• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆଷାଢ଼ ଗଲା, ଶ୍ରାବଣ ଗଲା, ଭାଦ୍ରବ ବି ଆରମ୍ଭ ହେଲାଣି । ମୂଷଳଧାରା ବର୍ଷା ନାହିଁ ।

  • ଜଳଭଣ୍ଡାରରେ ଜଳଜଳ ଦେଖାଯାଉଛି ଜଳସଙ୍କଟର ଉତ୍କଟ ଚିତ୍ର ।

  • ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଜଳଭଣ୍ଡାର ଏହାର ଜ୍ୱଳନ୍ତ ପ୍ରମାଣ ।

ଭୁବନେଶ୍ୱର: ଆଷାଢ଼ ଗଲା, ଶ୍ରାବଣ ଗଲା, ଭାଦ୍ରବ ବି ଆରମ୍ଭ ହେଲାଣି । ତଥାପି ମୂଷଳଧାରା ବର୍ଷା ନାହିଁ । ଇନ୍ଦ୍ରଦେବଙ୍କ କୋପରେ ଜମି କଥା ଛାଡ଼ନ୍ତୁ, ଜଳଭଣ୍ଡାରରେ ଜଳଜଳ ଦେଖାଯାଉଛି ଜଳସଙ୍କଟର ଉତ୍କଟ ଚିତ୍ର । ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଜଳଭଣ୍ଡାର ଏହାର ଜ୍ୱଳନ୍ତ ପ୍ରମାଣ । ଏଠାରେ ସ୍ପଷ୍ଟ ଭାବେ ଦେଖାଯାଉଛି ପାଣି ଭିତରେ ବୁଡ଼ି ରହିଥିବା ବିଶ୍ୱନାଥ ମହାଦେବଙ୍କ ମନ୍ଦିରର ଚୂଡ଼ା । ବ୍ରିଟିଶ୍ ଅମଳରେ, ଅଞ୍ଚଳର ଜଳସଙ୍କଟ ଏଡାଇବାକୁ ନିର୍ମାଣ ହୋଇଥିଲା ଏହି ଜଳଭଣ୍ଡାର । ସେହି ସମୟରେ ମନ୍ଦିରରୁ କେବଳ ମହାଦେବଙ୍କ ପ୍ରତିମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ସେଦିନଠୁ ପାଣିରେ ବୁଡ଼ିରହିଥିଲା ମନ୍ଦିର । ଚଳିତ ବର୍ଷ ବର୍ଷା ଅଭାବରୁ ଜଳସ୍ତର ଖସିଯିବା ପରେ ମନ୍ଦିରର ଦଧିନଉତି ଦେଖାଯାଉଛି । ଆଉ ଏଭଳି ଜଳ ସଙ୍କଟକୁ ନେଇ ମରୁଡ଼ି ଆଶଙ୍କା କରି ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ ।

ସେହିଭଳି ସମାନ ଅବସ୍ଥା କୋରାପୁଟ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ଜଳାପୁଟ ଜଳଭଣ୍ଡାରର । ପାଣି ନଥିବାରୁ ଏହା ପୋଖରୀର ଭ୍ରମ ସୃଷ୍ଟି କରୁଛି । ଗତ ୭୦ ବର୍ଷ ମଧ୍ୟରେ କେବେ ବି ଏଭଳି ଜଳସଙ୍କଟର ଚିତ୍ର ଲୋକେ ଦେଖିନଥିବା କହିଛନ୍ତି । ଏବର୍ଷ ବର୍ତ୍ତମାନ ସୁଦ୍ଧା ୨୩ ଫୁଟ୍ ତଳକୁ ଖସିଯାଇଛି ଜଳସ୍ତର । କୋଲାବ୍ ଜଳଭଣ୍ଡାରରେ ବି ୮୫୮ ମିଟର ଉଚ୍ଚରୁ ୮୪୭ ମିଟରକୁ ଖସିଯାଇଛି ଜଳସ୍ତର ।

କେବଳ ମାଛକୁଣ୍ଡ କି କୋଲାବ୍ ନୁହେଁ, ବାଲିମେଳା, ଇନ୍ଦ୍ରାବତୀ, ରେଙ୍ଗାଳି ସମେତ ହୀରାକୁଦ ଡ୍ୟାମ୍‌ରେ ବି ସମାନ ଅବସ୍ଥା । ଚଳିତ ମାସ ୧୪ ତାରିଖରୁ ୨୪ ତାରିଖ ମଧ୍ୟରେ କ୍ରମାଗତ ଭାବେ ହୀରାକୁଦରେ ହ୍ରାସ ପାଇଛି ଜଳସ୍ତର । ପୂର୍ବବର୍ଷ ଅପେକ୍ଷା ଏହି ୧୧ ଦିନ ମଧ୍ୟରେ ପ୍ରାୟ ୩ରୁ ୪ ଫୁଟ ଖସିଯାଇଛି ଜଳସ୍ତର । ତେଣୁ ଜଳଭଣ୍ଡାର ଗୁଡ଼ିକର ଏଭଳି ସ୍ଥିତି ଆସନ୍ନ ମରୁଡ଼ିକୁ ସୂଚାଇଲାଣି ବୋଲି ଆଶଙ୍କା କରାଯାଉଛି ।

ରାଜ୍ୟ ସରକାରଙ୍କ ସମୀକ୍ଷାରୁ ଜଣାପଡିଛି, ଏଥର ବର୍ଷା ଋତୁରେ ସ୍ୱାଭାବିକଠାରୁ ୨୮ % କମ୍ ବର୍ଷା ଏବଂ ଅଗଷ୍ଟରେ ଗତବର୍ଷ ତୁଳନାରେ ୫୦% କମ୍ ବୃଷ୍ଟିପାତ ହୋଇଛି । ୧୫ ଜିଲ୍ଲାର ୩୦ ବ୍ଲକରେ ସ୍ୱଳ୍ପ ବର୍ଷା ଯୋଗୁଁ ସ୍ଥିତି ମରୁଡ଼ି ମୁହାଁ ହୋଇଛି । ଏଭଳି ଅବସ୍ଥାରେ ଜଳଭଣ୍ଡାର ଗୁଡ଼ିକ ଶୁଖି ଆସୁଥିବାରୁ କେବଳ ଅଣଜଳସେଚିତ ନୁହେଁ, ଜଳସେଚିତ ଇଲାକାରେ ବି ଉତ୍କଟ ହୋଇପାରେ ଚାଷବାସ ସମସ୍ୟା । କେବଳ ଚାଷବାସ ନୁହେଁ, ବିଦ୍ୟୁତ ସଙ୍କଟ ଉପୁଜିବାର ଆଶଙ୍କାକୁ ବି ଏଡାଇ ଦିଆଯାଇନପାରେ ।