Advertisment

ରାଜ୍ୟକୁ ପୁଣି ବନ୍ୟା ବିପତ୍ତି ! ବୁଡିଲା ନୟାଗଡ଼-ବୌଦ୍ଧ-ସୋନପୁର-କଟକ

ମୁଣ୍ଡୁଳିରୁ ସାଢ଼େ ୯ ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ । ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ନେଇ ଚିନ୍ତା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Mahanadi River

Mahanadi River

ଉଛୁଳୁଛି ମହାନଦୀ। ସୁ ସୁ ହୋଇ ମାଡ଼ି ଚାଲିଛି ବଢ଼ିପାଣି । କେଉଁଠି କରାଳ ରୂପ ନେଇ ନଈରେ ଚାଲିଛି, ତ କେଉଁଠି ଘାଇ ଭାଙ୍ଗି, ବନ୍ଧ ଡେଇଁ ଗାଁ ଗାଁରେ ପଶିଲାଣି। ଯୋଗାଯୋଗ ବିଚ୍ଛିନ୍ନ ହେଲାଣି। ଭୟ ମାଡ଼ି ବସିଲାଣି। ପ୍ରବଳ ବର୍ଷା ପରେ ମହାନଦୀ ଫୁଲିବା ପରଠୁ ସୋନପୁର, ବୌଦ୍ଧ, ନୟାଗଡ଼ ଓ କଟକରେ ତାଉ ଦେଖେଇବା ଆରମ୍ଭ କରିଦେଇଛି ବନ୍ୟା ।

Advertisment

କଟକ ଆଠଗଡ଼ ଧୁରୁଷିଆ ପଞ୍ଚାୟତର ରମ୍ପାବନ୍ଧର କଥା ଯଦି କହିବା, ମହାନଦୀର ପଛୁଆ ପାଣି ପ୍ରଭାବରେ ଉପନଦୀ ସାପୁଆରେ  20 ଫୁଟର ଘାଇ ସୃଷ୍ଟି ହେବାରୁ 4ଟି ପଞ୍ଚାୟତର ବହୁ ଗାଁରେ ପାଣି ପଶିଛି । ପୁରୁଣା କଟକ-ସମ୍ବଲପୁର ରାସ୍ତାର ଚମ୍ପାପୁର ଓ ଦହିସରା ଗଡ଼ା ନିକଟରେ ରାସ୍ତା ଉପରେ 4-5 ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି ।

ସେପଟେ ବାଙ୍କୀର ହୁଳୁହୁଳା ପୋଲ ଉପରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେବାରୁ ଉତ୍ତରବାଙ୍କୀ ଓ ତିଗିରିଆ ବ୍ଲକର 9ଟି ପଞ୍ଚାୟତର ଶହଶହ ଏକର ଚାଷଜମି ଜଳମଗ୍ନ ହୋଇପଡ଼ିଛି। ସେହିପରି ବାଙ୍କୀ ବ୍ଲକର ୫ଟି ପଞ୍ଚାୟତ ଓ ଡମପଡ଼ା ବ୍ଲକର ପାଥରପୁର ପଞ୍ଚାୟତର କଇଁମୁଣ୍ଡି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଏ ସବୁ ସ୍ଥାନରେ ଡଙ୍ଗା ଏବେ ଯାତାୟତର ଏକମାତ୍ର ମାଧ୍ୟମ।

Advertisment

ନୟାଗଡ଼ ଜିଲ୍ଲା କଥା ଯଦି କହିବା, ତେବେ କେଉଁଠି ପୋଲ ବୁଡ଼ିଲାଣି, ତ କେଉଁଠି ରାସ୍ତା, ବିଲବାଡ଼ି ବୁଡ଼ି ଗାଁ ଛୁଇଁଲାଣି। ବନ୍ୟାରେ ଭାପୁର ଓ ଗଣିଆ ବ୍ଲକର ଶତାଧିକ ଗାଁ ପ୍ରଭାବିତ ହେବା ସହ କାଳିଗିରି ବ୍ରିଜ୍ ଓ ଗଣିଆ ଛାମୁଣ୍ଡିଆ ରାସ୍ତାରେ ପାଣି ଚାଲିବାରୁ ବହୁ ଗାଁକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି ।

