• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଲଘୁଚାପ ବର୍ଷା ଛାଡ଼ିବାର ନାଁ ନେଉନି । ଦକ୍ଷିଣରୁ ପଶ୍ଚିମ ଓଡ଼ିଶା ସବୁଠି ଅବିଶ୍ରାନ୍ତ ବର୍ଷାର କୋପ । କେଉଁଠି ନଦୀ କୂଳ ଲଂଘି ଗାଁରେ ପଶିଲାଣି ତ କେଉଁଠି ଅବିଶ୍ରାନ୍ତ ବର୍ଷାରେ ପୋଲ ଭାସିଲାଣି । ସେମିତି କିଛି ସ୍ଥାନରେ ଭୁସ୍ଖଳନର ଖବର ମଧ୍ୟ ଆସିଛି । ଲଗାଣ ବର୍ଷା ସାଙ୍ଗକୁ ଜଳବନ୍ଦୀ ସ୍ଥିତିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବାବେଳେ ଆସନ୍ତା ୧୩ରୁ ପୁଣି ଏକ ବଡ଼ ଲଘୁଚାପ ଆସୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଏସଆରସି କହିଛନ୍ତି ମୁକାବିଲା ପାଇଁ ସବୁଠି ସଜାଗ ରହିଛି ପ୍ରଶାସନ ।

ଟିକିଏ ଛାଡୁଛି ତ ପୁଣି ଘଣ୍ଟାଏ କାଚୁଛି । ୪ଦିନ ହେଲା ଛାଡ଼ିବାର ନାଁ ନେଉନି ବର୍ଷା । ଦକ୍ଷିଣରୁ ପଶ୍ଚିମ ରାଜ୍ୟରେ କେଉଁଠି କେମିତି କୋପ ଦେଖାଇଛି ଅବିଶ୍ରାନ୍ତ ବର୍ଷା । ରାୟଗଡ଼ାରେ ବଂଶଧାରା ଫୁଲୁଛି, ଗଜପତିରେ ହରଭଙ୍ଗି ନଦୀ ଗାଁ ବିଛିନ୍ନ କରିଛି । ନୂଆପଡ଼ାରେ ବ୍ରିଜ୍ ଭୁଶୁଡିଛି ତ ବାଲେଶ୍ୱର ଧୋବାଗଣ୍ଡି ନଈ ଉପରେ ପୋଲ ଧସି ପଡିଛି ।

ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ନଦୀ ଫୁଲିଛି ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗୁଣପୁରରେ ବଂଶଧାରା ନଦୀରେ ବନ୍ୟା ପାଣି ଆସି ଫୁଲିଛି ନଦୀ । ସତର୍କ ସଂକେତ ୮୩ ମିଟର ଥିବା ବେଳେ ଆଜି ୮୨ ମିଟର ଉପରେ ପ୍ରବାହିତ ହେଉଛି । ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ସୂଚାଇ ଦେଇଛି । ସେମିତି ଗଜପତି ଜିଲ୍ଲା ମୋହନାରେ ହରଭଙ୍ଗି ନଦୀରେ ପାଣି କମୁନଥିବାରୁ ୪ଟି ଗାଁ ବାଢ଼େଇପୁର, ଧନୁପଙ୍କ, ନୂଆସାହି ଓ ଗୁଣ୍ଡିଗୁଡ଼ା ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି । ଜରୁରୀ କାମ ପାଇଁ ଲୋକମାନେ ଜୀବନକୁ ବାଜି ଲଗାଇ ନଈ ପାର ହେଉଛନ୍ତି ।

 

ହରଭଙ୍ଗୀ ଡ୍ୟାମ୍‌ରୁ ପାଣି ଛଡ଼ାଯିବା କଥା ଶୁଣି ତଳିଆ ଅଞ୍ଚଳର ଲୋକେ ଛାନିଆ ହେଲେଣି । ଏଣେ ଢେଙ୍କାନାଳ ନିମବାହାଳୀଠାରେ ୫୫ ନମ୍ବର ଜାତୀୟ ରାଜପଥ ଉପରେ ୨ଫୁଟ ଉଚ୍ଚର ବର୍ଷା ପାଣି ଚାଲୁଛି । ଖାଲଖମା ସବୁ ଅଦୃଶ୍ୟ ତଥାପି ବିପଦପୂର୍ଣ୍ଣ ଅବସ୍ଥାରେ ଗାଡ଼ି ଚଳାଚଳ କରୁଛି । ତେଣେ ବର୍ଷା ଜଳ ନିଷ୍କାସନ ହୋଇପାରୁନଥିବାରୁ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ ଭଦ୍ରକ ସହର ୫ନମ୍ବର ୱାର୍ଡର ବାସିନ୍ଦା ।

