• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟରେ ଶୀତ ସାମାନ୍ୟ କମିଥିବା ବେଳେ ଆଗକୁ ଆହୁରି ଖସିବ ତାପମାତ୍ରା । ହେଲେ ଥଣ୍ଡା କମିଲେ ସୁଦ୍ଧା କୁହୁଡ଼ିର ପରିମାଣ ବଢିବ । ଏକ ଗୁରୁଚାପ ବଳୟ ଓଡ଼ିଶା ଉପକୂଳ ଆଖପାଖରେ ସକ୍ରିୟ ରହିଥିବାରୁ ଏହାର ପ୍ରଭାବରେ କୁହୁଡ଼ି ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଉପକୂଳବର୍ତ୍ତି ଜିଲ୍ଲା ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ ଏବଂ କନ୍ଧମାଳ ଜିଲ୍ଲାରେ ଦୁଇ ଦିନ ଯାଏଁ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି ।

କଟକ ଏବଂ ଭୁବନେଶ୍ୱର ଟ୍ୱିନସିଟିରେ ମଧ୍ୟ ସକାଳ ସମୟରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ । ରାଜ୍ୟରେ ଏବେ ୫ ଦିନ ଯାଏଁ ପାଗ ଶୁଖିଲା ରହିବ । ସାମୁଦ୍ରିକ ବାୟୁର ପ୍ରଭାବ ସାମାନ୍ୟ ବୃଦ୍ଧି ହୋଇଥିବାରୁ ରାତିର ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି । ଆଗାମୀ ୨ ଦିନରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ରାତିର ତାପମାତ୍ରା । ଫଳରେ ୩ରୁ ୪ ଦିନ ଯାଏଁ ଶୀତର ବିଶେଷ ପ୍ରଭାବ ରହିବ ନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ସେପଟେ ରାଜଧାନୀ ଭୁବନେଶ୍ୱରରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଗତକାଲି ରାତିରୁ ହିଁ କୁହୁଡ଼ିର ପ୍ରକୋପ ଦେଖାଦେଇଥିଲା । ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି । ଘନ କୁହୁଡ଼ିର ଚାଦରରରେ ରାସ୍ତାଘାଟ ସବୁ ଆଚ୍ଛାଦିତ ହୋଇ ରହିଛି । ଫଳରେ ଗମନା ଗମନରେ ବାଧା ଉପୁଜିଛି । ରାସ୍ତାରେ ଯିବା ବେଳେ ଗାଡ଼ି ଚାଳକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସେହିପରି ପୁରୀରେ ବି ଘନ କୁହୁଡ଼ି ଦେଖିବାକୁ ମିଳିଛି । ଆଜି ସକାଳୁ କୁହୁଡ଼ିର ପରିମାଣ ଏତେ ଯେ ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ଘୋଡ଼ାଇ ହୋଇ ରହିବା ଭଳି ଅନୁମାନ ହୋଇଥିଲା । ଶ୍ରୀମନ୍ଦିର ନୀଳଚକ୍ରକୁ ଦେଖିବା ସମ୍ଭବ ହୋଇନଥିଲା । ଦୂର ଦୂର ଯାଏଁ କୁହୁଡ଼ିର ଆସ୍ତରଣ ରହିଛି । ବଡ଼ଦାଣ୍ଡ ବି କୁହୁଡ଼ିରେ ଘୋଡ଼େଇ ହେଇ ରହିଛି ।

ଅନ୍ୟପଟେ ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ଘଟିଛି । ଦୁଇଟି କାର ମଧ୍ୟରେ ଧକ୍କା ଯୋଗୁ ୩ଜଣ ଆହତ ହୋଇଛନ୍ତି । ଭଦ୍ରକ ଗେଲପୁର ଛକ ନିକଟରେ ଏହି ଦୁର୍ଘଟଣା ହୋଇଛି । ଭଦ୍ରକ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ଗେଲପୁର ଛକ ନିକଟରେ ଦୁଇଟି କାର ଘନ କୁହୁଡି ଯୋଗୁଁ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । କୁହୁଡି ଯୋଗୁ ରାସ୍ତା ଦେଖା ନଯିବାରୁ ଏହି ଦୁର୍ଘଟଣା ହୋଇଥିଲା । ଏଥିରେ ଥିବା ଯାତ୍ରୀ ମାନଙ୍କୁ ମଧ୍ୟରୁ ୩ଜଣ ଆହତ ଥିବା ବେଳେ ଅନ୍ୟ ମାନେ ସୁସ୍ଥ ଅଛନ୍ତି ।