• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଏକାଧିକ ଜିଲ୍ଲାରେ କ୍ଷୟକ୍ଷତି ହୋଇଛି । ଖୋର୍ଦ୍ଧା ବେଗୁନିଆ ବ୍ଲକର ମାଣିତିର ଗାଁରେ ୩ ପରିବାରର ୪ ବଖରା ଘର ବର୍ଷାରେ ଭିଜି ଭୁଶୁଡି ପଡିଛି । ଲୋକଙ୍କ ଆସବାପତ୍ର ନଷ୍ଟ ହୋଇଛି । ପ୍ରଶାସନର ସହାୟତା ପାଇଁ ଅପେକ୍ଷା କରି ରହିଛନ୍ତି ଲୋକେ ।

ଢେଙ୍କାନାଳ କଙ୍କଡ଼ାଖାଡ଼ ବ୍ଲକର ବିରାଶାଳ ଗାଁରେ ଏକାଧିକ ଘର ଭାଙ୍ଗିରୁଜି ଯାଇଛି । ଏକାଧିକ କଚ୍ଚା ଘର ଭାଙ୍ଗିଥିବା ବେଳେ ରାସ୍ତା ଉପରେ ଗଛ ପଡ଼ି ରହିଛି । ଫଳରେ ଗାଁରେ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସେହିପରି କେନ୍ଦୁଝରରେ ମଧ୍ୟ ସମାନ ଅବସ୍ଥା । ଆନନ୍ଦପୁର ଉପଖଣ୍ଡ ଝାଡକୁଣ୍ଡି ଗାଁରେ ଲଗାଣ ବର୍ଷା ଯୋଗୁଁ କିଛି ଲୋକଙ୍କ ଘର ଭାଙ୍ଗି ଯାଇଛି । ତେବେ ଘରେ ଥିବା ବ୍ୟକ୍ତି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଲୋକଙ୍କ ଘର ଭାଙ୍ଗିଯିବା ପରେ ବେସାହାରା ହୋଇପଡ଼ିଛନ୍ତି ଲୋକେ । ତୁରନ୍ତ ପ୍ରଶାସନିକ ଅଧିକାରୀ ସହାୟତା କରିବାକୁ ଦାବି କରିଛନ୍ତି ଲୋକେ ।

ଉଦଳାରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ମେଣ୍ଢାଖାଇ ୟୁଜି ଏମ୍ଇ ବିଦ୍ୟାଳୟର ପାଚେରୀ ଭୁଶୁଡି ପଡିଛି । ବିଦ୍ୟାଳୟର ପାଚେରୀ ଲଗାଣ ବର୍ଷାରେ ଭୁଶୁଡି ପଡିଥିବା ବେଳେ ପାଚେରୀକୁ ଲାଗି ରହିଥିବା ରାସ୍ତା ମଧ୍ୟ ଧୋଇ ଯାଇଛିା ସ୍ଥାନୀୟ ଲୋକେ ପାଚେରୀ ନିକଟରେ ବାଉଁଶର ବାଡ ଦେଇ ପାଣିକୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି ।

ବର୍ଷା ଯୋଗୁଁ ଭଦ୍ରକ ସହରରେ ବି ବିଗିଡ଼ିଛି ପରିସ୍ଥିତି  । ସହରର ତଳି ଅଞ୍ଚଳରେ ବର୍ଷା ପାଣି ଜମି ରହିବାରୁ, ଲୋକମାନେ ଯିବା ଆସିବାରେ ହଇରାଣ ସମ୍ମୁଖୀନ ହୋଇଛନ୍ତି । ୯ ନଂ ଓ୍ୱାର୍ଡରେ ବିରାଟ ଗଛ ଉପୁଡ଼ି ପଡି ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ ତାର ଛିଡ଼ି ଯାଇଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଗଛ କାଟି ରାସ୍ତା ସଫା କରିଛି ।

ଅନ୍ୟପଟେ ବର୍ଷାରେ ଆଠଗଡ଼ରେ ଜନଜୀବନ ଅସ୍ତବ୍ୟସ୍ତ । ଚାଷ ଜମିରେ ବର୍ଷା ପାଣି ଜମି ରହିବା ସହ କେତେକ ଗାଁ ଗଣ୍ଡା ଆଦିରେ ପାଣି ଜମି ରହିଛି । କଟକ-ସମ୍ବଲପୁରର ପୁରୁଣା ରାସ୍ତାର ନିଧିପୁର ଗଡ଼ାରେ ୩ ଫୁଟର ବର୍ଷା ଜଳ ଜମି ରହିଛି । ଫଳରେ ଯାତାୟାତ ଏକ ପ୍ରକାର ଠପ ହେବା ସହ କଟକରୁ ଆଠଗଡ଼ ଯାତାୟାତ ବାଧାପ୍ରାପ୍ତ ହୋଇଛି ।