ଲଘୁଚାପ ବର୍ଷାରେ ନଈ ନାଳ ଉଛୁଳୁଥିବାବେଳେ, ବହୁ ସ୍ଥାନରେ ପାହାଡ଼ ଧସିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଲାଣି । ସମ୍ବଲପୁର-ବରଗଡ଼ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀଡୁଙ୍ଗୁରୀ ପାହାଡ଼ରୁ ପଥର ଧସିଛି । ରାସ୍ତା ଉପରେ ବଡ଼ ବଡ଼ ପଥର ଖଣ୍ଡ ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । କୌଣସି ସମୟରେ ଆହୁରି ଭୂସ୍ଖଳନ ହେବାର ଆଶଙ୍କା ମଧ୍ୟ ରହିଛି । ସେହି ରାସ୍ତାରେ ପୂର୍ବରୁ ଏଭଳି ଘଟଣା ଘଟୁଥିବାର ନଜର ଥିଲେ ବି ଜାତୀୟ ରାଜପଥ କର୍ତ୍ତୃପକ୍ଷ ଲୋକଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବାକୁ କହିଛନ୍ତି ସ୍ଥାନୀୟ ଜିଲ୍ଲାପାଳ ।

ସେପଟେ ଫୁଲବାଣୀ ଖଜୁରୀପଡ଼ା ନିକଟ ଗାଡ଼ିଆପଡ଼ା ଘାଟିରେ ବି ମାଟି ଓ ପଥର ଧସିଛି । ମାଟି ସାଙ୍ଗକୁ ଗଛ ବି ଉପୁଡ଼ି ରାସ୍ତା ଉପରେ ପଡିଥିବାର ଦେଖିବାକୁ ମିଳିଛି । ପଥଚାରୀ ଗଛ ହଟାଇବା ପରେ ଗମନାଗମନ ସାମାନ୍ୟ ସ୍ୱାଭାବିକ ହୋଇଥିଲେ ବି ମାଟି ଅତଡ଼ା ଧସିବା ବନ୍ଦ ହେଉନଥିବାରୁ ବଡ଼ ଧରଣର ବିପଦକୁ ଏଡ଼ାଇ ଦିଆଯାଇ ନପାରେ । ସେମିତି ପ୍ରବଳ ବର୍ଷା ପରେ ଭଦ୍ରକ ଇଞ୍ଚୁଡିର ଧୋବାଗଣ୍ଡି ପୋଲର ଗାଡର୍ଓାଲ୍ ଓ ଆପ୍ରୋଚ ରୋଡ ଧସିଯାଇଥିବାବେଳେ ନୀଳଗିରି-କପ୍ତିପଦା ରାସ୍ତାର ଟାଙ୍ଗଣାବନ୍ଧ ପୋଲର ଅତଡ଼ା ଧସି ବିପଦପୂର୍ଣ୍ଣ ସ୍ଥିତିକୁ ଆସିଯାଇଛି ।

ଗୋଟିଏ ଲଘୁଚାପ କୋପ କମିନଥିବାବେଳେ ପୁଣି ଆସୁଛି ଆଉ ଏକ ଲଘୁଚାପ । ୧୩ ତାରିଖ ବେଳକୁ ଉତ୍ତର ବଙ୍ଗାପ ସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ସେହିଦିନ ୮ ଜିଲ୍ଲା ଯଥାକ୍ରମେ ଗଂଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, ନୟାଗଡ଼, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସେପଟେ ଉଭୟ ବର୍ଷା ଓ ବନ୍ୟା ସ୍ଥିତିର ମୁକାବିଲା ପାଇଁ ସବୁ ଜିଲ୍ଲାରେ ପ୍ରଶାସନ ସଜାଗ ରହିଥିବା କହିଛନ୍ତି ଏସଆରସି(SRC)।

OTV is now on Whatsapp

Join and get latest news update delivered to you via whatsapp

Join Now