• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି । ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ପୁରୀରେ ଆଜି ସକାଳୁ ପ୍ରବଳ ବର୍ଷା ହେଉଛି । ଆଜି ପୁରୀରେ ୮୭ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୨୪.୬ ମିଲିମିଟର, ପାରାଦୀପରେ ୧୫ ମିଲିମିଟର, ଚାନ୍ଦବାଲିରେ ୧୫, ବାଲେଶ୍ୱରରେ ୧୩ ମିଲିମିଟର ଏବଂ ଗୋପାଳପୁରରେ ୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଅବିଶ୍ରାନ୍ତ ବର୍ଷା ଯୋଗୁ ରାଜଧାନୀର କେତେକ ସ୍ଥାନରେ ଓ୍ୱାଟର ଲଗିଂ ସ୍ଥିତି ସୃଷ୍ଟି ହୋଇଥିଲା । ଆଜି ସକାଳୁ ସକାଳୁ ତୁହାକୁ ତୁହା ବର୍ଷା ଢାଳୁଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । 


ଏହାସହ ଖାଲୁଆ ସ୍ଥାନଗୁଡ଼ିକ ଜଳପୂର୍ଣ୍ଣ ହେବାରେ ଲାଗିଛି । ଫଳରେ ଆଜି ସକାଳ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ରାଜଧାନୀ ଭୁବନେଶ୍ୱରର ବମିଖାଲ, ଇସ୍କନ ଏରିଆ ଭଳି କିଛି ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏକ ଆଉ ଲଘୁଚାପ ଆସୁଛି । ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାସହ ଆଜିଠାରୁ ବର୍ଷା ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଆନ୍ଧ୍ର ଉପକୂଳରେ ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୭ ତାରିଖ ବେଳକୁ ଉତ୍ତର-ପଶ୍ଚିମ ତତ୍ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ମଧ୍ୟ ରହିଛି । 

ସେହିପରି ସକ୍ରିୟ ଘୁର୍ଣ୍ଣିବଳୟ ବର୍ତ୍ତମାନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଥିବା ବେଳେ ଏହା ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳର ୫.୮ କିମି ଉଚ୍ଚତା ଯାଏଁ ବ୍ୟାପିଛି । ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି । ଏହାସହ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି |

ସ୍ୱାଭାବିକଠାରୁ କମ୍ ବୃଷ୍ଟିପାତ :-
ଜୁନ୍ ପହିଲାରୁ ଅଗଷ୍ଟ ୬ ତାରିଖ ମଧ୍ୟରେ ରାଜ୍ୟରେ ସ୍ୱାଭାବିକଠାରୁ କମ୍ ବୃଷ୍ଟିପାତ ହୋଇଛି । ଏହି ସମୟ ମଧ୍ୟରେ ୫୩୯.୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ହେଲେ ଏହି ସମୟ ମଧ୍ୟରେ ସ୍ୱାଭାବିକ ବର୍ଷା ୬୨୯ ମିଲିମିଟର ବର୍ଷା ହେବା କଥା  କିନ୍ତୁ କେବଳ ଗୋଟିଏ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ମାତ୍ରାରେ ବର୍ଷା ହୋଇଛି । ଏବଂ ଅନ୍ୟ ୨୧ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ଏବଂ ୮ଟି ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି ।ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।