ସେପଟେ ସୁବର୍ଣ୍ଣପୁର ଜିଲ୍ଲା କଥା କହିଲେ ବୀରମହାରାଜପୁରର ହରିହରଯୋର ଡ୍ୟାମରୁ ବନ୍ୟାପାଣି ନିଷ୍କାସନ ପରେ ଅମରପାଲିି ରାସ୍ତାର ମୁର୍ଷୁଣ୍ଢି ସେତୁ ନିକଟରେ ବିରାଟ ଘାଇ ସୃଷ୍ଟି ହେବାରୁ ୪ଟି ପଞ୍ଚାୟତ ସମେତ ସମ୍ବଲପୁର ଜିଲ୍ଲାକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି । ସେହିପରି ବୌଦ୍ଧ ଜଗନ୍ନାଥ ସଡ଼କର ଠାଏ ଠାଏ ୮ରୁ ୧୦ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ପ୍ରାୟ ୨୦ଟି ଗାଁ ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇ ପଡ଼ିବା ସହ ହଜାର ହଜାର ହେକ୍ଟର ଚାଷ ଜମି ଜଳ ମଗ୍ନ ହୋଇ ପଡିଛି ।

ଉପରମୁଣ୍ଡ ବୁଡ଼ି ବୁଡ଼ି ଆସୁଥିଲା ବେଳେ ତଳମୁଣ୍ଡକୁ ନେଇ ଚିନ୍ତା ବଢ଼ିଛି। କାରଣ ମୁଣ୍ଡୁଳିରେ ଏବେ ପ୍ରବାହିତ ହେଉଛି ପିକ୍ ଫ୍ଲଡ୍। ସେକେଣ୍ଡକୁ ପ୍ରାୟ 9ରୁ ସାଢ଼େ 9 ଲକ୍ଷ ଘନଫୁଟ ପାଣି। ଏଇ ପାଣି କାଲି ସକାଳ ସୁଦ୍ଧା ମହାନଦୀର ତଳମୁଣ୍ଡ ଓ ଏହାର ଶାଖାନଦୀ ଗୁଡ଼ିକରେ ପ୍ରବାହିତ ହୋଇ ତଳମୁଣ୍ଡ ଛୁଇଁବାକୁ ଥିବାରୁ ବିଶେଷକରି ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାର ବହୁ ତଳିଆ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି।

ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ଉପରେ ବନ୍ୟାର ପ୍ରଭାବ ରହିବ। ଏଥିପାଇଁ ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ସ୍ଥିତି ଉପରେ ତୀକ୍ଷଣ ନଜର ରଖିବାକୁ 8 ଜଣ ସିନିୟର ଇଞ୍ଜିନିୟରଙ୍କୁ ଦାୟିତ୍ୱ ଦିଆଯାଇଛି।

ସେହିପରି ଜିଲ୍ଲା ସ୍ତରରେ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର 3ଟି ବ୍ଲକ 
ମାର୍ଶାଘାଇ,ଗରଦପୁର ଓ ମହାକାଳପଡ଼ା ଅଧିକ ପ୍ରଭାବିତ ହେବାକୁ ଥିବାରୁ ଏସବୁ ବ୍ଲକରେ ଆସନ୍ତାକାଲି ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛିି।

ତଳମୁଣ୍ଡରେ ମଧ୍ୟମଧରଣର ବନ୍ୟା ବିପତ୍ତି ବେଳେ ସେପଟେ ହୀରାକୁଦ ଉପରମୁଣ୍ଡ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ଚିନ୍ତା ବଢ଼ାଇଛି। ଏହାର ପ୍ରଭାବରେ ହୀରାକୁଦ ଜଳସ୍ତର ବଢ଼ୁଥିଲେ ବି ତଳମୁଣ୍ଡରେ ଜଳସ୍ତର ନ କମିବା ପର୍ଯ୍ୟନ୍ତ ଆଉ ହୀରାକୁଦର ଗେଟ୍ ଖୋଲାନଯିବାକୁ ନିଷ୍ପତ୍ତି ହୋଇଥିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ହୀରାକୁଦ ଜଳଭଣ୍ଡାରରୁ ଏବେ 2ଟି ଗେଟ୍ ଖୋଲା ରହିଛି। 

Flood Control Flood In Odisha
Advertisment
Advertisment