• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବର୍ଷା ଋତୁ ଆସୁ ଆସୁ ଦେଶର ଏକାଧିକ ରାଜ୍ୟରେ ଦେଖାଦେଇଛି ବନ୍ୟା ପରିସ୍ଥିତି । ଗୁଜରାଟରେ ମାତ୍ର ଦୁଇରୁ ତିନି ଦିନର ବର୍ଷାରେ ଏକାଧିକ ଜିଲ୍ଲା ଜଳମଗ୍ନ । ଭଲସାଦ୍, ନବସାରୀ ସମେତ ଅହମ୍ମଦାବାଦ୍ ସହରରେ ସୁଅ କାଟୁଛି ପାଣି । ହଜାର ହଜାର ହେର ଚାଷ ଜମି ଜଳମଗ୍ନ ହେବା ସହ ରାସ୍ତାଘାଟରେ ବନ୍ୟା ପାଣି ଜମି ରହିଛି । ପରିସ୍ଥିତି ଏବେ ଏତେ ବିଗିଡ଼ିଛି କି ଲୋକଙ୍କ ଘର ଦ୍ୱାର ସହ ଗୃହପାଳିତ ପଶୁ ବି ଭାସି ଯାଇଛନ୍ତି । ଖାଲି ଗୁଜରାଟ ନୁହେଁ ବନ୍ୟାର ବିଭୀଷିକା ଏବେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ବି ଦେଖିବାକୁ ମିଳିଛି ।

ଗୁଜରାଟରେ ସ୍ଥିତି ଅତି ଉଦବେଗଜନକ ରହିଛି । ଅହମ୍ମଦାବାଦ୍, ଭଲସାଦ୍, ନବସାରୀ, ଦଙ୍ଗ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି । ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ଭଲସାଦରେ ଲୋକଙ୍କ ଘର ଭିତରେ ପଶିଛି ପାଣି । ବସ୍ତି ଅଞ୍ଚଳରେ ରହୁଥିବା ଲୋକଙ୍କ କଚ୍ଚା ଘର ସମ୍ପୂର୍ଣ୍ଣ ବୁଡ଼ି ଯାଇଛି । ଖାଲି ମଣିଷ ନୁହେଁ ଗୃହପାଳିତ ପଶୁ ବି ଏଥିରେ ପ୍ରଭାବିତ ହୋଇଛନ୍ତି ।

ଭଲସାଦ୍ ଭଳି ସ୍ଥିତି ଅହମ୍ମଦାବାଦରେ ମଧ୍ୟ ଦେଖିବାକୁ ମିଳିଛି । ସହର ଭିତରେ ଚାଲୁଛି ବର୍ଷା ପାଣି । ସହରର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି । ଲୋକଙ୍କ ଘର ଭିତରେ ବି ପାଣି ପଶିଛି । ଯେନତେନ ପ୍ରକାରେ ଜରୁରୀ କାମ ପାଇଁ ବାହାରିଛନ୍ତି ଲୋକେ, ହେଲେ ଦହଗଞ୍ଜ ହେଉଛନ୍ତି । ବନ୍ୟା ପାଣି ସହର ଭିତରେ ପଶିଥିବାରୁ ବିଦ୍ୟୁତ ସରବରାହରେ ବି ବାଧା ସୃଷ୍ଟି ହୋଇଛି ।

ଖାଲି ଗୁଜରାଟ ନୁହେଁ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶରେ ବି ବନ୍ୟା ବିତ୍ପାତ । ମୂଷଳ ଧାରାରେ ବର୍ଷା ଯୋଗୁଁ ନର୍ମଦା ଓ ଗୋଦାବରୀ ନଦୀରେ ଜଳସ୍ତର ବଢ଼ିଛି । ଫଳରେ ଏହାର ଉପକୂଳରେ ଥିବା ସହର ଗୁଡ଼ିକ ପ୍ରଭାବିତ ହୋଇଛନ୍ତି । ନାସିକଠାରୁ ବିଜୟୱାଡ଼ା ଯାଏଁ ଗୋଦାବରୀ କୂଳରେ ବନ୍ୟା ହୋଇଛି । ନାସିକର ଗୋଦାବରୀ ନଦୀ ଘାଟରେ ଯେଉଁଠି ସାଧାରଣ ଦିନରେ ମାତ୍ର କିଛି ଫୁଟ୍ ପାଣି ରହିବା କଥା, ସେହି ଅଞ୍ଚଳ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି ।

ଖାଲି ଏହି ଗୋଟିଏ ଅଞ୍ଚଳ ନୁହେଁ... କେଉଁଠି ଘର ଦ୍ୱାର ବୁଡ଼ିଛି ତ କେଉଁଠି ମନ୍ଦିର ବୁଡ଼ି ଯାଇଛି ବନ୍ୟା ପାଣିରେ । ବନ୍ୟା ଯୋଗୁଁ ବିଶେଷ ଭାବେ ପ୍ରଭାବିତ ହୋଇଛି ଯାନବାହନ ଚଳାଚଳ । ୫ ରାଜ୍ୟର ଏକାଧିକ ଜାତୀୟ ରାଜପଥରେ ବନ୍ୟାଜଳ ଯୋଗୁଁ ଗାଡ଼ି ଚଳାଚଳ ଉପରେ ସିଧା ପ୍ରଭାବ ପଡ଼ିଛି । ଗୁଜରାଟର ସମସ୍ତ ସ୍କୁଲ, କଲେଜକୁ ବନ୍ଦ ରଖାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ବନ୍ୟାପରିସ୍ଥିତି ସମ୍ପର୍କରେ ଫୋନରେ ଆଲୋଚନା କରିଛନ୍ତି । ସେହିପରି ତେଲେଙ୍ଗାନାରେ ସ୍କୁଲ ୩ ଦିନ ଯାଏଁ ଘୋଷଣା ହୋଇଛି ଛୁଟି । ସବୁ ବିଭାଗକୁ ହାଇ ଆର୍ଲଟରେ ରଖାଯାଇଛି ।

ବନ୍ୟା ପରିସ୍ଥିତିରେ ଦେବଦୂତ ସାଜିଛନ୍ତି ରେସ୍କ୍ୟୁ ଟିମ୍ । ଲୋକଙ୍କୁ ପାଣି ଘେରରେ ବାହାର କରିବା, ଖାଦ୍ୟ ପହଞ୍ଚାଇବାଠୁ ଆରମ୍ଭ କରି ଯେକୌଣସି ପରିସ୍ଥିତି ହେଲେ ବି ତାକୁ ମୁକାବିଲା କରିବାକୁ ପ୍ରସ୍ତୁତ ଏନଡିଆରଏଫ୍ ଟିମ୍ । ଗୁଜରାଟର ବନ୍ୟା ବିତ୍ପାତ ଅଞ୍ଚଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରାଯାଇଛି । ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସହାୟତାର ହାତ ବଢ଼ାଇବାକୁ ଅତ୍ୟାଧୁନିକ ସାମଗ୍ରୀକୁ ପ୍ରସ୍ତୁତ କରୁଛି ଟିମ୍ । ଭଲସାଦର ଏକ ନଦୀରେ ବନ୍ୟାରେ ଫସି ଯାଇଥିଲେ ଗୋଟିଏ ପରିବାରର କିଛି ଲୋକ । ଘର ଛାତ ଉପରୁ ଏମାନଙ୍କୁ ହେଲିକର ଯୋଗେ ରେସ୍କ୍ୟୁ କରାଯାଇଛି ।