Advertisment

ରେକର୍ଡ କଲା ରାଜଧାନୀ ତାତି; ଏସିଆର ୬ଷ୍ଠ ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ୱର

ଭୁବନେଶ୍ୱରରେ ଡହ ଡହ ଖରା। କାନମୁଣ୍ଡ ଝାଇଁ ମାରିଯାଉଛି। ଅସହ୍ୟ ତାତି, ଅସମ୍ଭାଳ ଗରମ। ରାଜଧାନୀ ଭୁବନେଶ୍ୱରରେ ସକାଳୁ ସକାଳୁ ମିଳିସାରିଥିଲା ପ୍ରଚଣ୍ଡ ତାତିର ଆଭାସ।

author-image
Manoranjan Behera
undefined

Heat wave

ରେକର୍ଡ କଲା ରାଜଧାନୀ ତାତି। ଏପ୍ରିଲ ଆରମ୍ଭରେ ତାପମାତ୍ରା ୪୩ ଡେଇଁଲାଣି। ଲୋକେ କହିଲେଣି, ଏମିତି ଗରମ କେବେ ଦେଖିନୁ। କେବଳ ରାଜଧାନୀ କାହିଁକି ସାରା ପଶ୍ଚିମ ଓଡ଼ିଶା ତ ଯେମିତି ତତଲା କଡେଇରେ ଭାଜି ହେଉଛି। ଅନେକ ସ୍ଥାନରେ ପାରଦ ୪୦ ପାର୍ କରିଛି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସହ ବଢିଛି ଅଂଶୁଘାତ ଆଶଙ୍କା। ସେପଟେ ଆସନ୍ତାକାଲି ଯାଏଁ ୧୪ଟି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

Advertisment

ଭୁବନେଶ୍ୱରରେ ଡହ ଡହ ଖରା। କାନମୁଣ୍ଡ ଝାଇଁ ମାରିଯାଉଛି। ଅସହ୍ୟ ତାତି, ଅସମ୍ଭାଳ ଗରମ। ରାଜଧାନୀ ଭୁବନେଶ୍ୱରରେ ସକାଳୁ ସକାଳୁ ମିଳିସାରିଥିଲା ପ୍ରଚଣ୍ଡ ତାତିର ଆଭାସ। ସାଢେ ୮ଟାରେ ୩୧.୨, ସାଢେ ୧୧ଟାରେ ୩୯.୮ ଏବଂ ଦିନ ସାଢେ ୨ଟା ବେଳକୁ ପାରଦ ଛୁଇଁଥିଲା ୪୩.୨ ଡିଗ୍ରୀ। ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ସହ ଫୁଟି ଉଠୁଥିଲା ସାରା ସହର।

ଆଜି ଭୁବନେଶ୍ୱର ଏସିଆର ଷଷ୍ଠ ଉତ୍ତପ୍ତ ସହର। ୧୦ ଉତ୍ତପ୍ତ ସହର ତାଲିକାରେ ଷଷ୍ଠ ସ୍ଥାନରେ ଭୁବନେଶ୍ୱର। ୪୩.୫ ଡିଗ୍ରୀ ସହ ଏସିଆର ଷଷ୍ଠ ସ୍ଥାନରେ ଭୁବନେଶ୍ୱର। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ଏନେଇ ସୂଚନା ଦେଇଛନ୍ତି। ୧୦ ଉତ୍ତପ୍ତ ସହର ତାଲିକାରେ ଭାରତର ୫ ସହର। ୪୫.୭ ଡିଗ୍ରୀ ସହ ମିଆଁମାରର ଚାଉକ୍ ସହର ସର୍ବାଧିକ ଉତ୍ତପ୍ତ ସହର।

Advertisment

ପଶ୍ଚିମ ଓଡ଼ିଶାରେ ତ ଅସହ୍ୟ ହେଲାଣି ତାତି। ନା ଘରେ ରହି ହେଉଛି ନା ବାହାରେ। ସକାଳ ୧୦ଟା ପରେ ଘରୁ ବାହାରିବା ମୁସ୍‌କିଲ୍। ଜରୁରୀ କାମ ଥିଲେ ଚଷମା, ଟୋପି ଓ ଓଦା ଗାମୁଛା ସାହାରା। ତତଲା କଡେଇରେ ସିଝୁଛି ମୟୂରଭଂଜ, କେଉଁଝର, ବୌଦ୍ଧ। ଏଠି ପାରଦ ୪୦ ଡେଇଁଲାଣି। ବାହାରେ ମୁଣ୍ଡ ଫଟା ଖରା, ଭିତରେ ଅସହ୍ୟ ଗୁଳୁଗୁଳି। ଦିନ ୧୧ଟା ବେଳକୁ ସବୁ ଶୂନଶାନ୍।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟରେ ବଢିଛି ଅଂଶୁଘାତ ଆଶଙ୍କା। ତେବେ ସରକାର ଏଥିପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ଅଂଶୁଘାତଜନିତ ଚିକିତ୍ସା ପାଇଁ ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬ଟି, ସିଏଚସିରେ ୨ଟି ଏବଂ ପିଏଚସିରେ ଗୋଟିଏ ଲେଖାଏଁ ବେଡ୍ ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଅଂଶୁଘାତ ରୋକିବାକୁ ଖରାରେ ଦିନ ୧୧ରୁ ସାଢ଼େ ୩ ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ କରିବାକୁ ବାରଣ କରାଯାଇଛି। ଏପ୍ରିଲରୁ ଜୁନ୍ ୧୫ ପର୍ଯ୍ୟନ୍ତ ଶ୍ରମିକଙ୍କ ଉପରେ ନଜର ରଖିବା ସହ ବିହୀତ ପଦକ୍ଷେପ ନେବାକୁ ସମସ୍ତ ରାଜସ୍ବ କମିଶନର ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ଶ୍ରମ ବିଭାଗ। ଅତ୍ୟାବଶ୍ୟକୀୟ ସେବା ସହ ଜଡ଼ିତ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦେଖି ପର୍ଯ୍ୟାପ୍ତ ଜଳଛତ୍ର ଖୋଲିବାକୁ ମହାନଗର ନିଗମ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।

ଏହାରି ଭିତରେ ଆସନ୍ତାକାଲି ଯାଏଁ ୧୪ଟି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏସବୁ ଜିଲ୍ଲା ହେଲା ଖୋର୍ଦ୍ଧା, କଟକ, ବୌଦ୍ଧ, ମାଲକାନଗିରି, କେନ୍ଦୁଝର, ନୟାଗଡ଼, ଅନୁଗୁଳ, ବଲାଙ୍ଗିର, କନ୍ଧମାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଂଜ ଏବଂ ଝାରସୁଗୁଡ଼ା। ତେବେ ଆସନ୍ତା ୭ ଓ ୮ ତାରିଖରେ କିଛି ଜିଲ୍ଲାରେ କାଳବୈଶାଖୀ ସହ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

Weather Update Heat Wave Warning Temperature
Advertisment
Advertisment