• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଅକାଳ ଚଡ଼କରେ ଆଜି ଥରି ଉଠିଲା ରାଜ୍ୟ ରାଜଧାନୀ ଭୁବନେଶ୍ୱର ଓ କଟକ । ଅପରାହ୍ନ ୨ଟା ବେଳକୁ ପାତାଳଭେଦି ବଜ୍ରପାତରେ ଦୋହଲିଗଲା  ଦୈତନଗରୀର ଜନଜୀବନ । ତା’ସହ ଅସମ୍ଭାଳ ବର୍ଷାରେ ଜଳବନ୍ଦୀ ସମସ୍ୟା ସହ ଠପ୍ ହୋଇଗଲା ଟ୍ରାଫିକ୍ ବ୍ୟବସ୍ଥା । ଭୁଶୁଡ଼ିପଡ଼ିଲା ଯାତ୍ରା ପେଣ୍ଡାଲ । ପରେ ଅବଶ୍ୟ ଜନଜୀବନ ସୁଧୁରୁଥିଲା । କିନ୍ତୁ ଟୁଇନସିଟି ସହ ବିଭିନ୍ନ ସ୍ଥାନରେ କ୍ରମାଗତ ଅସ୍ୱାଭାବିକ ବଜ୍ରପାତକୁ ନେଇ ବଢ଼ିଛି ଚିନ୍ତା । କାରଣ ଆଜି ଘଣ୍ଟାଏ ଭିତରେ ୪୨ ହଜାରରୁ ଅଧିକ ଥର ବଜ୍ରପାତ ହୋଇଥିବାବେଳେ ୭ ଜଣଙ୍କ ପ୍ରାଣହାନୀ ହୋଇଛି ।

କମ୍ପି ଉଠିଲା ଗଗନ ପବନ । ବର୍ଷା ଆଉ ପବନ ମାଡ଼ରେ ଥରହର ଚତୁର୍ଦ୍ଦିଗ । ଘଡ଼ଘଡ଼ିର ଗର୍ଜନରେ ତାବଦା ହୋଇଯାଉଛି କାନ ମୁଣ୍ଡ । ପାତାଳଭେଦୀ ବଜ୍ରପାତରେ ଥରି ଉଠୁଛି ଶରୀରର ସର୍ବାଙ୍ଗ । କେଉଁ ମୁହୁର୍ତ୍ତରେ କିଛି ବି ଘଟିଯିବାର ଭୟ ଭିତରେ ଆଜି ରାଜଧାନୀର ଅପରାହ୍ନ ଥିଲା ଭୟଙ୍କର ।

ସମୟ ଦିନ ପ୍ରାୟ ୨ଟା । ପୂର୍ବ ଦିଗ ପଟୁ ମାଡ଼ି ଆସିଲା କଳା ମଚ୍ ମଚ୍ ମେଘ । ଆଉ ତା’ପରେ ଦେଖୁ ଦେଖୁ ଅଜାଡ଼ି ହୋଇପଡ଼ିଲା ବର୍ଷା । ସ୍ଥିତି ଏମିତି ହେଲା ଯେ, ଜୀବନ ବିକଳରେ କିଏ ଦୋକାନ ଘରେ ଲୁଚିଗଲେ ତ ଆଉ କିଏ ଫ୍ଲାଏ ଓଭର ତଳେ ଛିଡ଼ା ହୋଇ ରହିଲେ । ବଜ୍ରପାତ ଆଉ ବର୍ଷାର ମିଳିତ ତାଣ୍ଡବରେ ପ୍ରାୟ ୨ ଘଣ୍ଟା ଧରି ଠପ୍ ହୋଇଗଲା ଜୀବନଯାତ୍ରା ।

