Advertisment

କାଲି ମହାନଦୀରେ ଆସିପାରେ ବନ୍ୟା, ୬ ଜିଲ୍ଲାକୁ ଆଲର୍ଟ; ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା

ମହାନଦୀରେ ଆସିପାରେ ବନ୍ୟା। ଆସନ୍ତାକାଲି କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ଏକ ମଧ୍ୟମ ଧରଣର ବନ୍ୟା ହୋଇପାରେ। ଏନେଇ SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦରେ ଜଳସ୍ତର ବଢ଼ିବାରେ ଲାଗିଛି। ଆସନ୍ତାକାଲି ସକାଳୁ ୮ ଲକ୍ଷ କ୍ୟୁସେକ୍‌ ଜଳ ମହାନଦୀରେ ମୁଣ୍ଡଳିରୁ ପାସ୍ କରିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Mahanadi River

Mahanadi River

ଭୁବନେଶ୍ୱର: ମହାନଦୀରେ ଆସିପାରେ ବନ୍ୟା। ଆସନ୍ତାକାଲି କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ଏକ ମଧ୍ୟମ ଧରଣର ବନ୍ୟା ହୋଇପାରେ। ଏନେଇ SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦରେ ଜଳସ୍ତର ବଢ଼ିବାରେ ଲାଗିଛି। ଆସନ୍ତାକାଲି ସକାଳୁ ୮ ଲକ୍ଷ କ୍ୟୁସେକ୍‌ ଜଳ ମହାନଦୀରେ ମୁଣ୍ଡଳିରୁ ପାସ୍ କରିବ। ଶନିବାର ରାତିରେ ଏହି ପାଣି ମହାନଦୀର ଶାଖା ନଦୀରେ ପାସ୍‌ ହେବ।

Advertisment

ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରଖାଯାଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ ଏବଂ ପୁରୀ ଜିଲ୍ଲାରେ ଏନେଇ ସତର୍କ ସୂଚନା ବି ଜାରି କରାଯାଇଛି। ୬ଟି ଜିଲ୍ଲାରେ ୩୦ ଟିମ୍ ଓଡ୍ରାଫ୍, ୧୨ ଟିମ୍ NDRF ଏବଂ ଅଗ୍ନିଶମ ବିଭାଗ ଟିମ୍‌କୁ ମୁତୟନ କରାଯାଇଛି। ଅନ୍ୟପକ୍ଷେ, ହୀରାକୁଦ ଡ୍ୟାମ୍‌ର ୨୮ଟି ଗେଟ୍‌ ଖୋଲାଯାଇଛି। ଜଳ ଭଣ୍ଡାରକୁ ୪ ଲକ୍ଷ ୮୭ ହଜାର ୨୦୩ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ସମପରିମାଣର ଜଳ ମଧ୍ୟ ନିଷ୍କାସିତ ହେଉଛି।  ସକାଳ ୬ ସୁଦ୍ଧା ହୀରାକୁଦର ଜଳ ସ୍ତର ୬୨୮.୮୩ ଫୁଟ ରହିଛି। ହୀରାକୁଦ ଡ୍ୟାମ୍‌ର ଜଳ ଧାରଣ କ୍ଷମତା ହେଉଛି ୬୩୦ ଫୁଟ।

ବାଲେଶ୍ୱର ଜିଲ୍ଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଟପିଛି। ରାଜଘାଟ ଠାରେ ନଦୀର ବିପଦ ସଙ୍କେତ ସ୍ତର ୧୦.୩୬ ମିଟର ଥିବାବେଳେ ବନ୍ୟାଜଳ ଏବେ ଏହାର ସାମାନ୍ୟ ଉପରେ ପ୍ରବାହିତ ହେଉଛି। ସୁବର୍ଣ୍ଣରେଖାରେ ଜଳ ପତ୍ତନ ବୃଦ୍ଧି ଯୋଗୁ ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି। ଭୋଗରାଇ ବ୍ଲକରେ ୧୦ଟି ପଞ୍ଚାୟତର ୪୦ଟି ଓ ବାଲିଆପାଳ ବ୍ଳକରେ ୫ଟି ପଞ୍ଚାୟତର ୩୦ଟି ଗାଁ ଜଳମଗ୍ନ ହୋଇଛି। ହଜାର ହଜାର ହେକ୍ଟର ଚାଷଜମି ପାଣିରେ ବୁଡ଼ି ଯାଇଛି। ଲଘୁଚାପଜନିତ ଜନିତ ବର୍ଷା ଓ ନଦୀର ଉପର ମୁଣ୍ଡରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହେବାରୁ ଗଲୁଡିହ ବ୍ୟାରେଜରୁ ୬୧୦୦ କ୍ୟୁବିକ ମିଟର ପାଣି ଛଡ଼ା ଯିବାରୁ ସୁବର୍ଣ୍ଣରେଖାରେ ବନ୍ୟା ଆସିଛି। 

Advertisment

ଏବେ ବର୍ଷା  ହେଉ ନଥିଲେ ମଧ୍ୟ ପୁରୀ ଜିଲ୍ଲାର କାକଟପୁର, ଗୋପ ଓ ଅସ୍ତରଙ୍ଗ ବ୍ଲକର ଅନେକ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଗୋପ ବ୍ଲକର ବିରତୁଙ୍ଗ, ବଉଳାଙ୍ଗ, ମହଲାପଡା, ସିମିଳି ଓ କାକଟପୁରର କାଦୁଆ, ଅବଦାନ ଓ ବାଙ୍ଗୁରି ଏବଂ ଅସ୍ତରଙ୍ଗର କୋରଣା, ଶିଶୁଆ ପଞ୍ଚାୟତର ୧୦୦ରୁ ଅଧିକ ଗାଁର ଲୋକେ ୪ ଦିନ ହେଲା ପାଣି ଘେରରେ ଅଛନ୍ତି। କୋଣାର୍କ-କାକଟପୁର ମୁଖ୍ୟ ରାସ୍ତା ଉପରେ ଏବେ ବି ପାଣି ଚାଲୁଛି।  ପାଣି ଜମି ରହିଥିବାରୁ ହଜାର ହଜାର ହେକ୍ଟର ଚାଷଜମି ଉଜୁଡି ଯାଇଛି। ଗାଁରୁ ବାହାରିବା  ପାଇଁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ଗାଁରେ ଯିବା ଆସିବା ପାଇଁ ଦେଶୀ ଡଙ୍ଗା ଏକମାତ୍ର ମାଧ୍ୟମ ରହିଛି। ସେହିପରି ସୁନ୍ଦରଗଡ ବଣାଇ ବ୍ଲକର ଜାଙ୍ଗଳାକୁ ସଂଯୋଗ କରୁଥିବା ସିଆଁ ଜୋର ଉପରେ ଅଣ୍ଟାଏ ଉଚ୍ଚର ପାଣି ଚାଲିଛି   ପ୍ରାୟ ୩ କିଲୋମିଟର ରାସ୍ତା ଉପରେ ପାଣି ଜମିରହିଛି  ଏଥିସହ ଧାନ ଚାଷ ହୋଇଥିବା ଏକର ଏକର ଜମି ପାଣିରେ ବୁଡିଯାଇଛି।

Mahanadi River Flood
Advertisment
Advertisment