• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅବପାତରେ ପରିଣତ ହୋଇଛି ଲଘୁଚାପ । ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଅତିପ୍ରବଳ ବର୍ଷାର ବି ସମ୍ଭାବନା ରହିଛି । କ୍ରମେ ଏହା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଛତିଶଗଡ଼ ଆଡେ ମୁହାଁଇବ । ଏଥିପାଇଁ ଓଡ଼ିଶାର ସମସ୍ତ ବନ୍ଦର ପାରାଦୀପ, ଧାମରା ଓ ଗୋପାଳପୁରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯିବା ସହ ୪ ଜିଲା ବରଗଡ଼, ସମ୍ବଲପୁର, ଅନୁଗୁଳ ଓ କେନ୍ଦୁଝରକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି ହୋଇଛି ।

୧୨ ତାରିଖ ବେଳକୁ ବର୍ଷାର ପରିମାଣ ସାମାନ୍ୟ କମି ୧୩ରୁ ପୁଣି ବଢିବ ଅବପାତ । ଛତିଶଗଡ଼ ଆଡକୁ ଗତି କରିବା ସମୟରେ ଉପକୂଳ, ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ରହିବା କାରଣରୁ ଆସନ୍ତାକାଲି ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

ସେପଟେ ବର୍ଷାର ପରିମାଣ ବଢ଼ିବା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାଣି ଜମି ରହିଛି । ବିଶେଷ ଭାବେ ଦକ୍ଷିଣ ଓଡ଼ିଶାରେ ପରିସ୍ଥିତି ଟିକିଏ ଅଧିକ ବିଗିଡ଼ିଛି । ମାଲକାନଗିରି ଝାପ୍ରା ପୋଲ ଉପରେ ୮ରୁ ୧୦ ଫୁଟର୍ ପାଣି ଚାଲିଛି । ଏକାକାର ହୋଇଯାଇଛି ରାସ୍ତାଘାଟ ଓ ବିଲବାଡ଼ି । ଫଳରେ ମାଲକାନଗିରିରୁ ଛତିଶଗଡ଼ର ସୁକମା ଓ ତେଲଙ୍ଗାନାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି । ସେପଟେ ଗୋଦାବରୀ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ସାବେରୀ ନଦୀରେ ଜଳ ନିଷ୍କାସନ ହୋଇପାରୁନି ।

ସେହିପରି ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ, ଭାସ୍କେଲ, ଚୁରି ଓ ଅଙ୍ଗି ଭଳି ସବୁ ଛୋଟବଡ଼ ନଦୀର ଜଳସ୍ତର ବଢ଼ି ଚାଲିଛି । ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀର ସଂଗମସ୍ଥଳ କୋଷାଗୁମୁଡ଼ା ବ୍ଲକ୍ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି । ୬ଟି ପଞ୍ଚାୟତର ୧୪ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି । ୧୬୫ ମିଲିମିଟର ବର୍ଷା ପରେ ଘରେ ଘରେ ପଶିଛି ବର୍ଷା ପାଣି ।

ଅବିଶ୍ରାନ୍ତ ବର୍ଷା ପରେ ଗଜପତି ଜିଲ୍ଲାର ହରଭଙ୍ଗି ନଦୀ ଫୁଲିବାରେ ଲାଗିଛି । ମୋହନାରୁ ସଂଯୋଗ କରୁଥିବା ବାଇପୁର ସମେତ ଗୁଣ୍ଡିରିଗୁଡା, ଧନୁପଙ୍କ ଓ ନୂଆସାହି ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଏମିତିକି ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେଇ ନପାରିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।