• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ବାତ୍ୟା ଗୁଲାବ୍‌ରେ ଅଧିକ ପ୍ରଭାବିତ ହେବ ଗଞ୍ଜାମ ଓ ଗଜପତି । ଆଜି ପ୍ରାୟ ରାତି ୯ଟା ପରେ ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ଝଡ଼ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ରହିବ । ତାବା ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୭୫ରୁ ୮୫ କିମି ରହିବ ବୋଲି ଆକଳନ କରାଯାଉଛି । ତେବେ ଗୁଲାବ୍‌ ପ୍ରଭାବରେ ଭୁବନେଶ୍ୱରରେ ମଧ୍ୟ ଦିନ ତମାମ ବର୍ଷା ଲାଗି ରହିବ । ଆଉ ଆଜି ଆଉଟର ବେଲ୍ଟ ଉପକୂଳ ଓଡ଼ିଶାରେ ବର୍ଷା ହେବ ବୋଲି କୁହାଯାଇଛି ।

ବର୍ତ୍ତମାନ ୧୮୦ କିମି ଦୂରରେ ରହିଛି ଗୁଲାବ୍ । ଆନ୍ଧ୍ର କଳିଙ୍ଗପଟ୍ଟନମ ଠାରୁ ୨୮୦ କିମି ଦୂରରେ ସାମୁଦ୍ରିକ ଝଡ଼ । ଗତ ୬ ଘଣ୍ଟାରେ ଗୁଲାବର ବେଗ ରହିଛି ଘଣ୍ଟା ପ୍ରତି ୧୭ କିଲୋମିଟର । ମଧ୍ୟରାତ୍ର ସୁଦ୍ଧା ଗୋପାଳପୁର ଓ କଳିଙ୍ଗପଟ୍ଟନମ ମଝିରେ ଲ୍ୟାଣ୍ଡଫଲ୍ କରିବ । ବାତ୍ୟା ସ୍ଥଳ ଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୭୫ରୁ ୮୫ କିଲୋମିଟର ହୋଇପାରେ ବେଳେ ବେଳେ ଏହା ୯୫ କିଲୋମିଟରକୁ ଛୁଇଁବାର ସମ୍ଭାବନା ଅଛି ।

ବାତ୍ୟା ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ସୂରୁପ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା ଜିଲ୍ଲାରେ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ଗଜପତି ଜିଲ୍ଲାର ଗୁମ୍ମା, ଗୋଷାଣୀ, ମୋହନା ଓ ରାୟଗଡ଼ ବ୍ଳକ୍ରେ ଭୂ-ସ୍ଖଳନର ଆଶଙ୍କା ଥିବାରୁ କେତେକ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଗାଁ ଲୋକ, ବିଶେଷ କରି ପ୍ରସୂତୀଙ୍କୁ ପ୍ରାଥମିକତା ଭିତ୍ତିରେ ସ୍ଥାନାନ୍ତର କରାଯାଉଛି । ସେହିଭଳି ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତି କରିଛନ୍ତି । ଅଗ୍ନିଶମବାହିନୀ ବି ବିଭିନ୍ନ ଅଞ୍ଚଳରେ ସଜାଗ ଅଛନ୍ତି ।

 

ସେପଟେ ବାତ୍ୟା ପୂର୍ବରୁ ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି । ବ୍ରହ୍ମପୁର, ପାରଳାଖେମୁଣ୍ଡି, ରାୟଗଡ଼ା, କୋରାପୁଟରେ ଗତକାଲି ରାତିଠୁ ବର୍ଷା ଲାଗି ରହିଛି ।