• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାବଧାନ ! ବନ୍ୟା ବିପତ୍ତିବେଳେ ହୋଇପାରେ ସର୍ପ କାଳ । ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଭିତରେ ବଡ଼ ବିପଦ ସାଜିଛନ୍ତି ସରୀସୃପ । ଘରେ ହେଉ କି ବାହାରେ ମାଳ ମାଳ ହୋଇ ବୁଲୁଛନ୍ତି ଏଣେ ତେଣେ । ଏସବୁ ଭିତରେ ସବୁଠୁ ବଡ଼ ଭୟଭୀତ କରିଛି ସାପ । ଗାଁ ଗହୀର ହେଉ କି ସହରର ତଳି ଅଞ୍ଚଳ । ମାଡ଼ି ଆସିଥିବା ବନ୍ୟା ପାଣିରେ ବିଷଧର ସମେତ ବିଭିନ୍ନ ପ୍ରଜାତିର ସାପ ବିଚରଣ କରୁଛନ୍ତି । SRCଙ୍କ ସୂଚନା ଅନୁଯାୟୀ, ଏହି ବନ୍ୟା ବିପତ୍ତି ଭିତରେ ୫ଟି ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଲାଣି । ଆଗକୁ ପୁଣି ବର୍ଷା ସହ ନଈନାଳରେ ପାଣି ବଢ଼ିବାର ସମ୍ଭାବନା ରହିଛି । ତେଣୁ ସର୍ପାଘାତ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ତେବେ ବନ୍ୟା ପ୍ରଭାବିତ ଲୋକେ ସମ୍ଭାବ୍ୟ ସାପ କାମୁଡ଼ାରୁ କେମିତି ବର୍ତ୍ତିବେ ?

କେଉଁଠି ପୂର୍ଣ୍ଣଗର୍ଭା ନଦୀ ଭିତରେ ବୁଲୁଛିି ସାପ ତ ଆଉ କେଉଁଠି ଲଟାବୁଦା ଭିତରେ ଲୁଚିଛିି । କେଉଁଠି ଚନ୍ଦନ ବୋଡ଼ା ଦେଖିବାକୁ ମିଳିଲାଣି ତ ଆଉ କେଉଁଠି ଜାଲରେ ପଡ଼ିଲାଣି ବିରାଟକାୟ ଅଜଗର । ଜଗତସିଂହପୁର ଜିଲ୍ଲା ଏରସମା ବ୍ଳକ ଅନ୍ତର୍ଗତ ଗଡ଼ହରିଶପୁର ଗାଁରେ ମାଛଧରା ଜାଲରେ ପଡ଼ିଥିଲା ଅଜଗର । ସେହିଭଳି ବାଙ୍କି ଅଞ୍ଚଳର ଲୋକଙ୍କ କହିବା ତାଙ୍କ ଅଞ୍ଚଳରେ ଚନ୍ଦନ ବୋଡ଼ା ବୁଲୁଛି ।

କେବଳ ଏରସମା କିମ୍ବା ବାଙ୍କି ନୁହେଁ, କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ;ୟତ୍ତପୁରରେ ଦେଖିବାକୁ ମିଳିଛି ମାଳ ମାଳ ବିଷଧର ସାପ । ଖୋର୍ଦ୍ଧା ନରଣଗଡ଼ ପଞ୍ଚାୟତ ଓରନି କଥା ଦେଖିବାକୁ ଗଲେ, ଗତ କିଛିଦିନ ହେଲା ଏଠାରେ ଏଭଳି ସାପଙ୍କ ଚଳପ୍ରଚଳ ଲାଗିରହିଛି । ଫଳରେ ଭୟ ଆଉ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ ।

