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ତେଲଙ୍ଗାନାକୁ ୩ ଦିନ ହେବ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଏକ ଟିମ୍ ମୋଟୁର ତଳିଆ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାସ୍ତାରେ ଅଟକି ରହିଥିବା ଯାତ୍ରୀଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଥିବା ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ସେପଟେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ଅରଖକୁଦ ହରଚଣ୍ଡି ସାହିରେ ପଶିଲା ସମୁଦ୍ର ପାଣି । ଜୁଆର ମାଡ଼ି ଆସିବାରୁ ଗାଁ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ଆଜି ସକାଳୁ ଗାଁରେ ପାଣି ପଶିଛି । ପୂର୍ଣ୍ଣିମା ଯୋଗୁ ସମୁଦ୍ରରୁ ବଡ଼ ଜୁଆର ଆସୁଥିବାରୁ ପାଣି ଚିଲିକା ମୁହାଣ ଦେଇ ପ୍ରବେଶ କରୁଛି ।

ଏହାପରେ ଚିଲିକା ପାଣି ଫୁଲି ମୁକୁଳା ଶଙ୍ଖ ଦେଇ ହରଚଣ୍ଡୀ ସାହିରେ ପ୍ରବେଶ କରୁଛି । ଅନେକ ଲୋକଙ୍କ ଘରେ ପାଣି ପଶିଯାଇଛି । ଗାଁ ଦାଣ୍ଡରେ ଆଣ୍ଠୁଏ ଆଣ୍ଠୁଆ ପାଣି ଚାଲିଛି । ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ଥିବାରୁ ଅଧିକ ପାଣି ଆସି ଗାଁରେ ପଶୁଥିବା ଜଣାପଡ଼ିଛି । ପିଲାମାନେ ଡଙ୍ଗାରେ ସ୍କୁଲ ଯାଉଥିବା ଦେଖିବାକୁ ମିଳିଛି ।