• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମହାନଦୀରେ ବଡ଼ ବନ୍ୟା ଆଶଙ୍କା । ପ୍ରଥମେ ଛୋଟ ଧରଣର, ତାପରେ ମଧ୍ୟମ ବନ୍ୟା ହେବ ବୋଲି କୁହଯାଉଥିବା ବେଳେ ଆଜି ବଦଳିଛି ଚିତ୍ର । ପ୍ରବଳ ବନ୍ୟା ହୋଇପାରେ ବୋଲି ଆଶଙ୍କା କରିଛନ୍ତି ଖୋଦ୍ ଏସ୍‌ଆର୍‌ସି । ଏହି ପରିସ୍ଥିତିର ମୁକାବିଲା ପାଇଁ ଆଜି ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ସମୀକ୍ଷା ବୈଠକ କରିଥିଲେ । ଯେଉଁଥିରେ ଫୋକସ୍ ଥିଲା ବନ୍ୟା ପରିଚାଳନା ।

ତଳମୁଣ୍ଡରେ ବଡ଼ ଧରଣର ବନ୍ୟାକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ କମାଇବା ପାଇଁ ନିଷ୍ପତ୍ତି ହୋଇଛି । ଜଳଭଣ୍ଡାରକୁ ସର୍ବାଧିକ ୯ ଲକ୍ଷରୁ ୯ ଲକ୍ଷ ୫୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କରିବ ବୋଲି ଆକଳନ କରାଯାଇଛି । ସେ ହିସାବରେ ରବିବାରଠାରୁ ଖୋଲାଯାଇଥିବା ୩୪ଟି ଗେଟ୍ ମଧ୍ୟରୁ ଆଜି ୮ଟି ବନ୍ଦ କରି ଦିଆଯାଇଛି । ଯାହା ଫଳରେ ଡ୍ୟାମ୍‌ରୁ ନଦୀକୁ ୧ ଲକ୍ଷ ୨୦ ହଜାର କ୍ୟୁସେକ୍ ଜଳ ପ୍ରବାହ କମିଛି । ତେବେ ୮ଟି ଗେଟ୍ ବନ୍ଦ କରାଯିବା ପଛରେ ମୁଖ୍ୟ କାରଣ ହେଉଛି ତେଲ୍ ନଦୀର ଜଳସ୍ତର ବଢ଼ିବା ।

ପ୍ରବଳ ବର୍ଷା ଯୋଗୁଁ ତେଲ୍‌ ନଦୀରେ ୫ରୁ ସାଢେ ୫ଲକ୍ଷ କ୍ୟାୁସେକ୍ ପାଣି ଆସୁଛି । ସୁବର୍ଣ୍ଣପୁର-ବୌଦ୍ଧର ମନମୁଣ୍ଡାଠାରେ ମହାନଦୀ ସହ ମିଶିଛି ତେଲ୍‌ ନଦୀ । ଯାହା ଫଳରେ ତଳମୁଣ୍ଡରେ ମହାନଦୀରେ ଅଧିକ ଜଳ ପ୍ରବାହ ହେଉଛି । ସେପଟେ କଟକ ନରାଜଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ମହାନଦୀ । ଅପରାହ୍ନ ୪ଟା ବେଳକୁ ମୁଣ୍ଡଳୀଠାରେ ୧୦ ଲକ୍ଷ କ୍ୟୁସେକ୍ ପାଣି ପାସ୍ କରୁଥିଲା । ଏହାକୁ ୧୧ ଲକ୍ଷ କ୍ୟୁସେକ୍ ପାଖାପାଖି ରଖିବାକୁ ଚେଷ୍ଟା କରାଯାଉଛି । ସେପଟେ ମୁଣ୍ଡଳୀ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ଜଳସଂପଦ ମନ୍ତ୍ରୀ ଟୁକନି ସାହୁ ।

ହୀରାକୁଦ ଡ୍ୟାମ୍‌ରେ ଜଳପତ୍ତନ ଏବେ ପ୍ରାୟ ୬୨୧ ଫୁଟ୍ ରହିଛି । ତେବେ ଉପରମୁଣ୍ଡରେ ଅଧିକ ବର୍ଷା ହେଉଥିବାରୁ ଡ୍ୟାମ୍‌କୁ ପଶୁଥିବା ପାଣି ତୁଳନାରେ କମ୍ ବନ୍ୟାଜଳ ନିଷ୍କାସନ ହେଉଛି । ତେଣୁ ଡ୍ୟାମ୍‌ର ଜଳସ୍ତର ଆହୁରି ବଢ଼ିବ । ଏହାଦ୍ୱାରା ଜଳଭଣ୍ଡାର ଉପରେ ଅଧିକ ଚାପ ପଡ଼ିବ ନାହିଁ ତ ? ଜଳସଂପଦ ବିଭାଗର ସୂଚନା ଅନୁସାରେ ୨୦୦୩ ଅଗଷ୍ଟ ୩୦ରେ ୬୨୯.୪୫ ଫୁଟ୍, ୨୦୦୯ ସେପ୍ଟେମ୍ବର ୨୦ରେ ୬୩୦ ଫୁଟ୍ ଓ ୨୦୨୦ ଅଗଷ୍ଟ ୩୧ରେ ୬୨୭.୩୧ ଫୁଟ୍ ପାଣି ରଖାଯାଇଥିିଲା ।

ସେପଟେ ବନ୍ୟା ଆଶଙ୍କାକୁ ଆଖି ଆଗରେ ରଖି କଟକ, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାକୁ ଆଲର୍ଟ କରାଯାଇଛି । NDRFରେ ଓ ଓଡ୍ରାଫ୍‌ର ୧୨ଟି ଟିମ୍ ଓ ଅଗ୍ନିଶମ ବିଭାଗର ୨୦ଟି ଅତିରିକ୍ତ ଟିମ୍ ଏସବୁ ଜିଲ୍ଲାକୁ ପଠାଯାଇଛି । ଅନ୍ୟ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମଧ୍ୟ ପ୍ରସ୍ତୁତ ରହିବାକୁ କୁହାଯାଇଛି । ସେପଟେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ  ଜିଲ୍ଲାସ୍ତରରେ ପ୍ରସ୍ତୁତି କରାଯାଇଛି ।