ଜଳବନ୍ଦୀ ଥିବା ଗାଁ ଗହୀର ହେଉ କିମ୍ବା ସହର ତଳି ଇଲାକା । ବନ୍ୟା ପାଣି ମାଡ଼ିବା ଯୋଗୁଁ ଜୀବନ ବିକଳରେ ଜନବସତି ଅଞ୍ଚଳକୁ ମାଡ଼ି ଆସୁଛନ୍ତି ସାପ ସହ ଅନ୍ୟ ସରୀସୃପ । ଅର୍ଥାତ ଜଳ ସାଙ୍ଗକୁ କାଳ ସାଜୁଛନ୍ତି ସାପ । ଏପରିକି ବନ୍ୟା ଛାଡ଼ିବା ପରେ ବି ଘର ଭିତରେ ଏବେ ସାପଙ୍କ ପ୍ରାଦୁର୍ଭାବର ଭୟ ରହୁଛି । SRCଙ୍କ ସୂଚନା ଅନୁଯାୟୀ, ଚଳିତ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ବନ୍ୟା ପ୍ଲାବିତ ଅଞ୍ଚଳରୁ ୫ଟି ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଲାଣି ।

ଆଗକୁ ପୁଣି ବର୍ଷା ବଢ଼ିବ, ତାସହ ଜଳବନ୍ଦୀ ସମସ୍ୟାକୁ ଏଡ଼ାଇ ଦିଆଯାଇନପାରେ । ବର୍ଷା ଏବଂ ବନ୍ୟା ସ୍ଥିତିକୁ ଦେଖି ଚାଳ ଛପର ଘର ଥିବା ଲୋକେ କେଉଁଠି ନଦୀବନ୍ଧରେ ଆଶ୍ରୟ ନେଇଛନ୍ତି ତ ଆଉ କିଏ ବନ୍ୟା ଆଶ୍ରୟସ୍ଥଳୀରେ ରହିଛନ୍ତି । ଆଉ କିଏ ଜଳବନ୍ଦୀ ହୋଇରହିଛନ୍ତି । ଏଭଳି ସ୍ଥିତିରେ ପାଣି ଭୟରେ ସାପ ବି ସୁରକ୍ଷା ଖୋଜି ମଣିଷ ରହୁଥିବା ସ୍ଥାନକୁ ଯାଇଥାଏ ।

ତେଣୁ ବିଶେଷଜ୍ଞଙ୍କ କହିବା କଥା, ବନ୍ୟା ବେଳେ ସାପଙ୍କଠାରୁ ନିଜକୁ ଦୂରେଇ ରଖନ୍ତୁ । ପାଣି ଭିତରେ ନିହାତି ଯିବାକୁ ହେଲେ ହାତରେ ବାଡ଼ି ଧରିଯାଆନ୍ତୁ । କୌଣସି ଦଳ କିମ୍ବା ଆବର୍ଜନାକୁ ହାତରେ ନକାଢ଼ି ବାଡ଼ିରେ କାଢନ୍ତୁ । କୌଣସି ବିଷଧର ସାପ ଯଦି କାମୁଡ଼ିଦିଏ ତେବେ ପାଣିରେ ପହଁରି ମେଡ଼ିକାଲ୍ ଯାଆନ୍ତୁନି । କାରଣ ପାଣିରେ ପହଞ୍ଚିଲେ ରକ୍ତ ସଞ୍ଚାଳନ ବଢ଼ିବା ସହ ସାରା ଶରୀରରେ ବିଷ ସଞ୍ଚରିଯାଇଥାଏ । ତେଣୁ ନିକଟରେ ଥିବା ଓଡ୍ରାଫ୍ କିମ୍ବା ଅଗ୍ନିଶମ ବାହିନୀର ସହାୟତା ନିଅନ୍ତୁ । ଗୋଟିଏ ପଟେ ବନ୍ୟା ବିଭୀଷିକା, ଆରପଟେ ସରୀସୃପର ଭୟ । ଏଭଳି ସ୍ଥିତିରେ ସାବଧାନ ଆଉ ସତର୍କ ରହିିବା ନିହାତି ଆବଶ୍ୟକ ।