ସବୁଥର ଭଳି ଏଥର ବି ବୁଡ଼ିଲା ଇସ୍କନ ଅଞ୍ଚଳର ସମେତ ବହୁ ଇଲାକା । ନୟାପଲ୍ଲୀରେ ଘରେ ଘରେ ପଶିଲା ପାଣି । କେଉଁଠି ଆଣ୍ଠୁଏ ତ ଆଉ କେଉଁଠି ଛୁଟିଲା ଅଣ୍ଟାଏ ପାଣିର ସୁଅ । ବର୍ଷା ଛାଡ଼ିବା ପରେ ସଂଗୀନ ହୋଇଗଲା ଟ୍ରାଫିକ ସମସ୍ୟା । ମୂଷଳଧାରା ବର୍ଷା ମାଡ଼ରେ ଦୁର୍ଦ୍ଦଶାର ଚିତ୍ର ଏତିକି ନଥିଲା । ଭୁବନେଶ୍ୱର ସାଲିଆସାହି ନିକଟ ହାତୀଆଶୁଣିରେ ଭୁଶୁଡ଼ି ପଡ଼ିଲା ଯାତ୍ରା ପେଣ୍ଡାଲ । ମାତ୍ର ଦେଢ ଘଣ୍ଟାରେ ୭୧ ମିଲିମିଟରର ବର୍ଷା ଯୋଗୁ ଭୁବନେଶ୍ୱରର ମୋଟାମୋଟି ଏଭଳି ଅବସ୍ଥା ଥିଲା ।

କେବଳ ଭୁବନେଶ୍ୱର କାହିଁକି, କଟକ ସହରରେ ବି ଅସମ୍ଭାଳ ସ୍ଥିତି । ଅପରାହ୍ନ ୨ଟାରୁ ପ୍ରାୟ ଦେଢ଼ ଘଣ୍ଟାର ତାଣ୍ଡବ ରଚିଛି ବର୍ଷା ସହ ଘଡ଼ଘଡ଼ି । ତା’ପରେ ରାସ୍ତା ଉପରେ ବର୍ଷା ପାଣି, ଦାଣ୍ଡ ଅଗଣା ଉବୁଟୁବୁ । ଚତୁର୍ଦ୍ଦିଗ ଜଳବନ୍ଦୀ । ପଟାପୋଲଠୁ ଆରମ୍ଭ କରି ମେରିଆବଜାର, ସୂତାହାଟ, ଝୋଲାସାହି, ଖଟବିନ୍ ସାହି, ରାଉଷାପାଟଣା ଆଦି ବହୁ ଅଞ୍ଚଳରେ ପାଣି ଜମିଛି । ହୀନସ୍ତା ହେଉଛନ୍ତି କଟକର ଶତାଧିକ ଲୋକ ।

ତେବେ ବର୍ଷା ସିନା ଛାଡ଼ିଗଲା, କିନ୍ତୁ ସବୁଠି ଗୋଟିଏ ଚର୍ଚ୍ଚା, ବଜ୍ରପାତକୁ ନେଇ । ଆର୍ଥ ସାଇନ୍ସ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଖୋର୍ଦ୍ଧା, କଟକ ସମେତ ଆଖାପାଖ ଜିଲ୍ଲାରେ ଆଜି ଘଣ୍ଟାଏ ଭିତରେ ୪୨ ହଜାର ୨୪୯ ଥର ବଜ୍ରପାତ ହୋଇଛି । କେବଳ ଏହି ସ୍ଥାନ ନୁହଁ, ଅନ୍ୟ ଜିଲ୍ଲାରେ ବି ବଜ୍ରପାତ ଘଟି ପ୍ରାଣହାନୀ ହୋଇଥିବା ଅଭିଯୋଗ ଆସିଛି ।

ବୌଦ୍ଧ ରାଉତବାହାଲ ଗାଁରେ ବିଲରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ବଲାଙ୍ଗିର କୁଟିସିଂହା ଗାଁରେ ଜଣେ ଯୁବକଙ୍କ ଜୀବନ ଯାଇଛି । ସେହିପରି ବାଣପୁର ଥାନା ନୀଳାଦ୍ରିପ୍ରସାଦ ଆରଙ୍ଗ ଗାଁରେ ଜଣେ ଏବଂ ଦାମିଆ ବରବରା କଦମଝୋଲା ଗାଁରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ଗତକାଲି ଖୋର୍ଦ୍ଧା ନିରାକାରପୁରରେ ବଜ୍ରପାତରେ ୪ ଛାତ୍ରଛାତ୍ରୀ ଓ ୨ ଟ୍ୟୁସନ୍ ଶିକ୍ଷକ ଅସୁସ୍ଥ ହୋଇପଡ଼ିଥିଲେ । ଏଭଳି ଅସ୍ୱାଭାବିକ ବଜ୍ରପାତ ଏବେ ଚିନ୍ତା ବଢ଼ାଇଛି ସମସ୍ତଙ୍କୁ ।

ସେପଟେ ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପ କ୍ଷେତ୍ରର ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ଘଡ଼ଘଡ଼ି ପାଇଁ ୨୨ ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ କରିଛି ।