Advertisment

ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ: ୪ ଜୀବନ ନେଲା ଲଘୁଚାପ

ଅବିଶ୍ରାନ୍ତ ବର୍ଷା। ଅସ୍ତବ୍ୟସ୍ତ ଜନଜୀବନ। ଦୁଇ ଦିନର ଲଗାଣ ବର୍ଷା ପରେ ବେହାଲ ଉପକୂଳ ଓଡ଼ିଶା। ପାଣିପାଗ ବିଭାଗର ସୂଚନା ଅନୁସାରେ ଚଳିତ ଲଘୁଚାପ ବର୍ଷା ସବୁଠୁ ଅଧିକ ବର୍ଷିଛି। ଅସ୍ତରଙ୍ଗରେ ସର୍ବାଧିକ ୫୩୦ ଓ କାକଟପୁରରେ ୫୨୫ ମିଲିମିଟର ରେକର୍ଡ ବର୍ଷା ପରେ ଏ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି।

author-image
Sarbeswar
Rain

Rain

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଦୁଇ ଦିନର ଲଗାଣ ବର୍ଷାରେ ବେହାଲ ଉପକୂଳ ଓଡ଼ିଶା। ବିଶେଷକରି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି ବର୍ଷା। ବର୍ଷା ପ୍ରଭାବରେ ସୃଷ୍ଟି କୃତ୍ରିମ ବନ୍ୟାରେ ହଜାର ହଜାର ଲୋକ ଜଳବନ୍ଦୀ ହୋଇଥିବା ବେଳେ ଶହ ଶହ ହେର ଧାନଜମି ପାଣିରେ ବୁଡ଼ି ରହିଛି। ଉପକୂଳ ବାସିନ୍ଦାଙ୍କ ମତରେ ଏମିତି ବର୍ଷା ଆଗରୁ କେବେ ଦେଖିନଥିବା ବେଳେ ଏପଟେ ବର୍ଷା ଜନିତ ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଯାଇଛି।

Advertisment

ଅବିଶ୍ରାନ୍ତ ବର୍ଷା। ଅସ୍ତବ୍ୟସ୍ତ ଜନଜୀବନ। ଦୁଇ ଦିନର ଲଗାଣ ବର୍ଷା ପରେ ବେହାଲ ଉପକୂଳ ଓଡ଼ିଶା। ପାଣିପାଗ ବିଭାଗର ସୂଚନା ଅନୁସାରେ ଚଳିତ ଲଘୁଚାପ ବର୍ଷା ସବୁଠୁ ଅଧିକ ବର୍ଷିଛି। ଅସ୍ତରଙ୍ଗରେ ସର୍ବାଧିକ ୫୩୦ ଓ କାକଟପୁରରେ ୫୨୫ ମିଲିମିଟର ରେକର୍ଡ ବର୍ଷା ପରେ ଏ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। କେଉଁଠି ଘର ବୁଡ଼ିଛି ତ ଆଉ କେଉଁଠି ରାସ୍ତା ଧସିଛି। ଏ ଦୁଇ ବ୍ଲକର ବହୁ ମୁଖ୍ୟ ରାସ୍ତାରେ ଉପରେ ଛୁଟୁଛି ଅସରନ୍ତି ବର୍ଷା ଜଳ। କାକଟପୁର-ନିମାପଡ଼ା ମୁଖ୍ୟ ରାସ୍ତାରେ ସୋମନାଥପୁରଠାରେ ବି ଚାଲିଛି ଫୁଟେ ଉଚ୍ଚର ପାଣି। ସେପଟେ ନଦୀକୂଳିଆ, ତଳିଆ ଓ ଖାଲୁଆ ଅଞ୍ଚଳରେ ପାଣି ଜମି ରହିଥିବାରୁ ଜଳବନ୍ଦୀ ଅବସ୍ଥାରେ ଶହ ଶହ ଗାଁ। ବର୍ଷା ଛାଡ଼ିବାର ନାଁ ନେଉନଥିବାରୁ ହଜାର ହଜାର ହେକ୍ଟର ଚାଷ ଜମିରେ ଏବେ ଚିଲିକା ଭଳି ସ୍ଥିତି ଉପୁଜିଛି। ଏଣେ ପ୍ରବଳ ବର୍ଷା ପ୍ରଭାବରେ ଚନ୍ଦ୍ରଭାଗା ନିକଟରେ ସମୁଦ୍ରକୁ ଏକ ନୂଆ ମୁହାଁଣ ଖୋଲିଥିବାରୁ କୋଣାର୍କ ଅଞ୍ଚଳରୁ ଅଦିନିଆ ବନ୍ୟାର ପ୍ରଭାବ କମିଛି।

