• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଯମୁନା, ଜଳ ଆଉ ଯନ୍ତ୍ରଣାରେ ଜଡ଼ସଡ଼ ଦେଶର ରାଜଧାନୀ ଦିଲ୍ଲୀ । ଆଇଟିଓଠାରୁ ରାଜଘାଟ, ଯମୁନା ବଜାରଠୁ ୱାଜିରାବାଦ୍। ଜଳ ଯନ୍ତ୍ରଣା ଭିତରେ ସନ୍ତୁଳି ହେଉଛନ୍ତି ଲୋକେ । ଯମୁନା ନଦୀର ଜଳସ୍ତର ଖସିଛି ତ, କିନ୍ତୁ ଜଳନିଷ୍କାସିତ ହୋଇପାରୁନଥିବାରୁ ଜଳବନ୍ଦୀ ଜୀବନ ଜୀଉଛନ୍ତି ତଳି ଅଞ୍ଚଳ ବାସିନ୍ଦା । ୩ଟି ୱାଟର୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ବନ୍ଦ ଥିବାରୁ ପାନୀୟ ଜଳ ସଙ୍କଟ ବଢ଼ିଯାଇଛି । ଏଭଳି ଦୟନୀୟ ସ୍ଥିତି ଭିତରେ ରେସ୍କ୍ୟୁ ଆଉ ରିଲିଫ୍ ଅପରେସନରେ ଭାରତୀୟ ସେନା ସାମିଲ ହୋଇଛି ।

ଖସିଛି ଯମୁନା ନଦୀର ଜଳସ୍ତର... ହେଲେ ଥମୁନି ଦିଲ୍ଲୀବାସୀଙ୍କ ଦୁର୍ଦ୍ଦଶା । ଏବେ ବି ଅଣ୍ଟାଏ ଉଚ୍ଚରେ ପାଣି, ଥଳକୂଳ ପାଇ ହେଉନି ରାସ୍ତାର... ଚାରିଆଡ଼େ ଜଳବନ୍ଦୀ ଜୀବନ... ଶାନ୍ତିପଥରୁ ଆଇଟିଓକୁ ସଂଯୋଗ କରୁଥିବା ରାସ୍ତା ତ ଏକ ନଦୀର ଭ୍ରମ ସୃଷ୍ଟି କରୁଛି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠ ଥିବା ରାଜଘାଟ ଏବେ ଉବୁଟୁବୁ ଅବସ୍ଥା । କେବଳ ରାଜଘାଟ ନୁହଁ, ଯମୁନା ବଜାର, ୱାଜିରାବାଦ୍, ଇନ୍ଦ୍ରପ୍ରସ୍ଥ ବସ୍ ଡିପୋ ଆଦି ଜଳମୟ ହୋଇଯାଇଛି । ରାସ୍ତାରେ ଚାଲିଛି ନଦୀ ଭଳି ଜଳସ୍ରୋତ । ଡଙ୍ଗା ହିଁ ଗମନାଗମନର ଏକମାତ୍ର ଭରସା ସାଜିଛି ସାଧାରଣ ଲୋକଙ୍କ ପାଇଁ। ୱାଜିରାବାଦ ଅଞ୍ଚଳ ରାସ୍ତାରେ ତ ସୁଅ କାଟି ଛୁଟୁଛି ପାଣି ।

