• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଚଳିତ ଗ୍ରୀଷ୍ମରେ ଏବେ ସୁଦ୍ଧା ରାଜ୍ୟରେ ଆସିଲାଣି ୯୬ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ । ମେ ୩୦ ସୁଦ୍ଧା ୪୨ଟି ଅଭିଯୋଗ ଆସିଥିବା ବେଳେ, ଗତ ୪୮ ଘଣ୍ଟାରେ ଅଂଶୁଘାତରେ ୫୪ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ ରିଲିଜ ଜରିଆରେ ସୂଚନା ଦିଆଯାଇଛି ।

ସେଥିରେ ଦର୍ଶାଯାଇଛି ଯେ, ମୋଟ ୯୬ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ମଧ୍ୟରୁ ୯ ଜଣଙ୍କ ଜୀବନ ପ୍ରକୃତରେ ଅଂଶୁଘାତରେ ଜୀବନ ଯାଇଛି ବୋଲି ସ୍ପଷ୍ଟ ହୋଇଛି । ୬ ଜଣଙ୍କ ମୃତ୍ୟୁ ଅନ୍ୟ କାରଣ ଘଟିଛି ଏବଂ ୮୧ଟି ମୃତ୍ୟୁ ଏବେବି ତଦନ୍ତାଧୀନ ରହିଛି । ସେପଟେ ରାଉରକେଲାରେ ଗତ ୨ ଦିନ ଭିତରେ ୧୦ ଜଣଙ୍କ ମୃତ୍ୟୁ ହିଟୱେ ଯୋଗୁଁ ହୋଇଛି ବୋଲି ସୂଚନା ଦେଇଛନ୍ତି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ।

ଅନ୍ୟ ୮ ଜଣଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଛି । ଶନିବାର ରାଉରକେଲା ସରକାରୀ ହସ୍ପିଟାଲରେ ପହଞ୍ଚି ଅଚାନକ ବହୁ ସଂଖ୍ୟାରେ ଅସ୍ୱାଭାବିକ ମୃତ୍ୟୁ ଘଟଣାର ତଦନ୍ତ କରୁଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଟିମ୍ । ଭୁବନେଶ୍ୱରରୁ ଯାଇଥିବା ୩ ଜଣିଆ ମେଡିକାଲ୍ ଟିମ୍ RGHରେ ବିଭିନ୍ନ ୱାର୍ଡ ବୁଲି ରୋଗୀ ଓ ତାଙ୍କ ସଂପର୍କୀୟଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି ।

ସେପଟେ ଝାରସୁଗୁଡ଼ାରେ ଶୁକ୍ରବାର ୪ ଜଣଙ୍କର ଏବଂ ଶନିବାର ଜଣଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ବେଳେ, ସେମାନଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି CDMO କହିଛନ୍ତି । ବରଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଂଶୁଘାତରେ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ଦିଆଯାଇଛି । ଏଥିସହ ବିଭିନ୍ନ ହସ୍ପିଟାଲରେ ୫୮ ଜଣ ଚିକିତ୍ସାଧୀନ ଅଛନ୍ତି ।

ତେବେ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ ପ୍ରଶ୍ନ- ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଂଶୁଘାତ ଏମିତି ଘାତକ ସାଜିଲା କାହିଁକି ? ଆକାଶରୁ ନିଆଁ ବର୍ଷାରେ ବିରାମ ଲାଗିବ କେବେ ? ପାଣିପାଗ ବିଶେଷଜ୍ଞଙ୍କ କହିବାନୁସାରେ- ନିକଟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ରେମାଲ ପ୍ରଭାବରେ ଓଡ଼ିଶାର ସ୍ଥଳଭାଗ ଆଡ଼କୁ ଅଧିକ ଜଳୀୟ ବାଷ୍ପ ଆସିଛି ।

ଯେହେତୁ ବର୍ଷା ହେଉନାହିଁ, ତେଣୁ ସେ ଆବଶ୍ୟକତାଠାରୁ ଅଧିକ ଜଳୀୟବାଷ୍ପ ସେମିତି ବାୟୁମଣ୍ଡଳରେ ଘୂରି ବୁଲୁଛି । ଯାହାଦ୍ୱାରା ପ୍ରଚଣ୍ଡ ଗରମ ସାଙ୍ଗକୁ ଜନଜୀବନକୁ ଦୁର୍ବିସହ କରୁଛି ଗୁଳୁଗୁଳି । ଯାହା ଫଳରେ ମଣିଷ ଶରୀର ଏହାକୁ ସହ୍ୟ କରିପାରୁନି । ଯଦିଓ ଆଗାମୀ ୨ରୁ ୩ଦିନ ଯାଏଁ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ, ହେଲେ ୪୦ ତଳକୁ ଖସିବାର ସମ୍ଭାବନା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଏମିତିକି ୧୦ ତାରିଖ ଯାଏଁ ୪୦ରୁ ୪୫ ଡିଗ୍ରୀ ପାଖାପାଖି ତାପମାତ୍ରା ରାଜ୍ୟରେ ଜାରି ରହିବ ଓ ମୌସୁମୀ ବର୍ଷା ଆରମ୍ଭ ନ ହେବା ଯାଏଁ ଅସ୍ୱାଭାବିକ ସ୍ଥିତି ଲାଗି ରହିବ ବୋଲି ବି ସତର୍କ କରିଛନ୍ତି । ଅନ୍ୟପଟେ ଓଡ଼ିଶାରେ ଅଂଶୁଘାତ ମୃତ୍ୟୁ ନୂଆ ନୁହେଁ, ୧୯୯୮ ମସିହାରେ ରାଜ୍ୟରେ ଅସହ୍ୟ ରୌଦ୍ର ନିଆଁରେ ୨ ହଜାରରୁ ଅଧିକ ଲୋକଙ୍କ ପ୍ରାଣ ଯାଇଥିଲା । ହେଲେ ସେ ଘଟଣାର ଏତବର୍ଷ ପରେ ଓ ଏତେ ସଚେତନତା ସତ୍ତ୍ୱେ ବି ସମାନ ସ୍ଥିତିରେ ଜୀବନ ହାନୀକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ରାଜ୍ୟବାସୀ ।

OTV is now on Whatsapp

Join and get latest news update delivered to you via whatsapp

Join Now