• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମାର୍ଚ୍ଚରେ ହେଲାଣି ମୁଣ୍ଡଫଟା ଖରା । ରାଜ୍ୟରେ ହଠାତ୍ ଉପରମୁହାଁ ହେବାରେ ଲାଗିଛି ପାରଦ । ଆଜି ରାଜ୍ୟର ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରହିଛି । ଆସନ୍ତା ୩ଦିନ ଡହଡହ ଖରାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟର କେତେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରକୁ ଯାଇପାରେ ବୋଲି ପୂର୍ବନୁମାନ କରାଯାଉଛି । ଏଥିପାଇଁ ୮ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ୱାର୍ଣ୍ଣିଂ । ସେପଟେ ବଙ୍ଗୋପସାଗରରେ ଏକ ବାତ୍ୟା ଆସୁଥିବା ନେଇ ଚାଲିଥିବା ଚର୍ଚ୍ଚାକୁ ଖଣ୍ଡନ କରି ଆଇଏମଡି ଡିଜି କହିଛନ୍ତି ଯେ, ଏଯାଏଁ କୌଣସି ବାତ୍ୟା ଆକଳନ ହୋଇନାହିଁ ।

ବସନ୍ତରେ ବର୍ଷିବ ନିଆଁ । କାଲିଠୁ ୩ଦିନ ପ୍ରଚଣ୍ଡ ଖରା ହେବ । ସ୍ୱାଭାବିକଠୁ ହଠାତ୍ ୪ରୁ ୫ଡିଗ୍ରୀ ଯାଏଁ ବଢ଼ିଯିବ ପାରଦ । ସ୍ଥାନେ ସ୍ଥାନେ ୪୦ କି ତାଠୁ ଅଧିକ ଡେଇଁପାରେ ତାପମାତ୍ରା । ୮ ଜିଲ୍ଲାକୁ ଏଥିପାଇଁ ପାଣିପାଗ ବିଭାଗ ଦେଇଛି ୟେଲୋ ୱାର୍ଣ୍ଣିଂ । ମାର୍ଚ୍ଚ ମଝିରୁ ଏଭଳି ଗ୍ରୀଷ୍ମଲହରର ସାମ୍ନା କରିବାକୁ ଯାଉଥିବା ଜିଲ୍ଲା ଗୁଡ଼ିକ ହେଲା ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର, ମୟୂରଭଞ୍ଜ । ବିଶେଷକରି ଆଭ୍ୟନ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ଏମିତି ଅନୁଭବ ହେବ ଡହ ଡହ ଖରା ।

ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ଶୁଷ୍କ ବାୟୁ ପ୍ରଭାବରେ ଏଭଳି ଗ୍ରୀଷ୍ମପ୍ରବାହ ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ସେପଟେ କେମିତି ମୁଣ୍ଡଫଟା ଖରାରେ କଲବଲ ହେଉଛନ୍ତି ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ ବାସିନ୍ଦା । ମଧ୍ୟାହ୍ନ ୧୨ଟା ରାସ୍ତାଘାଟ ଶୂନ୍‌ଶାନ, କାଁ ଭାଁ ଯାତାୟାତ, ପିଚୁ ସଡ଼କରେ ଜଳଜଳ ଝାଞ୍ଜିର କୋପ । ପଥଚାରୀଙ୍କ ଆଶ୍ରୟସ୍ଥଳ କେଉଁ ଗଛମୂଳ ନହେଲେ ସରବତ ଦୋକାନ ।

ଗତକାଲି ଏଠି ଦିନ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଥିଲା, ଯାହା ରାଜ୍ୟର ସବୁଠୁ ଉତ୍ତପ୍ତ ସ୍ଥାନ ଥିଲା । ସକାଳ ୧୦ଟାରୁ ଗରମ ହାୱା ବୋହିବା ଆରମ୍ଭ ହୋଇଯାଉଛି । ସ୍କୁଲ-କଲେଜ ଯାଉଥିବା ପିଲାମାନେ ବେଶି ଦହଗଞ୍ଜ ହେଉଛନ୍ତି । ଆଶଙ୍କା କଲେଣି ଯଦି ମାର୍ଚ୍ଚରେ ତାତି ଏତେ ତାହାଲେ ଏପ୍ରିଲ୍-ମେରେ ହେବ କେତେ ? ରାଜଧାନୀ ଭୁବନେଶ୍ୱର ହେଉ କି ଶିଳ୍ପନଗରୀ ଅନୁଗୁଳ ଅବା ସମ୍ବଲପୁର ସବୁଠି ବି ଅନୁଭୂତ ହେଲାଣି ଅସହ୍ୟ ଗରମ ।

ସେପଟେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନାକ୍ରମେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭାରତ ମହାସାଗର-ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଏହି ଲଘୁଚାପ ବାତ୍ୟାର ରୂପ ନେବା ନେଇ ଚାଲିଥିବା ଚର୍ଚ୍ଚା ପ୍ରସଙ୍ଗରେ ଉଭୟ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଓ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଓଟିଭିକୁ ସ୍ପଷ୍ଟ ପ୍ରତିକ୍ରିୟା ରଖି କହିଛନ୍ତି । ଏଯାଏଁ କୌଣସି ବାତ୍ୟାର ଆକଳନ ହୋଇନାହିଁ, ତେବେ ୧୮ ତାରିଖ ପରେ ତାତି କମିଲେ ରାଜ୍ୟର କେତେକ ସ୍ଥାନରେ କାଁ ଭାଁ ବର୍ଷାର ସମ୍ଭାବନା ରହିଛି ।