/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659809371.jpg)
Heavy Rainfall
ଅସରାଏ ବର୍ଷାରେ ବୁଡ଼ିଗଲା ଅଣ୍ଡରପାସ୍। ଫସିଗଲା ମୋ ବସ୍। ଆଉ ତାଭିତରେ ଫସିଗଲେ ଯାତ୍ରୀ। ଜଟଣୀ ସୀତାରାମ ଛକ ନିକଟ ଅଣ୍ଡରପାସରେ ଏଭଳି ଅଘଟଣ ଘଟିଛି। ଲଗାଣ ବର୍ଷାରେ ଆଜି ଜଟଣୀରୁ ପିପିଲିକୁ ସଂଯୋଗ କରୁଥିବା ଏହି ରାସ୍ତାରେ ପାଣିର ସୁଅ ଚାଲିଥିଲା। ଆଉ ତାଭିତରେ ଫସିଯାଇଥିଲା ବସଟି। ଧିରେ ଧିରେ ପାଣି ବଢିବା ସହ ବୁଡିଯାଇଥିଲା ବସ୍। ତେବେ ବସ୍ ଭିତରୁ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ସ୍ଥାନୀୟ ବାସିନ୍ଦା। ବଡ ଦୁର୍ଘଟଣାରୁ ବଂଚିଯାଇଥିଲା ଜୀବନ।
ଭୁବନେଶ୍ୱର ଇସ୍କନରେ ସବୁଥର ଭଳି ଆଜି ମଧ୍ୟ ଅଳ୍ପ ବର୍ଷାରେ ସୃଷ୍ଟି ହୋଇଥିଲା ବନ୍ୟା ଭଳି ସ୍ଥିତି। ଇସ୍କନ ମନ୍ଦିର ସାମ୍ନା ମୁଖ୍ୟ ରାସ୍ତାରେ ଚାଲିଥିଲା ପାଖାପାଖି ୫ ଫୁଟର ପାଣି। ଆଉ ସେହି ପାଣି ଭିତରେ ଫସିଥିଲା ଅନେକ ଗାଡି ମୋଟର। ଯାତ୍ରୀ ବି ହନ୍ତସନ୍ତ ହୋଇଥିଲେ। କାହାର ସ୍କୁଟି ତ ଆଉ କିଏ କାର ସହ ଫସିଥିଲା। ଏହି ସହରୀ ବନ୍ୟାରେ ଅସରାଏ ବର୍ଷାରେ ଘଂଟା ଘଂଟା ଧରି ଘାଂଟି ହୋଇଥିଲେ ଶହ ଶହ ଲୋକ। ସେପଟେ ବମିଖାଲ ମୁଖ୍ୟ ରାସ୍ତା ବି ଜଳମଗ୍ନ ରାସ୍ତା ଉପରେ ୨ରୁ ୩ ଫୁଟର ପାଣି ଚାଲିବାରୁ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା ଯାତାୟତ। ଆଚାର୍ଯ୍ୟ ବିହାର ଏବଂ ଜୟଦେବ ବିହାର ଭଳି ଅଂଚଳରେ ବି ଦୀର୍ଘ ସମୟ ଧରି ପାଣିର ସୁଅ ଛୁଟିଥିଲା। ଠପ୍ ହୋଇଯାଇଥିଲା ରାଜଧାନୀର ଜୀବନ ଯାତ୍ରା।
ଲଗାଣ ବର୍ଷାରେ ପୁରୀରେ ବଡଦାଣ୍ଡରେ ବି ଲହଡି ମାରିଲା ପାଣି। ବଡ ଡାକ୍ତରଖାନା ଛକରୁ ମାର୍କେଟ ଛକ ପଯ୍ୟନ୍ତ ଯୁଆଡେ ଚାହିଁବ ଖାଲି ପାଣି ଆଉ ପାଣି। ରାସ୍ତାରେ ଛୁଟିଥିଲା ଆଣ୍ଠୁଏ ଉଚ୍ଚର ପାଣି। ସେହିପରି ସହର ତଳି ଅଞ୍ଚଳରେ ଉପୁଜିଥିଲା ଜଳବନ୍ଦୀ ସ୍ଥିତି। ସିଲଭର୍ ସିଟି କଟକରେ ବି ସମାନ ସ୍ଥିତି ଡ୍ରେନେଜ ସମସ୍ୟାରେ ଘାଂଟି ହେଉଥିବା ହଜାର ବର୍ଷର ସହର ବେହାଲ ହୋଇଯାଇଥିଲା ଲଗାଣ ବର୍ଷାରେ। ସେପଟେ ମାଲକାନଗିରିର ଏମଭି-୩୭ ବ୍ରିଜ୍ ଉପରେ ୪ ଫୁଟ ପାଣିର ସୁଅ ଚାଲିଛି ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ପୋଲ ବୁଡିଯାଇଛି।
ଘୂର୍ଣ୍ଣିବଳୟ ପ୍ରଭାବରେ ଜାରି ରହିଛି ବର୍ଷା। ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)