ଲଘୁଚାପ ବର୍ଷାର ପ୍ରଳୟଙ୍କରୀ ରୂପ ପରେ ଜଗତସିଂହପୁର ଜିଲ୍ଲାର କିଛି ବ୍ଲକରେ ବନ୍ୟା ସ୍ଥିତି ହୋଇଛି। ବିଶେଷକରି ବାଲିକୁଦା, ଏରସମା, ନାଉଗାଁ, ରଘୁନାଥପୁର ଓ ତିର୍ତ୍ତୋଲ ବ୍ଲକର ଶହ ଶହ ଗାଁକୁ ଘେରି ରହିଛି ନିଷ୍କାସିତ ହୋଇପାରୁନଥିବା ବର୍ଷା ଜଳ। ଫଳରେ ଦୁଇ ଦିନ ହେବ ଘର ଭିତରେ ଜଳବନ୍ଦୀ ଅବସ୍ଥାରେ ଲୋକେ। ଏପଟେ ପାଣିରେ ବୁଡ଼ି ରହିଛି ରାସ୍ତା, ଚାଷଜମି, ସ୍କୁଲ ଓ ଅଫିସ ସବୁକିଛି। ପ୍ରବଳ ବର୍ଷାରେ କିଛି ସ୍ଥାନରେ ରାସ୍ତା ଧୋଇଯିବାରୁ ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ବର୍ଷା ଯୋଗୁଁ ଗଛ ଉପୁଡିଛି, ବିଜୁଳି ଖୁଣ୍ଟି ବି ଟଳିଛି। ଜୁଜଙ୍ଗ ଥାନା ଭିତରେ ଟେବୁଲ, ଚେୟାର, ଆଲମିରା ଅଧାଯାଏଁ ପାଣିରେ ବୁଡ଼ିରହିଥିବା ବେଳେ ବର୍ଷା ପାଣିରେ ଭାସୁଛି ଫାଇଲ ଓ ଅନ୍ୟ କାଗଜପତ୍ର। ବର୍ଷା ବିତ୍ପାତରୁ ଅଘଟଣ ଅଶଙ୍କାରେ ଜଗତସିଂହପୁର ଜିଲ୍ଲାରେ ଦିନ ୧୧ଟା ସୁଦ୍ଧା ୧୮୭୮ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

Advertisment

କେନ୍ଦ୍ରାପଡ଼ା ଜିଲ୍ଲାରେ ବି ବର୍ଷା ବିତ୍ପାତରୁ ଉତ୍କଟ ସ୍ଥିତି। ଲଗାଣ ବର୍ଷାରେ ବେହାଲ କେନ୍ଦ୍ରାପ଼ଡ଼ା ସହର। ଅନେକ ସରହ ବାସିନ୍ଦାଙ୍କ ଘରେ ପାଣି ପଶିଥିବାରୁ ନାକେଦମ ହୋଇଛନ୍ତି ଲୋକେ। ସେପଟେ ବର୍ଷା ଜଳ ନିଷ୍କାସିତ ହୋଇନପାରି ମୁଖ୍ୟ ରାସ୍ତାରେ କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରିଛି। ଏପଟେ ଭଦ୍ରକ ଜିଲ୍ଲାରେ ଲାଗି ରହିଛି ଲଘୁଚାପ ବର୍ଷା। ପ୍ରସିଦ୍ଧ ଆଖଣ୍ଡଳମଣୀ ମନ୍ଦିର ଗର୍ଭଗୃହରେ ବର୍ଷା ପାଣି ପଶିଯିବା ପରେ ମହାଦେବଙ୍କ ପୂଜାର୍ଚ୍ଚନାରେ ବାଧା ସୃଷ୍ଟି ହୋଇଛି। ସେପଟେ ଯାଜପୁରରେ ବି ଦାଉ ସାଧିଛି ଲଗାଣ ବର୍ଷା। ଲଘୁଚାପ ବର୍ଷାରେ ବଡ଼ଚଣା ବ୍ଲକର କିଛି ଅଞ୍ଚଳ ଜଳମଗ୍ନ ହେବା ସହ ନିର୍ମାଣଧୀନ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ଗ୍ରାମୀଣ କ୍ୟାମ୍ପସର ପାଚେରୀ ଭୁଶୁଡ଼ି ପଡ଼ିଛି।

ଚଳିତ ଲଗୁଚାପ ଜନିତ ବର୍ଷା ଓ ତଦଜନିତ ଦୁର୍ଘଟଣାରେ ଏଯାଏଁ ୪ ଜଣ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେନ୍ଦ୍ରାପଡ଼ାରରେ କାନ୍ଥ ପଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିଭଳି ଖୋର୍ଦ୍ଧାରେ କାନ୍ଥ ପଡ଼ି ଜଣକର ମୃତ୍ୟୁ ହୋଇଥିବା ବେଳେ କଟକ ଜିଲ୍ଲା ସାଲେପୁରରେ ମଧ୍ୟ ଜଣଙ୍କ ମୃତ୍ୟୁ ହୋଇଛି। ଏପଟେ କଟକ ଜିଲ୍ଲା ବାଙ୍କୀରେ ବହୁ କଚ୍ଚା ଘର ଭୁଶୁଡ଼ି କ୍ଷୟକ୍ଷତିର ଚିତ୍ର ସାମ୍ନାକୁ ଆସିଛି।

Odisha Heavy Rainfall
Advertisment
Advertisment