ଯମୁନାନଗରରେ ବୁଡ଼ିଯାଇଛି ପାର୍କିଂରେ ଥିବା ଗାଡ଼ି । କିଏ ଅଧା ତ ଆଉ କିଏ ସଂପୂର୍ଣ୍ଣ ବୁଡ଼ିଯାଇଛି ପାଣି ଭିତରେ । ଲୋକଙ୍କ ଘରର ଆସବାବପତ୍ର ବି ଭାସୁଛି ପାଣିରେ । ସୁପ୍ରିମକୋର୍ଟ ପ୍ରବେଶ ଗେଟ ନିକଟରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାବେଳେ କୋର୍ଟ ପରିସରକୁ ବିଚାରପତି ଓ ଆଇନଜୀବୀଙ୍କ ଯାତାୟାତ ପ୍ରଭାବିତ ହୋଇଛି । ଗତକାଲି ଭଳି ଆଜି ବି ଲାଲକିଲ୍ଲା ଚାରିପଟେ ଢେଉ ଖେଳୁଛି ପାଣି । ଏଭଳି ସ୍ଥିତି ଯୋଗୁ ଜାତୀୟ ରାଜପଥ ୨୪ର ସରାୟ କାଲେ ଖାଁ ଟି- ଜଙ୍କସନ୍, ମହାତ୍ମାଗାନ୍ଧୀ ମାର୍ଗ, ଆଇଟିଓ ଅଞ୍ଚଳରେ ଉପୁଜିଛି ଅସମ୍ଭାଳ ଟ୍ରାଫିକ ସମସ୍ୟା ।

ହରିୟାଣାର ବିଭିନ୍ନ ଡ୍ୟାମରୁ ପାଣି ଛଡ଼ାଯାଇଥିବାରୁ ଯମୁନା ଜଳସ୍ତର ବଢ଼ିଯାଇଛି । ତା’ସହ ହାଥନୀକୁଣ୍ଡ ବ୍ୟାରେଜରୁ ବି ଜଳ ନିଷ୍କାସିତ ହେଉଛି । ଫଳରେ ସଂଗୀନ ହୋଇପଡ଼ିଛି ଆଇଟିଓ, କନ୍ନଟପ୍ଲେସ, କାଶ୍ମୀର ଗେଟ୍ ନିକଟ ହନୁମାନ ମନ୍ଦିର, ଗୀତା କଲୋନୀରେ ପାଣି ଜମି ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର-ପଶ୍ଚିମ ଦିଲ୍ଲୀର ମୁକୁନ୍ଦପୁରରେ ୩ ଜଣ ଶିଶୁ ଭାସି ପ୍ରାଣ ହରାଇଥିବାବେଳେ ଜଳବନ୍ଦୀରୁ ୨୩ ହଜାର ୬୯୨ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ୨୧ ହଜାରରୁ ଅଧିକ ଲୋକଙ୍କୁ ଅସ୍ଥାୟୀ ଟେଣ୍ଟ କରି ରଖାଯାଇଛି ।

ରେସ୍କୁ ଏବଂ ରିଲିଫ୍ କାର୍ଯ୍ୟରେ ଅତିରିକ୍ତ ୧୨ ପ୍ଲାଟୁନ୍ ଏନ୍ଡିଆରଏଫ ଫୋର୍ସକୁ ମୁତୟନ କରାଯାଇଛି । ଯମୁନା ନଦୀରୁ ମାଡ଼ି ଆସୁଥିବା ବନ୍ୟା ପାଣିକୁ ରୋକିବା ପାଇଁ ଲାଗିପଡ଼ିଛନ୍ତି ସେନା । ଇନ୍ଦ୍ରପ୍ରସ୍ଥ ବସ୍ ଡିପୋ ନିକଟରେ ଆଡ଼ିବନ୍ଧ ତିଆରି କରିଛନ୍ତି। ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପରାଜ୍ୟପାଳ ଭି.କେ.ସାକ୍ସେନା ବିକାଶ ଭବନ, ଆଇଟିଓ ଆଦି ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଦିଲ୍ଲୀରେ ମେଟ୍ରୋ ସେବାଠାରୁ ଆରମ୍ଭ କରି ଟ୍ରେନ୍ ଚଳାଚଳ ସବୁ କ୍ଷେତ୍ରରେ ବାଧା ଉପୁଜିଛି । ତେବେ ଦିଲ୍ଲୀ ବାସୀଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ଓଖଲା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ କରାଯାଇଥିବା ସୂଚନା ମିଳିଛି ।

 

  • Reported by:
  • Sivanand Rout